ଗଣତନ୍ତ୍ର ଉପରେ ଭର୍ଚୁଆଲ୍ ସମ୍ମିଳନୀ : ଚୀନ୍‌-ତୁର୍କୀ ନାହିଁ ନିମନ୍ତ୍ରଣ, ତାଇଓ୍ୱାନ ସହ ୧୧୦ ଦେଶକୁ ଡାକିଲା ଆମେରିକା

Published By : Prameya-News7 Bureau | November 24, 2021 IST

ନୂଆଦିଲ୍ଲୀ ୨୪।୧୦: ଚୀନକୁ ଆମନ୍ତ୍ରଣ କଲାନି ଆମେରିକା । ଗଣତନ୍ତ୍ର ଉପରେ ଭର୍ଚୁଆଲ୍ ସମ୍ମିଳନୀକୁ ଡାକିଲାନି ଆମେରିକା । ଡିସେମ୍ବର ୯ ଏବଂ ୧୦ରେ ଅନୁଷ୍ଠିତ ହେବ ଏହି ସମ୍ମିଳନୀ । ସମ୍ମିଳନୀରେ ଯୋଗଦେବାକୁ ୧୧୦ଟି ରାଷ୍ଟ୍ରକୁ ଆମେରିକାର ନିମନ୍ତ୍ରଣ କରିଛି। ଏହି ତାଲିକାରେ ଚୀନ ନାଁ ନାହିଁ । ନାଟୋ ସଦସ୍ୟ ତୁର୍କୀକୁ ମଧ୍ୟ ମିଳିନି ନିମନ୍ତ୍ରଣ। ଚୀନର ପଡ଼ୋଶୀ ରାଷ୍ଟ୍ର ତାଇଓ୍ବାନକୁ କିନ୍ତୁ ନିମନ୍ତ୍ରଣ ମିଳିଛି ।

ତେବେ  ଗଣତନ୍ତ୍ର ଉପରେ ଭର୍ଚୁଆଲ୍ ସମ୍ମିଳନୀରେ ଯୋଗ ଦେବାକୁ ଥିବା ନିମନ୍ତ୍ରଣ ତାଲିକାରେ ଅଧିକାଂଶ ପାଶ୍ଚାତ୍ୟ ଦେଶ ଥିଲେ ମଧ୍ୟ ଇରାକ୍, ଭାରତ ଓ ପାକିସ୍ତାନ ଆଦି ରାଷ୍ଟ୍ରଙ୍କୁ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇଛି । ଯୁକ୍ତରାଷ୍ଟ୍ର ଆମେରିକାର ମୁଖ୍ୟ ଶତ୍ରୁ ଚୀନ୍ କୁ ଏହି ଶିଖର ସମ୍ମଳନୀକୁ ନିମନ୍ତ୍ରଣ ଦିଆଯାଇ ନାହିଁ, କିନ୍ତୁ ତାଇୱାନ୍ କୁ ଦିଆଯାଇଛି। ଯାହାଫଳରେ ବେଜିଙ୍ଗ୍ କ୍ରୋଧାନ୍ବିତ ହେବା ସ୍ବାଭାବିକ। ମଧ୍ୟ-ପ୍ରାଚ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରୁ କେବଳ ଇସ୍ରାଏଲ୍ ଏବଂ ଇରାକ୍ ଭର୍ଚୁଆଲ ସମ୍ମିଳନୀରେ ଅଂଶଗ୍ରହଣ କରିବେ।

ସେହିପରି ନିମନ୍ତ୍ରଣ ପାଇଥିବା ଆଫ୍ରିକୀୟ ଦେଶମାନଙ୍କ ମଧ୍ୟରେ ଅଛନ୍ତି ‘ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ’, ଦକ୍ଷିଣ ଆଫ୍ରିକା, ନାଇଜେରିଆ ଏବଂ ନାଇଜର୍ । ଇଜିପ୍ଟ , ସାଉଦୀ ଆରବ, ଜୋର୍ଡାନ୍ , କତାର୍ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ ଭଳି ଯୁକ୍ତରାଷ୍ଟ୍ର ଆମେରିକାର ପାରମ୍ପରିକ ମିତ୍ର ରାଷ୍ଟ୍ରମାନଙ୍କୁ ନିମନ୍ତ୍ରଣ କରାଯାଇନାହିଁ। ଅଧିନାୟକବାଦର ପ୍ରତିରୋଧ, ଦୁର୍ନୀତି ବିରୋଧରେ ସଂଗ୍ରାମ ଏବଂ ମାନବ ଅଧିକାର ପ୍ରତି ସମ୍ମାନର ପ୍ରସାର ଭଳି ତିନୋଟି ବିଷୟବସ୍ତୁକୁ ଆଧାର କରି ଉକ୍ତ ସମ୍ମିଳନୀ ଡକାଯିବ ବୋଲି ଅଗଷ୍ଟ ମାସରେ ହ୍ବାଇଟ୍ ହାଉସ୍ କହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.