ଭାରସାମ୍ୟ ହରାଇ ଓଲଟିଲା ଆମ୍ବୁଲାନ୍ସ, ଗାଡିରେ ଥିଲେ ୩ଜଣ କରୋନା ସଂକ୍ରମିତ

Published By : Prameya-News7 Bureau | May 01, 2020 IST

କଟକ ୦୧।୦୫: କରୋନା ସଂକ୍ରମିତଙ୍କୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଗୁରୁବାର ରାତିରେ କଟକ ଓଏମ୍‌ପି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିବାରୁ ସେଥିରେ ଥିବା ୩ ଜଣ ସଂକ୍ରମିତ ସାମାନ୍ୟ ଆହତ ହୋଇଥିଲେ । ପୋଲିସ ସେମାନଙ୍କୁ ଉଦ୍ଧାର କରି ଅନ୍ୟ ଏକ ଆମ୍ବୁଲାନ୍ସରେ ଭୁବନେଶ୍ୱର ପଠାଇଛି ।

ସୂଚନାଯୋଗ୍ୟ ଯେ, ଗୁରୁବାର ଯାଜପୁର ଜିଲ୍ଲାରେ ନୂଆ ୧୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ପ୍ରଶାସନର ନିଷ୍ପତ୍ତି ଅନୁସାରେ ଉକ୍ତ ରୋଗୀମାନଙ୍କର ଚିକିତ୍ସା ଭୁବନେଶ୍ୱର ସ୍ଥିତ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲରେ ହେବ । ତେଣୁ ଉକ୍ତ ୧୫ଜଣ ରୋଗୀଙ୍କୁ ୫ଟି ଆମ୍ବୁଲାନ୍ସରେ ସନ୍ଧ୍ୟାରେ ଭୁବନେଶ୍ୱର ନିଆଯାଉଥିଲା । ରାତି ପ୍ରାୟ ୯ଟା ହେବ ଗୋଟିଏ ଆମ୍ବୁଲାନ୍ସ ଓଏମ୍‌ପି ଓଭରବ୍ରିଜ୍‌ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଚାଉଳିଆଗଞ୍ଜ ପୋଲିସ ଉକ୍ତ ଆମ୍ବୁଲାନ୍ସରୁ ଜଣେ ପୁରୁଷ, ଜଣେ ମହିଳା ଓ ଜଣେ ଶିଶୁଙ୍କୁ ଉଦ୍ଧାର କରିଥିଲା । ପଛରେ ଆସୁଥିବା ଅନ୍ୟ ଆମ୍ବୁଲାନ୍ସରେ ଏହି ୩ ଜଣଙ୍କୁ ଭୁବନେଶ୍ୱର ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.