ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ବିଲାବଲ ଭୁଟ୍ଟୋଙ୍କ ଆପତ୍ତିଜନକ ମନ୍ତବ୍ୟ ଉପରେ ବଢ଼ିଲା ବିବାଦ, ଆମେରିକା ରଖିଲା ପ୍ରତିକ୍ରିୟା
20/12/2022 at 6:29 PM

ନୂଆଦିଲ୍ଳୀ, ୨୦/୧୨: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ଅସଭ୍ୟ ଟିପ୍ପଣୀ ଉପରେ ଜାରି ରହିଛି ବିବାଦ। ଆଉ ଏହି ପ୍ରସଙ୍ଗରେ ଏବେ ଆମେରିକା ମଧ୍ୟ ଏହାର ପ୍ରତକ୍ରିୟା ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାବଲ ଭୁଟ୍ଟୋଙ୍କ ଅସଭ୍ୟ ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖି ଉଭୟ ଦେଶ ମଧ୍ୟରେ ଭଲ ସମ୍ପର୍କ ରଖିବା ନେଇ କହିଛି। ଆମେରିକା କହିଛି ଯେ ଉଭୟ ଦେଶ ସହ ଆମେରିକାର ଭଲ ବୁଝାମଣା ରହିଛି ଏବଂ ଆମେ ଚାହୁଛୁ ଉଭୟ ଦେଶ ମଧ୍ୟରେ ଏଭଳି ବାକ୍ ଯୁଦ୍ଧ ନହେଉ।
ସୂଚନାଯୋଗ୍ୟ, ଆମେରିକା ବିଦେଶ ମନ୍ତ୍ରାଳୟ ମୁଖପାତ୍ର ନେଡ ପ୍ରାଇସ ସୋମବାର କହିଛନ୍ତି ଭାରତ ସହ ଆମର ବୈଶ୍ବିକ ବୁଝାମଣା ରହିଛି। ସେହିଭଳି ପାକିସ୍ତାନ ସହ ମଧ୍ୟ ଭଲ ବୁଝାମଣା ରହିଛି। କିନ୍ତୁ ଆମେ ଉଭୟ ଦେଶ ସହ ସମ୍ବନ୍ଧକୁ ପରସ୍ପର ସହ ଯୋଡ଼ି ଦେଖୁନାହୁଁ। ନେଡ କହିଛନ୍ତି ଯେ ଆମେରିକାର ସହଭାଗିତା ଲକ୍ଷ୍ୟକୁ ହାସଲ କରିବା ପାଇଁ ଭାରତ ଏବଂ ପାକିସ୍ତାନ ଉଭୟ ସହ ଆମେରିକାର ସମ୍ପର୍କ ଭଲ ହେବା ମଧ୍ୟ ଜରୁରୀ।
ସେ ଆହୁରି କହିଛନ୍ତି ଉଭୟ ଦେଶ ସହ ଆମେରିକାର ଭଲ ବୁଝାମଣା ରହିଛି ଏଥିପାଇଁ ଆମେରିକା ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ଚାହୁନାହୁଁ। ନେଡ ପ୍ରାଇସ କହିଛନ୍ତି ଯେ ଆମେ ଚାହୁଛୁ ଯେ ଉଭୟ ଦେଶ ମଧ୍ୟରେ ଏକ ରଚନାତ୍ମକ କଥାବାର୍ତ୍ତା ହେଉ ଯାହା ଉଭୟ ଦେଶ ପାଇଁ ଭଲ ହେବ। ଆମେରିକା ଉଭୟ ଦେଶର ସହଯୋଗ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ମଧ୍ୟ କହିଛନ୍ତି ନେଡ।