ଆମେରିକାରେ ଦାନା ବାନ୍ଧୁଛି ମାନ୍ଦାବସ୍ଥା, ଭାରତୀୟ ଆଇଟି ଶିଳ୍ପ ଉପରେ ପଡିପାରେ ପ୍ରଭାବ

Published By : Prameya-News7 Bureau | July 26, 2022 IST

ନୂଆଦିଲ୍ଲୀ ୨୬/୦୭:  ଆମେରିକାରେ ଏକ ମାନ୍ଦାବସ୍ଥା ଦାନା ବାନ୍ଧିଲାଣି । ବିଶ୍ୱର ସର୍ବବୃହତ୍‌ ଅର୍ଥବ୍ୟବସ୍ଥା ୨୦୦୮ ଭଳି ଆଉ ଏକ ବଡ଼ ମାନ୍ଦାବସ୍ଥାର ସାମ୍ନା କରିପାରେ ବୋଲି ପୂର୍ବାନୁମାନ କରାଯାଉଛି । ଏଭଳି ସ୍ଥିତିରେ ଭାରତୀୟ ଆଇଟି ଶିଳ୍ପ ପାଇଁ ବିପଦ ରହିଥିବା ଶିଳ୍ପ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି । କାରଣ ଭାରତୀୟ ଆଇଟି ସେବାର ଏକ ବଡ଼ ଉପଭୋକ୍ତା ହେଉଛି ଆମେରିକା । ସେଠାରେ ମାନ୍ଦାବସ୍ଥା ଆସିଲେ ଭାରତୀୟ କମ୍ପାନିଗୁଡ଼ିକର ବଡ଼ ବଡ଼ ଆଇଟି ଅର୍ଡରଗୁଡ଼ିକ ପ୍ରଭାବିତ ହେବା ଆଶଙ୍କା ରହିଛି ।

କିନ୍ତୁ ଏସବୁ ମଧ୍ୟରେ ଭାରତୀୟ ଆଇଟି କମ୍ପାନିଗୁଡ଼ିକ କିନ୍ତୁ ଭଲ ଅଭିବୃଦ୍ଧି ନେଇ ଆଶାବାଦୀ ରହିଛନ୍ତି । ଦେଶର ଅନ୍ୟତମ ଅଗ୍ରଣୀ ଆଇଟି କମ୍ପାନି ଇନ୍‌ଫୋସିସ୍‌ ପ୍ରକାଶ କରିଛି ଯେ, ଏହାର ବାର୍ଷିକ ଆୟରେ ୧୪ରୁ ୧୬% ବୃଦ୍ଧି ଘଟିପାରେ । ୩ ମାସ ପୂର୍ବେ କମ୍ପାନି ଦ୍ୱାରା କରାଯାଇଥିବା ପୂର୍ବାନୁମାନଠାରୁ ଏହା ଉନ୍ନତ । ଏହି ଆକଳନରୁ ସ୍ପଷ୍ଟ ହେଉଛି ଯେ, ଭାରତୀୟ ଆଇଟି ଶିଳ୍ପ ଆମେରିକୀୟ ମାନ୍ଦାବସ୍ଥାକୁ ନେଇ ବିଚଳିତ ନାହାନ୍ତି । ଯଦି ଇନ୍‌ଫୋସିସ୍‌ ଏଭଳି ଆକଳନ କରୁଛି ତା’ହେଲେ ନିଶ୍ଚିତ ଭାବେ କମ୍ପାନି ନିକଟରେ ସେତିକି ମାତ୍ରାରେ ଅର୍ଡର ଉପଲବ୍ଧ ଥିବ, ଯାହା ଆଧାରରେ ଏହା ରାଜସ୍ୱ ଅଭିବୃଦ୍ଧି ଆକଳନକୁ ବଢ଼ାଇଛି ।

ଏକ ଖବର ଅନୁସାରେ, ଆମେରିକା ଏବଂ ୟୁରୋପୀୟ ଦେଶଗୁଡ଼ିକ ଏବେ ବି ଅଟୋମେଶନରେ ବୃହତ୍‌ ମାତ୍ରାରେ ନିବେଶ କରୁଛନ୍ତି । ଉଦ୍ଦେଶ୍ୟ ହେଉଛି ଉତ୍ପାଦ ବିକାଶ ବାବଦ ଖର୍ଚ୍ଚ କମାଇବା । ନୂଆ ପ୍ରଯୁକ୍ତିର ଚାହିଦା ପ୍ରାୟ ସମସ୍ତ ଶିଳ୍ପରେ ଅଛି । ସେ ବିନିର୍ମାଣ ହେଉ ଅବା ରିଟେଲ ସବୁଠି ଏହାର ଚାହିଦା । ଆଇଟି ଶିଳ୍ପର ସ୍ଥିତି ଭଲ ଥିବା ପ୍ରତୀତ ହେବାର ଏକ କାରଣ ହେଉଛି, ଭାରତର ଆଇଟି ହବ୍‌ ବେଙ୍ଗାଲୁରୁରେ ଅଫିସ୍‌ ରେଟ୍‌ରେ ୧୨% ବାର୍ଷିକ ବୃଦ୍ଧି ଦେଖାଦେଇଛି । ଯଦି କମ୍ପାନିଗୁଡ଼ିକ ଅଫିସ ପାଇଁ ଅଧିକ ଖର୍ଚ୍ଚ କରୁଛନ୍ତି ତା’ହେଲେ ଏହା ନିଶ୍ଚିତ ଯେ, ସେମାନଙ୍କ ନିକଟରେ ଏହାର ଭରଣା ପାଇଁ ଆୟ ବି ରହିଥିବ । ଅନ୍ୟପକ୍ଷରେ, ବିଶେଷଜ୍ଞମାନେ କିନ୍ତୁ ବିପରୀତ ଅନୁମାନ କରୁଛନ୍ତି । ଆମେରିକୀୟ ମାନ୍ଦାବସ୍ଥାରୁ ଭାରତୀୟ ଆଇଟି ଶିଳ୍ପ ବର୍ତ୍ତିବା ମୁସ୍କିଲ ବୋଲି ଏମାନେ କହିଛନ୍ତି ।ସେମାନଙ୍କ କହିବାନୁସାରେ, ଆମେରିକାରେ ମାନ୍ଦାବସ୍ଥା ନ ଆସିବା ହିଁ ଭାରତୀୟ ଆଇଟି ଶିଳ୍ପ ପାଇଁ ଉଚିତ ହେବ । ସେମାନଙ୍କୁ ସେଠାରୁ ଅର୍ଡର ମିଳିବା ଜାରି ରହିବା ଦରକାର । କାରଣ ଆମେରିକା ଭାରତୀୟ ଆଇଟି ସେବାର ସବୁଠାରୁ ବଡ଼ ଉପଭୋକ୍ତା ।

ବ୍ରୋକରେଜ୍‌ ହାଉସ୍‌ ନିର୍ମଳ ବାଙ୍ଗ୍‌ ସିକ୍ୟୁରିଟିଜ୍‌ ଅନୁସାରେ, କମୋଡିଟି ଏବଂ କର୍ମଚାରୀଙ୍କ ଦରମା ବୃଦ୍ଧି କାରଣରୁ କମ୍ପାନିଗୁଡ଼ିକର ଆୟ ଚାପ ମଧ୍ୟରେ ଅଛି । ଯୋଗାଣ ଶୃଙ୍ଖଳରେ ଆହ୍ୱାନ ଆସୁଛି । ଗ୍ରାହକ କମ୍‌ ଖର୍ଚ୍ଚ କରିବାକୁ ଚାହୁଁଛନ୍ତି । ସୁଧ ହାର ଉଚ୍ଚରେ ଅଛି ଏବଂ ବିକଶିତ ଦେଶଗୁଡ଼ିକରେ ଅଭିବୃଦ୍ଧି ହାର ଅନେକ ମାତ୍ରାରେ କମ୍‌ ରହିଛି । ସେହିଭଳି ମେଟା, ଆଲ୍‌ଫାବେଟ୍‌ ଭଳି କମ୍ପାନିଗୁଡ଼ିକ ନିଜ ନିଜର ମୂଲ୍ୟାୟନରେ ହ୍ରାସ ଅନୁମାନ କରୁଛନ୍ତି । ଭାରତର ନିଫ୍‌ଟି ଆଇଟି ସୂଚକାଙ୍କ ୨୦୨୨ରେ ୨୭% ତଳକୁ ଆସିଯାଇଛି । ବିଳମ୍ବରେ ହେଉ ପଛେ ଆମେରିକାର ମାନ୍ଦାବସ୍ଥା ଭାରତୀୟ ଆଇଟି ଶିଳ୍ପକୁ ପ୍ରଭାବିତ କରିବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

ଇନ୍‌ଫୋସିସ୍‌ ଏପ୍ରିଲ-ଜୁନ୍‌ ତ୍ରୟମାସିକ ଫଳାଫଳ ଜାରି କରିଛି । କମ୍ପାନି ବାର୍ଷିକ ଆଧାରରେ ୩% ଲାଭ ହାସଲ କରିଛି । ଏହାର ଆୟ ପାଖାପାଖି ୨୪% ବଢ଼ିଛି । କମ୍ପାନିର ଇବିଆଇଟିଡିଏ ମାର୍ଜିନ ୨୦% ରହିଛି, ଯାହା ପୂର୍ବ ବର୍ଷ ସମାନ ତ୍ରୟମାସ ତୁଳପାରେ ୩.୬% କମ୍‌ । ଅନ୍ୟପକ୍ଷରେ, ଇନ୍‌ଫୋସିସ୍‌ର ପ୍ରତିଦ୍ୱନ୍ଦ୍ୱୀ ୱିପ୍ରୋର ଇବିଆଇଟିଡିଏ ମାର୍ଜିନ ୨୦୧୮ ସେପ୍ଟେମ୍ବର ପରଠାରୁ ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.