ବିମାନରେ ପୁଣି ଯାତ୍ରୀଙ୍କୁ ଅସଦାଚରଣ, କ୍ୟାନ୍ସର ଆକ୍ରାନ୍ତ ମହିଳାଙ୍କୁ ଓହ୍ଲାଇ ଦେଲା ଆମେରିକାନ ଏୟାରଲାଇନ୍ସ
5/02/2023 at 3:12 PM

ନୂଆଦିଲ୍ଲୀ: ପୁଣି ବିମାନ ଭିତରେ ଯାତ୍ରୀଙ୍କୁ ଅସଦାଚରଣ। କ୍ୟାବିନରେ ହ୍ୟାଣ୍ଡ୍ ବ୍ୟାଗ୍ ରଖି ନପାରିବାରୁ କ୍ୟାନସର ଆକ୍ରାନ୍ତ ମହିଳାଙ୍କୁ ବିମାନରୁ ଓହ୍ଲାଇ ଦେଲା ଆମେରିକାନ ଏୟାରଲାଇନ୍ସ। ବିମାନ କର୍ମଚାରୀଙ୍କ ନିର୍ଦ୍ଦେଶ ଅନୁସାରେ ଫ୍ଲାଇଟ୍ ସିଟ୍ ଉପରେ ଥିବା କ୍ୟାବିନରେ ହ୍ୟାଣ୍ଡ ବ୍ୟାଗ୍ ରଖି ନ ପାରିବାରୁ ଅଳ୍ପଦିନ ତଳେ ଅପରେସନ୍ ହୋଇଥିବା ଜଣେ କ୍ୟାନସର ଆକ୍ରାନ୍ତ ମହିଳାଙ୍କୁ ଦିଲ୍ଲୀରୁ ନ୍ୟୁୟର୍କ ଯାଉଥିବା ଆମେରିକାନ୍ ଏୟାରଲାଇନ୍ସର ‘ଏଏ-୨୯୩’ ବିମାନ ଓହ୍ଲାଇ ଦେଇଥିବା ଅଭିଯୋଗ ହୋଇଛି।
ଜାନୁଆରୀ ୩୦ ତାରିଖରେ ଇନ୍ଧିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଏହି ଘଟଣା ଘଟିଥିଲା। ମହିଳା ଜଣଙ୍କ କହିବା ଅନୁଯାୟୀ, କିଛି ଦିନ ତଳେ ତାଙ୍କର କ୍ୟାନସନର ଅପରେସନ୍ ହୋଇଥିଲା । ପ୍ଲାଷ୍ଟର୍ କରାଯାଇଥିବାରୁ ବ୍ୟାଗଟିକୁ ଉଠାଇ କ୍ୟାବିନରେ ରଖିବା ପାଇଁ ସେ କ୍ରୁ’ ମେମ୍ବରଙ୍କ ସାହାଯ୍ୟ ମାଗିଥିଲେ । କିନ୍ତୁ ସାହାଯ୍ୟ କରିବା ପରିବର୍ତ୍ତେ କ୍ରିୟୁ ଷ୍ଟାଫ୍ ତାଙ୍କୁ ବିମାନରୁ ଓହ୍ଲାଇ ଯିବାକୁ କହିଥିଲେ। ଆମେରିକାରେ ରହୁଥିବା ମିନାକ୍ଷୀ ସେନଗୁପ୍ତା ନାମକ ମହିଳା ଜଣଙ୍କ ଏନେଇ ଆମେରିକାନ୍ ଏୟାରଲାଇନ୍ସ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ, ପ୍ରାୟ ୨ କିଲୋ ଓଜନର ବ୍ୟାଗ୍ ଉଠାଇବାରେ ସାହାଯ୍ୟ କରିବାକୁ କହିବାରୁ ତାଙ୍କ ପ୍ରତି ଦୁର୍ବ୍ୟବହାର କରାଯିବା ସହିତ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ଏହି ଘଟଣା ନେଇ ‘ଡାଇରୋକ୍ଟେରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍ର ‘ଡିଜି’ ଅରୁଣ କୁମାର କହିଛନ୍ତି, ଘଟଣାକୁ ଆମେ ଗୁରୁତର ସହିତ ନେଇଛି ଏବଂ ଶୀଘ୍ର ତଦନ୍ତ କରାଯିବ । ଘଟଣା ସଂପର୍କରେ ଆମେରିକାନ୍ ଏୟାରଲାଇନ୍ସ କହିଛି ଯେ, ଜାନୁଆରୀ ୩୦ ତାରିଖ ଦିନ ଦିଲ୍ଲୀରୁ ନ୍ୟୁୟର୍କ ଯିବା ପୂର୍ବରୁ ଏୟାର ହୋଷ୍ଟେସ୍ ମାନଙ୍କ ନିର୍ଦ୍ଦେଶ ଅମାନ୍ୟ କରିଥିବାରୁ ମିନାକ୍ଷୀ ସେନଗୁପ୍ତାଙ୍କୁ ଫ୍ଲାଇଟ୍ ରୁ ଓହ୍ଲାଇ ଦିଆଯାଇଥିଲା।