ଚୀନରେ ସୋଲୋମନ ଦ୍ୱୀପ ରାଷ୍ଟ୍ରଦୂତଙ୍କ ଆକସ୍ମିକ ମୃତ୍ୟୁ, ୨ ବର୍ଷ ୫ ବିଦେଶୀ ରାଷ୍ଟ୍ରଦୂତଙ୍କ ଗଲାଣି ଜୀବନ

Published By : Prameya-News7 Bureau | December 24, 2022 IST

ନୂଆଦିଲ୍ଲୀ: ଚୀନରେ ସୋଲୋମନ ଦ୍ୱୀପର ରାଷ୍ଟ୍ରଦୂତ ଜନ ମୋଫତ ଫୁଗୁଇଙ୍କ ୬୧ ବର୍ଷ ବୟସରେ ନିଧନ ହୋଇଛି । ଶୁକ୍ରବାର ସୋଲୋମନର ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଚୀନରେ ଏହା  ପଞ୍ଚମ ମାମଲା ଯେତେବେଳେ କୌଣସି ବିଦେଶୀ ରାଷ୍ଟ୍ରଦୂତଙ୍କ ମୃତ୍ୟୁ ହୋଇଛି । ଗତ ଦୁଇ ବର୍ଷରେ ରାଜଧାନୀ ବେଜିଂରେ ବର୍ତ୍ତମାନ ସୁଦ୍ଧା ପାଞ୍ଚ ବିଦେଶୀ ରାଷ୍ଟ୍ରଦୂତଙ୍କ ଜୀବନ ଯାଇସାରିଛି । ଗୁରୁବାର ଫୁଗୁଇଙ୍କ ପରଲୋକ ହୋଇଥିବା ବେଳେ ମୃତ୍ୟୁ ପଛର କାରଣ କିଛି ସ୍ପଷ୍ଟ କରାଯାଇ ନାହିଁ ।

ରାଜନୈତିକ ବିଶେଷତଜ୍ଞଙ୍କ କହିବା ଅନୁସାରେ ଫୁଗୁଇଙ୍କ ହଠାତ ନିଧନ ପରେ ପାଞ୍ଚ ବର୍ଷ ତଳର ଦ୍ୱିପାକ୍ଷିକ ବୁଝାମଣା ଉପରେ କୌଣସି ପ୍ରଭାବ ପଡିବ ନାହିଁ, ଯାହାକୁ ନେଇ ଅଷ୍ଟ୍ରେଲିଆ ଏବଂ ଆମେରିକା ବେଶ ଚିନ୍ତିତ ଅଛନ୍ତି ।

ଫୁଗୁଇଙ୍କ ପୂର୍ବରୁ ୟୁକ୍ରେନ ରାଷ୍ଟ୍ରଦୂତ ସେର୍ହି କାମ୍ୟଶେବଙ୍କ ୨୦୨୧ ଫେବ୍ରୁଆରୀରେ ମୃତ୍ୟୁ ହୋଇଥିଲା । ସେହିପରି ୨୦୨୧ ସେପ୍ଟେମ୍ୱରରେ ଜର୍ମାନୀର ରାଷ୍ଟ୍ରଦୂତ ଜନ ହେକେଙ୍କ ପରଲୋକ ହୋଇଥିଲା । ରାଷ୍ଟ୍ରଦୂତ ଭାବେ ପଦ ସମ୍ଭାଳିବାର କେବଳ ଦୁଇ ସପ୍ତାହ ଭିତରେ ତାଙ୍କ ନିଧନ ହୋଇଥିଲା । ୨୦୨୨ ଏପ୍ରିଲରେ ଫିଲିପିନ ସାମ୍ୱାଦିକରୁ ରାଷ୍ଟ୍ରଦୂତ ହୋଇଥିବା ୭୪ ବର୍ଷୀୟ ଜୋଶ ସେଣ୍ଟିୟୋଗା ଚିଟୋ ଷ୍ଟା ରୋମାନଙ୍କ କ୍ୱାରାଣ୍ଟାଇନ ସମୟରେ ମୃତ୍ୟୁ ହୋଇଥିଲା । ଏହାପରେ ଅଗଷ୍ଟରେ ମିଆଁମାର ମିଶନ ମୁଖ୍ୟ ୟୁ ମାଟୋ ଥାଣ୍ଟ ପେ ନେଙ୍କ ସନ୍ଦେହ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.