ଆଉ ୯ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିବ amazon, ନଭେମ୍ବରରେ ହୋଇଥିଲା ୧୮ ହଜାର ଛଟେଇ
20/03/2023 at 9:31 PM

ନୂଆଦିଲ୍ଲୀ, ୨୦/୦୩: ପୁଣି ଆମାଜନ୍ ହଜାର ହଜାର କର୍ମଚାରୀଙ୍କ ଛଟେଇ କରିବ ଆମାଜନ।ଇ-କମର୍ସ କମ୍ପାନି ଆମାଜନ୍ ପୁଣି ଥରେ ହଜାର ହଜାର କର୍ମଚାରୀଙ୍କ ଛଟେଇ କରିବା ନେଇ ଯୋଜନା କରୁଛି। ଏନେଇ ସୋମବାର ଆମାଜନ ସିଇଓ ଆଣ୍ଡି ଜେସି ସୂଚନା ଦେଇ, ଆଗାମୀ ସପ୍ତାହରେ କମ୍ପାନି ୯ ହଜାର କର୍ମଚାରୀଙ୍କ ଛଟେଇ କରିବାକୁ ଯୋଜନା କରୁଥିବା କହିଛନ୍ତି। ସମ୍ଭାବିତ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି କମ୍ପାନି ଏହି ପଦକ୍ଷେପ ନେଇଛି।
ସିଇଓ ଆଣ୍ଡି ଜେସୀ କହିଛନ୍ତି ଯେ କମ୍ପାନୀ ଗତ କିଛି ବର୍ଷରେ ପର୍ଯ୍ୟାପ୍ତ ନିଯୁକ୍ତି ଦେଇଛି କିନ୍ତୁ ଅନିଶ୍ଚିତ ଅର୍ଥବ୍ୟବସ୍ଥା ଯୋଗୁଁ ଖର୍ଚ୍ଚ ଏବଂ କର୍ମଚାରୀଙ୍କ ସଂଖ୍ୟାରେ କାଟ୍ କରିବାରେ ବାଧ୍ୟ ହୋଇଛି। ତେବେ ଏହା କମ୍ପାନି ଇତିହାସରେ ଦ୍ବିତୀୟ ସବୁଠୁ ବଡ଼ ଛଟେଇ ବୋଲି କହିଛନ୍ତି। ଏହାପୂର୍ବରୁ ମଧ୍ୟ କମ୍ପାନି ଗତ ବର୍ଷ ନଭେମ୍ବରରେ ୧୮ ହଜାର କର୍ମଚାରୀଙ୍କ ଛଟେଇ ନେଇ ଘୋଷଣା କରିଥିଲା।
ସୂଚନା ଅନୁଯାୟୀ, ବୈଶ୍ବିକ ମାନ୍ଦାବସ୍ଥାକୁ ଲକ୍ଷ୍ୟରେ ରଖି ମାଇକ୍ରୋସଫ୍ଟ, ଗୁଗଲ, ମେଟା ଭଳି ବଡ଼ ବଡ଼ ଟେକ୍ ଦିଗ୍ଗଜ କମ୍ପାନି ହଜାର ହଜାର କର୍ମଚାରୀଙ୍କ ଛଟେଇ କରୁଛନ୍ତି। ଫେସବୁକ୍ ପ୍ୟାରେଣ୍ଟ କମ୍ପାନୀ ମେଟା ପ୍ରଥମ ପର୍ଯ୍ୟାୟରେ ୧୧ ହଜାର କର୍ମୀଙ୍କ ଛଟେଇ କରିଥିଲା ଏବଂ ଏହା ପରେ ଦ୍ବିତୀୟ ପର୍ଯ୍ୟାୟରେ ୧୦ ହଜାର କର୍ମଚାରୀଙ୍କ ଛଟେଇ କରିବା ନେଇ ମଧ୍ୟ ଘୋଷଣା କରିଛି।