କରୋନା ଭାଇରସ୍ ବିସ୍ତାର କରିବା ଅଭିଯୋଗରେ ଚୀନ ବିରୋଧରେ ଆଇନ୍ ଅନୁସାରେ ଆମେରିକା ନେବ କଡ଼ା ପଦକ୍ଷେପ : କୋର୍ଟରେ ଦାୟର କଲା ମାମଲା

Published By : Prameya-News7 Bureau | April 23, 2020 IST

ନୂଆଦିଲ୍ଲୀ ୨୩/୪: ଆମେରିକା ଲଗାତାର ଚୀନ ବିରୋଧରେ କରୋନା ଭାଇରସ୍ ବିସ୍ତାର କରିବାର ଅଭିଯୋଗ ଆଣୁଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ ଲଗାତାର ଏହାକୁ ନେଇ ବୟାନ୍ ଦେଉଛନ୍ତି। ଏପରି କ୍ଷେତ୍ରରେ ଆମେରିକାର ଏକ ଅଦାଲତରେ କରୋନା ମୁଦ୍ଦାରେ ଚୀନ ବିରୋଧରେ ଆବେଦନ ଦାୟର କରାଯାଇଛି। ଆବେଦନରେ ଚୀନ ବିରୋଧରେ କରୋନା ଭାଇରସର ସୂଚନା ଲୁଚାଇବା,ଏହାର ସୂଚନା ରଖୁଥିବା ଲୋକଙ୍କୁ କ୍ଷତି ପହଞ୍ଚାଇବାର ଅଭିଯୋଗ ଲଗାଯାଇଛି।

ଆମେରିକାର ମିସୋରି ଜିଲ୍ଲା ଅଦାଲତରେ ଦାୟର ହୋଇଥିବା ଏହି ମାମଲା ଏଭଳି ପ୍ରଥମ ମାମଲା। ଆଟର୍ଣ୍ଣି ଜେନେରାଲ୍ ଏରିକ୍ ଚୀନର ସରକାରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏହା ବ୍ୟତୀତ ଚୀନର ଅଧିକାରୀ ଏବଂ ଅନ୍ୟ ସଂସ୍ଥାଗୁଡ଼ିକୁ ଏଥିରେ ପାର୍ଟି କରାଯାଇଛି। ଆବେଦନ ମଧ୍ୟରେ ମେଡିକାଲ୍ ରିସର୍ଚ୍ଚରେ ମିଛ କହିବା,ସୂଚନା ପ୍ରଦାନକାରୀଙ୍କୁ ଗିରଫ କରିବା,ଖରାପ ମେଡିକାଲ୍ ଉପକରଣ ଯୋଗାଇବା ଆଦି ଅଭିଯୋଗ ରହିଛି। ଚୀନ ବିରୋଧରେ ବିଶ୍ବରେ ମହାମାରୀର ପ୍ରସାର କରିବାର ଗୁରୁତର ଅଭିଯୋଗ ହୋଇଛି। ଏଥିରେ ଦାବି କରାଯାଇଛି ଯେ ୨୦୧୯ରେ ଚାଇନା ସରକାରଙ୍କୁ କରୋନା ବିଷୟରେ ଜଣା ଥିଲା କିନ୍ତୁ ସେମାନେ ଏବିଷୟରେ କାହାକୁ ସୂଚନା ଦେଇନଥିଲେ। ଯେଉଁମାନେ କହିବାକୁ ଯାଉଥିଲେ ସେମାନଙ୍କୁ ଗିରଫ କରାଯାଇଥିଲା।

ଜାନୁୟାରୀ ୧ତାରିଖରେ ପାଖାପାଖି ଅଢ଼େଇ ଲକ୍ଷ ଲୋକ ବୁହାନ ସହର ଛାଡ଼ିଥିଲେ ଯାହା ଜରିଆରେ ପ୍ରତ୍ୟେକ ଦେଶରେ ଏହି ଭାଇରସ୍ ପହଞ୍ଚିଥିଲା। କରୋନା ଯୋଗୁଁ ଆମେରିକାରେ ଏବେ ସୁଦ୍ଧା ୪୫ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇ ସାରିଥିବାବେଳେ ୮ଲକ୍ଷ ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି। ଭାଇରସ୍ ଯୋଗୁଁ ଆମେରିକାର ଅର୍ଥ ବ୍ୟବସ୍ଥାକୁ କ୍ଷତି ପହଞ୍ଚିଛି ଏବଂ ପାଖାପାଖି ୨କୋଟି ଲୋକ ନିଜ ଚାକିରୀ ହରାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.