ଓ୍ବାଶିଂଟନ ୧୫/୧୦: ଦୁଇ ଡୋଜ୍ ଟିକା ନେଇସାରିଥିବା ବିଦେଶୀ ଯାତ୍ରୀଙ୍କୁ ନଭେମ୍ବର ୮ରୁ ଆମେରିକାରେ ଏଣ୍ଟ୍ରି ମିଳିବ। ଶୁକ୍ରବାର ଏନେଇ ହ୍ବାଇଟ ହାଉସ୍ ପକ୍ଷରୁ ସୂଚନା ମିଳିଛି। ସମସ୍ତ ବିଦେଶୀ ଯାତ୍ରୀ ଯେଉଁମାନେ ଭ୍ୟାକସିନ୍ ନେଇଛନ୍ତି ସେମାନେ ନଭେମ୍ବର ୮ରୁ ଆମେରିକା ଯାଇପାରିବେ ।
ଏହା ପୂର୍ବରୁ ଆମେରିକା ପକ୍ଷରୁ କୁହାଯାଇଥିଲା ଯେ ଅଣ ଜରୁରୀ ଯାତ୍ରା ପାଇଁ ମଧ୍ୟ ଆମେରିକା ଦ୍ବାର ଖୋଲିବ। କାରଣ ୧୯ ମାସ ହେଲା ଯାତ୍ରା ଉପରେ ରୋକ ଜାରି ରହିଥିବା ବେଳେ ଏହାକୁ ସମାପ୍ତ କରିବାକୁ ବାଇଡେନ୍ ସରକାର ନିଷ୍ପତ୍ତି ନେଇଥିଲେ। ତେବେ ଆମେରିକା ଯିବାକୁ ଥିବା ସମସ୍ତ ଯାତ୍ରୀ ଟିକା ନେଇଥିବା ଜରୁରୀ।
ଅନ୍ୟପଟେ ନଭେମ୍ବର ଆରମ୍ଭରୁ ସ୍ଥଳ ସୀମା ଖୋଲାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଆମେରିକା-କାନାଡା- ମେକ୍ସିକୋ ମଧ୍ୟରେ ଗାଡ଼ି, ନୌକା ଯାତ୍ରା କରୋନା ମହାମାରୀ ଆରମ୍ଭ ହେବା ପାଖରୁ ବନ୍ଦ ରହିଛି। ତେବେ ଏହାକୁ ପୁଣିଥରେ ଆରମ୍ଭ କରିବାକୁ ଯୋଜନା ହୋଇଥିବା ବେଳେ ଟିକା ନେଇଥିବା ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ ।