ଆମେରିକାରେ ବମ୍ ସାଇକ୍ଲୋନ୍, ବରଫ ଘୂର୍ଣ୍ଣିଝଡ଼ ଯୋଗୁ ନ୍ୟୁୟର୍କରେ ଜରୁରୀ ପରିସ୍ଥିତି ଘୋଷଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

Published By : Prameya-News7 Bureau | December 24, 2022 IST

ନ୍ୟୁୟର୍କ: ଆମେରିକାରେ ବମ୍ ସାଇକ୍ଲୋନ୍ ବା ବରଫ ଝଡ଼ । ଅଧିକାଂଶ ରାଜ୍ୟରେ ତଳମୁହାଁ ହୋଇଛି ପାରଦ । ଯୁକ୍ତରାଷ୍ଟ୍ର ଆମେରିକାରେ ରେକର୍ଡ ସୃଷ୍ଟି କରିଛି ତାପମାତ୍ର । ସର୍ବନିମ୍ନ ତାପମାତ୍ରା ମାଇନସ୍ ୪୫ ଡିଗ୍ରୀ ଉପରେ ରହିଛି। ବରଫ ଝଡ଼କୁ  ଦୃଷ୍ଟିରେ ରଖି ନ୍ୟୁୟର୍କରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।

ବରଫ ଝଡ଼ ଯୋଗୁ ଦେଶରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଖ୍ରୀଷ୍ଟମାସ୍ ଛୁଟିରେ ଲୋକ ଖୁସି ମନାଇବାକୁ ଚିନ୍ତା କରିଥିଲେ। ହେଲେ ବମ୍ ସାଇକ୍ଲୋନ୍ ସବୁ ଫିକା କରି ଦେଇଛି । ତାପମାତ୍ରା ହ୍ରାସ ଯୋଗୁ ଘର ଭିତରେ ରହିବାକୁ ଲୋକେ ବାଧ୍ୟ ହୋଇଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାରେ ପାରଦ ନିମ୍ନଗାମୀ ହୋଇଛି । ଅଧିକାଂଶ ରାଜ୍ୟରେ ପାରା ମାଇନସ୍ ୪୫ ଡିଗ୍ରୀ ରହିଛି । ମିଡିଆ ରିପୋର୍ଟ ଅନୁଯାୟୀ, ବରଫ ଝଡ଼ ଯୋଗୁ ବଡ଼ ବଡ଼ ଗଛ, ବିଜୁଳି ଖୁଣ୍ଟ ଉପୁଡ଼ି ଯାଇଛି । ୧୪ ଲକ୍ଷ ଘରେ ବିଜୁଳି ସରବରାହ ବିଚ୍ଛିନ୍ନ ହୋଇଛି ।

ବିଶେଷ କରି ପଶ୍ଚିମ ରାଜ୍ୟ ଗୁଡ଼ିକରେ ବମ୍ ସାଇକ୍ଲୋନ ଦେଖିବାକୁ ମିଳିଛି। ପଶ୍ଚିମ ରାଜ୍ୟ ଗୁଡ଼ିକରେ ତାପମାତ୍ରା ସର୍ବନିମ୍ନ ସ୍ତରରେ ରହିଛି । ତାପମାତ୍ରା ହ୍ରାସ ରେକର୍ଡ ସୃଷ୍ଟି କରିଛି । ନ୍ୟାସନାଲ ଓ୍ବେଦର ସର୍ଭିସର ରିପୋର୍ଟ ଅନୁଯାୟୀ, ୫ମିନିଟରୁ କମ୍ ସମୟ ମଧ୍ୟରେ ତାପମାତ୍ରା ଫ୍ରାଷ୍ଟବ୍ରାଇଡ୍ ସୃଷ୍ଟି କରୁଛି । ଏହା ଦ୍ବାରା ମଣିଷ ଖୋଲାରେ ବୁଲିଲେ ପ୍ରବଳ ଥଣ୍ଡା କାରଣକୁ ଚର୍ମ ଡେଡ୍ ହୋଇଯିବାର ଆଶଙ୍କା ରହିଛି । ଖରାପ ଜଳବାୟୁ ଯୋଗୁ ନ୍ୟୁୟର୍କରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ପ୍ରାୟ ୩ହଜାରରୁ ଅଧିକ ବିମାନ ଉଡ଼ାଣକୁ ରଦ୍ଦ କରାଯାଇଛି । ବମ୍ ସାଇକ୍ଲୋନ ଯୋଗୁ କେବଳ ଉତ୍ତର କୈରୋଲିନାରେ ୧ଲକ୍ଷ ୮୧ହଜାର ଘରେ ବିଜୁଳି ସେବା ବନ୍ଦ ହୋଇଛି ।     

ସ୍କାଇ ନ୍ୟୁଜର ରିପୋର୍ଟ ମୁତାବକ, ଶୁକ୍ରବାର ବରଫ ଘୂର୍ଣ୍ଣିଝଡ଼ ଯୋଗୁ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଏହା ପୂର୍ବରୁ ୯ଜଣଙ୍କ ମୃତ୍ଯୁ ହୋଇଥିଲା । ୨୦ କୋଟିରୁ ଅଧିକ ଲୋକ ଆଲର୍ଟରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.