ପ୍ରାୟ ୧୮ ବର୍ଷ ପରେ ଖାଲି ଆଖିରେ ଦେଖି ହେବ ୫ ଗ୍ରହଙ୍କ ଅଦଭୂତ ସଙ୍ଗମ, କେବେ ଓ କେମିତି ଦେଖିବେ ଜାଣନ୍ତୁ
23/06/2022 at 5:01 PM

କାଲିଫର୍ଣ୍ଣିଆ ୨୩।୬: ଆକାଶରେ ୨୪ ଜୁନ ଶୁକ୍ରବାର ପ୍ରଭାତରେ ପ୍ରାୟ ୧୮ ବର୍ଷ ପରେ ଏକ ଦୁର୍ଲଭ ଦୃଶ୍ୟ ଦେଖିବାକୁ ମିଳିବ। ଏହି ସମୟରେ ସୌର ମଣ୍ଡଳର ୫ ପ୍ରମୁଖ ଗ୍ରହଙ୍କୁ ଗୋଟିଏ ଶରଳ ରେଖାରେ ଖାଲି ଆଖିରେ ଦେଖି ହେବ। ଏହା ପୂର୍ବରୁ ଡିସେମ୍ବର ୨୦୦୪ରେ ଏପରି ଅପୂର୍ବ ସଂଯୋଗ ଦେଖିବାକୁ ମିଳିଥିଲା। ଯେତେବେଳେ ବୁଧ, ଶୁକ୍ର, ମଙ୍ଗଳ , ବୃହସ୍ପତି ଓ ଶନି ଗୋଟିଏ ଶରଳ ରେଖାରେ ଦେଖାଯାଇଥିଲେ। ଆକାଶରେ କେବେ କେମିତି ଏପରି ତ୍ରିଗ୍ରହୀ ଯୋଗ ଆମ ନଜରରେ ପଡି ଯାଏ। ହେଲେ ଏକ କାଳୀନ ୫ଟି ଗ୍ରହ ଗୋଟିଏ ଶରଳ ରେଖାରେ ଦେଖାଯିବା ବାସ୍ତବିକ ମହାଜାଗତିକ।

ଆମେରିକା ଆଷ୍ଟ୍ରୋନଟିକାଲ ସୋସାଇଟି ଦ୍ୱାରା ପ୍ରକାଶିତ ସାଇନ୍ସ ମ୍ୟାଗଜିନ୍ ଅନୁସାରେ ଗ୍ରହମାନେ ସୂର୍ଯ୍ୟଙ୍କ ସହ ଗୋଟିଏ ଧାଡିରେ ଛାଡି ଛାଡି ଦେଖାଯିବେ। ଯାହା ନିଜକୁ ନିଜେ ଏକ ଆଶ୍ଚର୍ଯ୍ୟ ବୋଲି ମ୍ୟାଗଜିନରେ କୁହାଯାଇଛି। ରିପୋର୍ଟ ଅନୁସାରେ ସୌର ଜଗତର ଏହି ୫ ଗ୍ରହ ଗତ ୩ ଓ ୪ ଜୁନରେ ମଧ୍ୟ ଦେଖା ଯାଇଥିଲେ। ସେମାନଙ୍କୁ ଦୂରବିକ୍ଷଣରେ ଗୋଟିଏ ଧାଡିରେ ଦେଖା ଯାଇପାରିଥିଲା। ତେବେ ଜୁନ ୨୪ ତାରିଖ ଦିନ ପୁଣି ଥରେ ଗ୍ରହମାନଙ୍କୁ ଆମେ ଗୋଟିଏ ଧାଡିରେ ଦେଖିପାରିବା।

ରିପୋର୍ଟ ଅନୁସାରେ ଏହି ଗ୍ରହମାନଙ୍କୁ ଖାଲି ଆଖିରେ ଦେଖିବା ଲାଗି ସବୁଠୁ ଭଲ ସମୟ ହେଉଛି ୨୪ ଜୁନ ଶୁକ୍ରବାର ପ୍ରତ୍ୟୁଷରେ। ସୂର୍ଯ୍ୟୋଦୟର ଠିକ ପୂର୍ବରୁ ଚକ୍ରବାଳରେ ଗ୍ରହମାନଙ୍କର ଉଦୟ ହେବ। ଏଣୁ ଆକାଶରେ ସୂର୍ଯ୍ୟାଲୋକ ବ୍ୟାପିବା ପୂର୍ବରୁ ଗ୍ରହମାନଙ୍କୁ ଦେଖାଯାଇପାରିବ। ରୟାଲ ମ୍ୟୁଜିୟମ ଗ୍ରିନୱିଚ୍ଙ୍କ ଡ.ଗ୍ରେଗ୍ ବ୍ରାଉନଙ୍କ ଅନୁସାରେ ଏହି ଗ୍ରହକଙ୍କୁ ଦେଖିବା ଲାଗି ସୁଯୋଗ ଶୁକ୍ରବାର ସକାଳ ସାଢେ ୩ରୁ ୫ ମଧ୍ୟରେ ଖୁବ୍ ଅଳ୍ପ ସମୟ ପାଇଁ ଦେଖି ହେବ। ଭୋର ପ୍ରାୟ ୪ଟା ପାଖାପାଖି ଆକାଶରେ ଦକ୍ଷିଣ-ପୂର୍ବ ଆକାଶରେ ଶୁକ୍ରଗ୍ରହଙ୍କ ଉଦୟ ହେବ। ଏହା ପୂର୍ବରୁ ଭୋର ୩ ଟାରୁ ମଙ୍ଗଳ ଓ ବୃହସ୍ପତି ଦେଖା ଯାଉଥିବେ।