ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶଙ୍କ ସୂଚୀର ପ୍ରଥମ ସ୍ଥାନରେ ଆମେରିକା, ଜାଣନ୍ତୁ ଭାରତର ସ୍ଥାନ କେଉଁଠି?

Published By : Prameya-News7 Bureau | April 02, 2024 IST

ନୂଆଦିଲ୍ଲୀ ୨।୪: ବିଶ୍ୱର ଶକ୍ତିଶାଳୀ ଦେଶଙ୍କ ସୂଚୀ ପ୍ରକାଶିତ ହେବା ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ୨୦୨୪ର ଏହି ସୂଚୀକୁ ଆମେରିକାର ନ୍ୟୁଜ୍ ଏଜେନ୍ସୀ ୟୁଏସ୍ ନ୍ୟୁଜ୍ ଜାରି କରିଛନ୍ତି। ବିଶ୍ୱର ଶକ୍ତିଶାଳୀ ଦେଶଙ୍କ ସୂଚୀର ପ୍ରଥମ ସ୍ଥାନରେ ରହିଛି ଆମେରିକା। ଯୁକ୍ତରାଷ୍ଟ୍ର ଆମେରିକା, ଟେକ୍ନୋଲଜି, ଫାଇନାନ୍ସ ଓ ଏଣ୍ଟରଟୈନମେଣ୍ଟରେ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର ହୋଇ ରହିଛି। ଆମେରିକାର ବାଇଡେନ ସରକାର ଦେଶର ଭିତ୍ତିଭୂମି ବିକାଶ ସମେତ ଜଳବାୟୁ ପରିବର୍ତ୍ତନ ନିମନ୍ତେ ବହୁତ କାମ କରିଛନ୍ତି। 

ବିଶ୍ୱର ୧୦ ଶକ୍ତିଶାଳୀ ଦେଶଙ୍କ ସୂଚୀର ଦ୍ୱିତୀୟ ସ୍ଥାନରେ ରହିଛି ଚୀନ୍। ଚୀନ୍‌ର ବେଲ୍ଟ ଆଣ୍ଡ ରୋଡ ପ୍ରକଳ୍ପର ପରିସର ବଢୁଛି। ଫଳରେ ଅଧିକରୁ ଅଧିକ ଦେଶ ଏହି ପ୍ରକଳ୍ପରେ ସାମିଲ ହେଉଛନ୍ତି। ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଭୂମି ଓ ସମୁଦ୍ର ନେଟୱାର୍କ ମାଧ୍ୟମରେ ଏସିୟାକୁ ଆଫ୍ରିକା ଓ ୟୁରୋପ ସହ ସଂଯୁକ୍ତ କରି ଆର୍ଥିକ ବିକାଶ ଓ ବ୍ୟବସାୟ ବୃଦ୍ଧି କରିବା। ଏବେ ଚୀନ୍‌ ବିଶେଷ କରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସୀ (ଏଆଇ) ଓ ଫାଇଭ-ଜିରେ କାମ କରୁଛି। ଏଣୁ ସେ ନିଜକୁ ବିଶ୍ୱ ଟେକ୍ନୋଲଜିରେ ନେତା ରୂପେ ଛିଡା କରିବାକୁ ଉଦ୍ୟମ କରୁଛି। 

ତେବେ ବିଶ୍ୱର ଶକ୍ତିଶାଳୀ ଦେଶଙ୍କ ସୂଚୀର ୧୦ମ ସ୍ଥାନରେ ବି ଭାରତ ନାହିଁ। ଏହାକୁ ଦ୍ୱାଦଶ (୧୨ତମ) ସ୍ଥାନ ମିଳିଛି। ଭାରତର ଖାସ ବନ୍ଧୁ ଇସ୍ରାଏଲ ସୂଚୀର ଏକାଦଶତମ ସ୍ଥାନରେ ରହିଛି। ରିପୋର୍ଟ ଅନୁସାରେ କୌଣସି ଦେଶର ଜନସଂଖ୍ୟାର ଆକାର ଏହାର କ୍ଷମତା ରାଙ୍କିଙ୍ଗ ଉପରେ ପ୍ରଭାବ ପକାଇପାରେ। ଏହି କାରଣରୁ ଭାରତ ଏବେ ୧୨ତମ ସ୍ଥାନରେ ରହିଛି। ଏହି ସୂଚୀରେ ପଡୋଶୀ ପାକିସ୍ତାନ କି ବାଂଲାଦେଶ ଅଥବା ନେପାଳର ସ୍ଥାନ ନାହିଁ। ଏହି ସୂଚୀରେ ସ୍ଥାନୀତ ହେବା ପାଇଁ ଏହି ଦେଶମାନେ ଏପର୍ଯ୍ୟନ୍ତ ଯୋଗ୍ୟତା ହାସଲ କରିପାରି ନାହାନ୍ତି।  

ଏହି ସୂଚୀରେ ୮୭ ଶକ୍ତିଶାଳୀ ଦେଶଙ୍କୁ ସ୍ଥାନ ମିଳିଛି। କୌଣସି ଦେଶ ସୂଚୀରେ ସାମିଲ ହେବା ପାଇଁ କେତେକ କଥାକୁ ଗୁରୁତ୍ୱ ଦିଆଯାଏ ଯେପରି ବାଣିଜ୍ୟ ବ୍ୟବସାୟରେ ଦେଶର ସ୍ଥାନ କେଉଁଠି, ଅର୍ଥବ୍ୟବସ୍ଥା ଯୋଗୁ ଲୋକେ କିପରି ଉନ୍ନତ ଜୀବନ ବିତାଉଛନ୍ତି, ଦେଶର ସେନା କେତେ ଶକ୍ତିଶାଳୀ ଓ ଅନ୍ୟ ଦେଶଙ୍କ ସହ ସେହି ଦେଶର ସମ୍ପର୍କ କିପରି? ସେହି ଅନୁସାରେ ଦେଶମାନଙ୍କୁ ସୂଚୀର କ୍ରମାଙ୍କରେ ରଖା ଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.