ଭାରତରେ ଫୁଡ୍ ଡେଲିଭରି ସର୍ଭିସ୍ ବନ୍ଦ କରିବେ Amazon, ଜାଣନ୍ତୁ କହିଛନ୍ତି କ’ଣ?
26/11/2022 at 5:30 PM

ନୂଆଦିଲ୍ଲୀ ୨୬।୧୧: ଇ-କମର୍ସ ସେକ୍ଟରର ଦିଗ୍ଗଜ କମ୍ପାନୀ ଆମାଜନ ଭାରତରେ ତାଙ୍କର ଫୁଡ ଡେଲିଭରି ସର୍ଭିସକୁ ବନ୍ଦ କରିବାକୁ ଯାଉଛନ୍ତି। ଏ ନେଇ ଆମାଜନ ପକ୍ଷରୁ ତାଙ୍କର ରେଷ୍ଟୁରାଣ୍ଟ ପାର୍ଟନରଙ୍କୁ ସୂଚିତ କରିଦେଇଛନ୍ତି। କହିଛନ୍ତି ଯେ ଆମାଜନ ଇଣ୍ଡିଆ ଚଳିତବର୍ଷ ଡିସେମ୍ବର ୨୯ ତାରିଖରୁ ଦେଶରେ ଖାଦ୍ୟ ବିତରଣ ବ୍ୟବସାୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ତାଙ୍କର ଏହି ସର୍ଭିସକୁ ମେ ୨୦୨୦ରେ ବେଙ୍ଗାଲୁରୁରେ ଆରମ୍ଭ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ ଆମଜାନ ପୂର୍ବରୁ ଆଡଟେକ୍ ସର୍ଭିସ୍ ବନ୍ଦ କରିସାରିଛନ୍ତି। ଏବେ କମ୍ପାନୀ ବୈଶ୍ୱିକ ସ୍ତରରେ କର୍ମଚାରୀଙ୍କ ଛଟେଇ ଉପରେ କାର୍ଯ୍ୟ କରୁଛି। ତେବେ କମ୍ପାନୀ ରେଷ୍ଟୁରାଣ୍ଟ ପାର୍ଟନରସଙ୍କୁ ବିଜନେସ୍ ଡିଲ ପୁରା କରିବା ସାଙ୍ଗକୁ ସବୁ କଣ୍ଟ୍ରାକ୍ଟ ପୁରଣ କରିବେ ବୋଲି କହିଛନ୍ତି। ତେବେ ଆମାଜନ ଦେଶରେ ଫୁଡ ଡେଲିଭରି ସିଷ୍ଟମକୁ ପର୍ଯ୍ୟାୟ କ୍ରମେ ବନ୍ଦ କରିବେ। ଫୁଡ ଡେଲିଭରି ସର୍ଭିସ ବନ୍ଦ କରିବା ନେଇ ଆମାଜନ କହିଛନ୍ତି ଯେ ବାର୍ଷିକ ଅପରେଟିଂ ରିଭ୍ୟୁରେ ଏହି ସେବାକୁ ଆଉ ଆଗକୁ ଚଳାଇ ରଖି ହେବ ନାହିଁ। ଏଣୁ କମ୍ପାନୀ ସତର୍କତା ପୂର୍ବକ ମୂଲ୍ୟାୟନ ବାଦେ ୨୯ ଡିସେମ୍ବର ୨୦୨୨ରୁ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।

ଫୁଡ ଡେଲିଭରି ସେବା କ୍ଷେତ୍ରରେ ଆମାଜନର ପ୍ରବେଶ ଯୋଗୁ ଏହି କ୍ଷେତ୍ରରେ କାର୍ଯ୍ୟରତ ସ୍ୱିଗି ଓ ଜମାଟୋ ସହିତ ଆମାଜନର ସିଧାଶଳଖ ପ୍ରତିଯୋଗୀତା ହୋଇଥିଲା। ଏଥିରେ ବେଙ୍ଗାଲୁରୁରେ ଗ୍ରାହକ ପାଖାପାଖି ୩ ହଜାର ରେଷ୍ଟୁରାଣ୍ଟ ଓ କ୍ଲାଉଡ କିଚେନରୁ ଭାରତୀୟ, ଚାଇନିଜ୍, ଇଟାଲୀୟ, ବିରିୟାନୀ, ବର୍ଗର ଓ ଡେଜର୍ଟ ଆଦି ଅର୍ଡର କରିପାରୁଥିଲେ। ଏଥିଲାଗି ଆମାଜନ ଅନେକ ରେଷ୍ଟୁରାଣ୍ଟ ଓ କ୍ଲାଉଡ କିଚେନ ଯେପରି ବର୍ଗର କିଙ୍ଗ, ବେହରୋଜ ବିରିୟାନୀ, ଫାସୋସ୍, ଚାୟ ପଏଣ୍ଟ, ଫ୍ରେସମେନ୍ୟୁ ଓ ଅଡିଗା ସହିତ ରାଜିନାମା କରିଥିଲେ।
ପ୍ରାରମ୍ଭିକ କାଳରେ ଫାର୍ମ କାଲିଫର୍ଣ୍ଣିଆର ବୁରିଟୋ ଓ କେଭେଣ୍ଟର୍ସ ଭଳି ରେଷ୍ଟୁରାଣ୍ଟ ଚେନ ସହିତ ଭାଗିଦାରୀ କରିଥିଲେ। ଆମାଜନ ମେ ୨୦୨୦ରେ ବେଙ୍ଗାଲୁର ଠାରେ ଫୁଡ ଡେଲିଭରି କ୍ଷେତ୍ରରେ ତାଙ୍କର ପ୍ରବେଶ ଘୋଷଣା କରିଥିଲେ। ସେତେବେଳେ ସାରା ଦେଶରେ କୋଭିଡ-୧୯ ଲାଗି ଲକଡାଉନ ଜାରି ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ବେଙ୍ଗାଲୁରର କିଛି ସିଲେକ୍ଟିଭ ପିନକୋଡ ଏରିଆରେ ଆରମ୍ଭ କରାଯାଇଥିଲା। ମାର୍ଚ୍ଚ ୨୦୨୧ ବେଳକୁ ଏହି ସେବା ବେଙ୍ଗାଲୁରର ୬୨ଟି ପିନକୋଡ ଅଞ୍ଚଳରେ ଉପଲବ୍ଧ ହେଉଥିଲା।