ଭାରତରେ ଆମାଜନର ଛଟେଇ ଆରମ୍ଭ: କର୍ମଚାରୀଙ୍କୁ ମେଲ୍‌ ପଠାଇଲା କମ୍ପାନୀ

Published By : Prameya-News7 Bureau | January 12, 2023 IST

ନୂଆଦିଲ୍ଲୀ: ଆମାଜନରେ ଛଟେଇ ନେଇ ନିକଟରେ ସର୍ବସାଧାରଣରେ ଘୋଷଣା କରିଥିଲା କମ୍ପାନୀ। ସିଇଓ ଆଣ୍ଡି ଜ୍ୟାସୀ ଏନେଇ ଟ୍ୱିଟ୍ କରି ସୂଚନା ଦେଇଥିଲେ। ବିଶ୍ୱବ୍ୟାପୀ ୧୮ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବ ବୋଲି ସେ ଘୋଷଣା କରିଥିଲେ।

ସେଥିମଧ୍ୟରୁ ଭାରତରୁ ଏକ ହଜାର କର୍ମଚାରୀଙ୍କ ଛଟେଇ ହେବ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ବିଭିନ୍ନ ବିଭାଗରୁ କର୍ମଚାରୀଙ୍କୁ ଛଟେଇ କରାଯିବ। ଆଉ ଏହି ଧାରା ଭାରତରେ ଆରମ୍ଭ ହୋଇଯାଇଛି। କର୍ମଚାରୀ ଛଟେଇ ନେଇ ସୋସିଆଲ୍ ମିଡିଆରୁ ସୂଚନା ମିଳିଛି। ଛଟେଇ ହୋଇଥିବା କର୍ମଚାରୀମାନେ ଲିଙ୍କ୍‌ଡିନ ଓ ଟ୍ୱିଟରରେ ଏହା ଶେୟାର କରିଛନ୍ତି।

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ପ୍ରକାଶିତ ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁ, ଗୁରୁଗ୍ରାମ ଆଦିରେ ଥିବା କମ୍ପାନୀର କର୍ମଚାରୀଙ୍କ ଛଟେଇ କରାଯାଇଛି। ଏଥିରେ ଉଭୟ ନବନିଯୁକ୍ତ ଓ ବରିଷ୍ଠଙ୍କୁ ନିଲମ୍ବିତ କରାଯାଇଛି। ଏନେଇ କମ୍ପାନୀ କର୍ମଚାରୀଙ୍କୁ ଇ-ମେଲ୍ ଦେଇ ଅବଗତ କରିଛି। ତା ସହିତ ୫ ମାସ ପାଇଁ ନିଲମ୍ବିତ ବେତନ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛି କମ୍ପାନୀ। ପୂରା ଘଟଣା ସମ୍ପର୍କରେ ଉପରିସ୍ଥ ଅଫିସରଙ୍କ ସହ ଆଲୋଚନା କରି ବୁଝିନେବାକୁ କର୍ମଚାରୀଙ୍କୁ ଦିଆଯାଇଥିବା ମେଲ୍‌ରେ କୁହାଯାଇଛି।

ତେବେ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରିବା ସହିତ ନିଲମ୍ବନ ଦରମା ଦେବାକୁ ପ୍ରଶଂସା କରାଯାଇଛି। କାରଣ ବିଶ୍ୱର ଶ୍ରେଷ୍ଠ ଧନୀ ତାଲିକାରେ ଥାଇବି ଇଲନ ମସ୍କ କିନ୍ତୁ କର୍ମଚାରୀଙ୍କ ପାଇଁ ସେମିତି କିଛି ପଦକ୍ଷେପ ନେଇ ନଥିଲେ। କ୍ଷତିପୂରଣ ତ ଦୂରର କଥା ଭିଡିଓ କନଫରେନ୍ସିଂରେ ସିଧା ଚାକିରିରୁ ଛଟେଇ କରିଦେଇଥିଲେ। କେତକଙ୍କୁ ଯଦିବା କ୍ଷତିପୂରଣ ଦେବାକୁ କହିଥିଲେ ହେଲେ ତାହା ଏପର୍ଯ୍ୟନ୍ତ ମିଳିପାରିଲା ନାହିଁ ବୋଲି କର୍ମଚାରୀ ଅଭିଯୋଗ କରିଛନ୍ତି। ଭାରତରେ କମ୍ପାନୀ ଛଟେଇ ଆରମ୍ଭ କରିଛି। ଏହି ଧାରା କିଛି ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.