ଆମାଜନ୍ର ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା, ମର୍ଡର ପଛରେ ‘ଡନ୍’ ହେବାର ଲକ୍ଷ୍ୟ !
30/08/2023 at 8:05 PM

ଗୁଳି କରି ଆମାଜନ୍ର ମ୍ୟାନେଜରଙ୍କୁ ହତ୍ୟା। ଇ-କମର୍ସ ଜାଏଣ୍ଟ ଆମାଜନରେ କାର୍ଯ୍ୟଋତ ସିନିୟର ମ୍ୟାନେଜରଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାଟି ଘଟିଛି ଭଜନପୁରାର ସୁବାସ ବିହାର ଅଞ୍ଚଳରେ। ମୃତକଙ୍କ ନାଁ ହରପ୍ରିତ ଗିଲ୍ ବୋଲି ଜଣାପଡ଼ିଛି। ମୃତକ ଜଣକ ତାଙ୍କ ମାମୁଙ୍କ ନିକଟରେ ଛିଡ଼ା ହୋଇଥିବା ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ।
ମୃତକଙ୍କ ମାମୁ ପୋଲିସକୁ ଦେଇଥିବା ବୟାନ ଅନୁସାରେ ହରପ୍ରିତ ଗିଲ ଘରୁ ବାହାରକୁ ଯାଇଥିଲେ। ୧୦ ମିନିଟ୍ରେ ଫେରି ଆସିବେ ବୋଲି ଘରଲୋକଙ୍କୁ କହିଥିଲେ। କିନ୍ତୁ ୫ ଦୁର୍ବୃତ୍ତ ଆସି ହରପ୍ରିତଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜାଗପ୍ରବେଶ ଚନ୍ଦ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତକଙ୍କ ମାମୁଁଙ୍କ ଅବସ୍ଥା ଗୁରୁତର ରହିଛି।
PTIକୁ ସୂଚନା ଦେଇ ଉତ୍ତରପୂର୍ବାଞ୍ଚଳ ଡିଏସ୍ପି କହିଛନ୍ତି ଯେ ହରପ୍ରିତଙ୍କ ଡାହାଣ ପଟ ମୁଣ୍ଡରେ ଗୁଳି ବାଜିଥିଲା। ମୃତକଙ୍କ ମାମୁ ଭଜାନପୁରା ଅଞ୍ଚଳର ବାସିନ୍ଦା। ତାଙ୍କୁ ମଧ୍ୟ ଗୁଳିମାଡ଼ କରାଯାଇଥିଲା। ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦୁଇଜଣ ଯାକ ଗୋଟିଏ ବାଇକରେ ଯିବାବେଳେ ଆକ୍ରମଣ ହୋଇଥିଲା। ପୋଲିସ ସିସିଟିଭି ଯାଞ୍ଚ କରିବା ସହ ଏଥିରେ ଗୋଟିଏ ଗ୍ୟାଙ୍ଗ୍ର ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରିଛି। ଗୁଳିକାଣ୍ଡ ପଛର ନିଦ୍ଦିଷ୍ଟ କାରଣ ଜଣାପଡ଼ିନାହିଁ।
ଏହି ହତ୍ୟାକାଣ୍ଡକୁ ନେଇ ପୋଲିସ ଆଉ ଏକ ଖୁଲାସା କରିଛି। ଡନ୍ ହେବା ଲକ୍ଷ୍ୟରେ ଗୋଟିଏ ଗ୍ରୁପ୍ ଆତଙ୍କ ସୃଷ୍ଟି କରିଛି। ସେମାନେ ଇନଷ୍ଟାଗ୍ରାମରେ ବନ୍ଧୁକ ଓ ମାରଣାସ୍ତ୍ର ଫଟୋ ସେୟାର କରୁଛନ୍ତି। ଏହି ଗ୍ୟାଙ୍ଗ ଉତ୍ତର-ପୂର୍ବ ଦିଲ୍ଲୀରେ ସକ୍ରିୟ ଅଛନ୍ତି। ଭୟର ବାତାବରଣ ସୃଷ୍ଟି କରିବା ପାଇଁ ଭିଡିଓ ସେୟାର କରୁଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଛି। ଯାହ ବିରୋଧରେ ହତ୍ୟା ମାମଲା ସମେତ ୩ଟି ସଂଗୀନ ମାମଲା ରହିଛି।