ଆମେରିକା ବରଫ ଝଡ଼ରେ ବଢ଼ୁଛି ମୃତ୍ୟୁ ସଂଖ୍ୟା, ଭୀଷଣ ଥଣ୍ଡାରେ ୩୧ରୁ ଅଧିକ ମୃତ
26/12/2022 at 8:47 AM

ନ୍ୟୁୟର୍କ: ଆମେରିକାରେ ଭୟଙ୍କର ହେଉଛି ବମ୍ ସାଇକ୍ଲୋନ୍ । ଭୀଷଣ ବରଫପାତ ଯୋଗୁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ବରଫ ଝଡ଼ରେ ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୩୧ଜଣଙ୍କ ମୃତ୍ୟୁ ହୋଇଛି । ପ୍ରବଳ ଥଣ୍ଡାରେ ଜୁଝି ହେଉଛନ୍ତି ଲୋକ । ବରଫ ଝଡ଼ ଯୋଗୁ ପ୍ରାୟ ୨ଲକ୍ଷକୁ ଅଧିକ ପ୍ରଭାବିତ ହୋଇଛନ୍ତି ।
ବିଶେଷ କରି ପୂର୍ବ ଆମେରିକାର ଅଧିକାଂଶ ଅଞ୍ଚଳରେ ବରଫ ଝଡ଼ ଜାରି ରହିଛି । ପ୍ରବଳ ବରଫପାତରେ ଫିକା ପଡ଼ିଛି ଖ୍ରୀଷ୍ଟମାସ୍ । ରାସ୍ତାରେ ଉପରେ ବରଫର ପାହାଡ଼ ସୃଷ୍ଟି ହୋଇଛି । ବିଲ୍ଡିଂ, ଗଛ, ବିଦ୍ୟୁତ ଖୁଣ୍ଟ ଆଦି ବିଭିନ୍ନ ସ୍ଥାନରେ ବରଫ ଜମି ରହିଛି । ଫଳରେ ଲୋକଙ୍କ ଘରୁ ବାହାରି ମୁସ୍କିଲ ହେଉଛି । ପଶ୍ଚିମ ନ୍ୟୁୟର୍କ ସିଟି ବିଶେଷ ଭାବେ ପ୍ରଭାବିତ ହୋଇଛି । କୁହୁଡି ଯୋଗୁ ଦୁର୍ଘଟଣା ଘଟୁଥିବା ସ୍ଥାନ ମାନଙ୍କରେ ଉଦ୍ଧାରକାରୀ ଦଳ ପହଞ୍ଚିବା ସମ୍ଭବ ହେଉନାହିଁ । ଭୟଙ୍କର ବରଫ ଝଡ଼ରେ ମୃତ୍ୟୁ ସଂଖ୍ୟା ବଢିବାରେ ଲଗିଛି ।
ନ୍ୟୁଜ୍ ଏଜେନ୍ସି ଏଏଫପିର ସୂଚନା ମୁତାବକ, ନ୍ୟୁୟର୍କରେ ପ୍ରଶାସନ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି । ପ୍ରବଳ ଥଣ୍ଡାରେ ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ରାସ୍ତା ପାର୍ଶ୍ବରେ ବରଫର ପାହାଡ଼ ସୃଷ୍ଟି ହୋଇଛି । ଏଥିରେ ୨ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଲକ୍ଷାଧିକ ଲୋକଙ୍କ ଘରେ ବିଦ୍ୟୁତ ବିଚ୍ଛିନ୍ନ ହୋଇଛି । ଆମେରିକାର ୯ଟି ରାଜ୍ୟରେ ବମ୍ ସାଇକ୍ଲୋନ ଯୋଗୁ ୩୧ଜଣଙ୍କ ମୃତ୍ୟୁ ହୋଇଛି । ଏଥିମଧ୍ୟରୁ କୋଲୋରାଡୋରେ ୪ଜଣ ପ୍ରାଣ ହରାଇଥିବାବେଳେ ନ୍ୟୁୟର୍କରେ ୧୨ଜଣ ଏବଂ ଅନ୍ୟ ପାନ୍ତରୁ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ରିପୋର୍ଟ ପ୍ରକାଶ ପାଇଛି ।