ଚୀନକୁ ଆମେରିକାର ଧମକ: ‘କୌଣସି ପରିସ୍ଥିତିରେ ବି ଋଷକୁ ସାହାଯ୍ୟ କଲେ ପରିଣତି ଭୟଙ୍କର ହେବ’

Published By : Prameya-News7 Bureau | March 14, 2022 IST

ନୂଆଦିଲ୍ଲୀ ୧୪/୦୩: ୟୁକ୍ରେନ୍‌ ଏବଂ ଋଷ ମଧ୍ୟରେ ଜାରି ଯୁଦ୍ଧ ସାରା ବିଶ୍ବକୁ କଲବଲ କରିପକାଇଲାଣି । ବିଶ୍ବର ଅନେକ ଦେଶରେ ବ୍ୟବସାୟିକ କାରବାର ମଧ୍ୟ ବିଗିଡିବାରେ ଲାଗିଛି । ଅନେକ ଦେଶ ଋଷ ଉପରେ ବ୍ୟବସାୟିକ ପ୍ରତିବନ୍ଧକ ମଧ୍ୟ ଲଗାଇଛନ୍ତି । ଏହାରି ମଧ୍ୟରେ ଆମେରିକା ଏବଂ ଚୀନ ମଧ୍ୟରେ ଆରମ୍ଭ ହୋଇଯାଇଛି ଟକରାଟକରି ।

ସୋମବାର ଆମେରିକା ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ୟୁକ୍ରେନ୍‌ରେ ଯୁଦ୍ଧ ଜାରି ରଖିଥିବା ଋଷ ଏବେ ଚୀନ ଠାରୁ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ସହଯୋଗ ମାଗିଛି । ଏହାକୁ ନେଇ ଚୀନକୁ ଧମକ ଦେଇଛି ଆମେରିକା । କହିଛି, ‘ଯଦି ପୁଟ୍ଟିନ୍‌ଙ୍କୁ ଜିନ୍‌ପିଙ୍ଗ କୌଣସି ପ୍ରକାର ସହଯୋଗ ପାଇଁ ଆଗକୁ ଆସନ୍ତି ତେବେ, ଭୟଙ୍କର ପରିଣାମ ଭୋଗିବାକୁ ପଡିବ ।’

ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜ୍ୟାକ୍‌ ସୁଲିଓ୍ବନ୍‌ କହିଛନ୍ତି, ଯଦି ଚୀନ ମସ୍କୋକୁ ସାହାଯ୍ୟ ପାଇଁ ଆଗକୁ ଆସେ ତାହେଲେ ତାକୁ ନିଶ୍ଚିତ ଭାବେ ଏହାର ପରିଣାମ ଭୋଗିବାକୁ ପଡିବ । ଏଥିପାଇଁ ଚୀନ ପ୍ରସ୍ତୁତ ରହିଥାଉ । ସେ କହିଛନ୍ତି, ୟୁକ୍ରେନ୍‌ରେ ଏବେ ଋଷ ସେନା ଫସିଯାଇଛି । ଯୁଦ୍ଧ କରିବାକୁ ଅସ୍ତ୍ରଶସ୍ତ୍ର କମିଗଲାଣି । ଆଉ ସେଥିପାଇଁ ଏବେ ଚୀନକୁ ସହଯୋଗ ମାଗିଛି ଋଷ । ତେଣୁ ଯଦି କୌଣସି ପ୍ରକାର ସହଯୋଗ ବେଜିଂ ପକ୍ଷରୁ ମସ୍କୋକୁ ମିଳେ ତେବେ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଯିବ । ଆମେ ତାକୁ ଆଗେ ବଢିବାକୁ ଦେବୁ ନାହିଁ । ଏବେ ଋଷ ବିରୁଦ୍ଧରେ ବିଭିନ୍ନ ଦେଶ ଆର୍ଥିକ ପ୍ରତିବନ୍ଧକ ଲାଗୁ କରିସାରିଛନ୍ତି । ତେଣୁ ଋଷ ଏବେ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରିବ । ତେଣୁ ଏବେ ଯଦି ଚୀନ ତାର ଲାଇଫ୍‌ଲାଇନ୍‌ ହୁଏ ତେବେ ଏହାକୁ ସହଜରେ ଗ୍ରହଣ କରାଯିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.