ପଶ୍ଚିବଙ୍ଗରେ ଲଜ୍ଜିତ ହେଲା ମାନବିକତା, ମନାକଲା ଆମ୍ବୁଲାନ୍ସ, ମା’ର ମୃତଦେହକୁ ୫୦ କିମି କାନ୍ଧରେ ବୋହିଲା ପୁଅ

Published By : Prameya-News7 Bureau | January 05, 2023 IST

ନୂଆଦିଲ୍ଳୀ, ୦୫/୦୧: ମୃତଦେହ ନେବାକୁ ମନାକଲା ଆମ୍ବୁଲାନ୍ସ। ମା’ର ମୃତଦେହକୁ କାନ୍ଧରେ ବୋହିଲା ପୁଅ। ମା’ର ମୃତଦେହକୁ ଧରି ୫୦ କିମି ଚାଲିଚାଲି ଘରକୁ ଫେରିଲା ପୁଅ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ଜଳପାଇଗୁଡ଼ି ଜିଲ୍ଳାରେ। କାରଣ ହେଉଛି ମୃତଦେହ ନେବାକୁ ସାଧାରଣ ଦେୟଠାରୁ ଦୁଇଗଣା ଅଧିକ ଦେୟ ମାଗିଥିଲା ଆମ୍ବୁଲାନ୍ସ। ଆଉ ଟଙ୍କା ନଦେଲେ ଆମ୍ବୁଲାନ୍ସ ନେଇପାରିବେ ନାହିଁ କହିଥିଲେ। ଫଳରେ କାନ୍ଧରେ ନିଜ ମା’ର ମୃତଦେହ ବୋହିଥିଲା ପୁଅ।

ସୂଚନା ଅନୁଯାୟୀ, ଜଳପାଇଗୁଡ଼ି କ୍ରାନ୍ତି ଗ୍ରାମର ଜୟ କ୍ରିଷ୍ଣନ ନିଜ ମା’ଙ୍କୁ ଚିକିତ୍ସା ପାଇଁ କେ କେ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ହସ୍ପିଟାଲ ତରଫରୁ ମୃତଦେହ ନେବାକୁ କୌଣସି ବ୍ୟବସ୍ଥା କରାଯାଇନଥିଲା। ଏହା ପରେ ଶବକୁ ସେ ଏକ ବେସରକାରୀ ଆମ୍ବୁଲାନ୍ସରେ ନେବାକୁ ନିଷ୍ପତ୍ତି ନେଇଥିଲେ ଜୟ। ହେଲେ ଆମ୍ବୁଲାନ୍ସ ମୃତଦେହ ନେବା ପାଇଁ ୯୦୦ ଟଙ୍କା ବଦଳରେ ୩୦୦୦ ଟଙ୍କା ମାଗିଥିଲେ।

ଆଉ ଶେଷରେ ବାଧ୍ୟ ହୋଇ କ୍ରିଷ୍ଣନ୍ ନିଜ ବାପାଙ୍କ ସହ ହସ୍ପିଟାଲରୁ ମୃତଦେହ କାନ୍ଧରେ ବୋହି ପ୍ରାୟ ୫୦ କିମି ଦୂର ଚାଲି ଚାଲି ଘରକୁ ଫେରିଥିଲେ। ଆଶ୍ଚର୍ଯ୍ୟର କଥା ସରକାରଙ୍କ ତରଫରୁ କୌଣସି ସାହାଯ୍ୟ ମିଳିନଥିଲା। ଏନେଇ ଜୟ କହିଥିଲେ ଆମ୍ବୁଲାନ୍ସ ଡ୍ରାଇଭର ତାଙ୍କୁ ୩ ହଜାର ଟଙ୍କା ଦାବି କରିଥିଲେ। ଫଳରେ ଏଭଳି ଭାବରେ କାନ୍ଧରେ ବୋହି ନେବାକୁ ପଡ଼ିଲା। ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିବାବେଳେ ଏବଂ ହସ୍ପିଟାଲର ଅବହେଳା ନେଇ ପ୍ରଶ୍ନ ଉଠିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.