୫ ଦଫା ଦାବିରେ ତିର୍ତ୍ତୋଲ ସୂତାକଳ ଆଗରେ ଆମରଣ ଅନଶନ

Published By : Prameya-News7 Bureau | November 07, 2022 IST

ଜଗତସିଂହପୁର ୦୭/୧୧: ଜଗତସିଂହପୁର ତିର୍ତ୍ତୋଲରେ ଥିବା ସାରଳା ବୁଣାକାର ସମବାୟ ସମିତି ସୂତାକଳ ଉଦ୍ଧାର ସହିତ ୫ ଦଫା ଦାବିରେ  ସୂତାକଳ ଆଗରେ  ଆମରଣ ଅନଶନ। ତିର୍ତ୍ତୋଲର କଂଗ୍ରେସ ନେତା ହିମାଂଶୁ ଭୂଷଣ ମଲ୍ଲିକଙ୍କ ନେତୃତ୍ୱରେ  ଏହି ଅନଶନ ଆରମ୍ଭ  ହୋଇଛି। ଆମରଣ ଅନଶନକୁ  ପୂର୍ବତନ କର୍ମଚାରୀ ଓ ସ୍ଥାନୀୟ ଜନ ସାଧାରଣଙ୍କ ସହିତ ତିର୍ତ୍ତୋଲ, କୁଜଙ୍ଗ ଓ ରଘୁନାଥପୁର ବ୍ଲକ କଂଗ୍ରେସ ସମର୍ଥନ କରିଛି। ଏହି ଅନଶନ ପୁର୍ବରୁ ଶାରଳା ସମବାୟ ସୂତାକଳକୁ ଭାରତୀୟ ଷ୍ଟେଟବ୍ୟାଙ୍କ କୋରକ କରି ସିଲ୍ କରିଥିଲା ଏହାପରେ କଂଗ୍ରେସ ପକ୍ଷରୁ ଅନେକଥର ଆନ୍ଦୋଳନ କରାଯାଇଥିଲା।

କଂଗ୍ରେସ ଦଳ ପକ୍ଷରୁ ସୂତାକଳକୁ ଋଣମୁକ୍ତ, ପୁର୍ନକାର୍ଯ୍ୟକ୍ଷମ, ନହେଲେ ବିକଳ୍ପ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା, ପୁର୍ବତନ କର୍ମଚାରୀ ପରିବାରକୁ ସହାୟତା ଆଦି ପାଞ୍ଚଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପଥପ୍ରାନ୍ତ ପ୍ରତିବାଦ ସହ ୧୦ହଜାର ଦସ୍ତଖତ ସଂଗ୍ରହ କରି ଦଳ ପକ୍ଷରୁ ତିର୍ତ୍ତୋଲରୁ ଭୂବନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲା। କିନ୍ତୁ ସରକାର କୌଣସି ପଦକ୍ଷେପ ନନେବାରୁ ସୋମଠାରୁ ଅର୍ନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନ ଆରମ୍ଭ ହୋଇଛି। ମା'ଶାରଳାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ମାହାତ୍ମା ଗାନ୍ଧୀ ଓ ଗୋପବନ୍ଧୁଙ୍କ ଫଟୋଚିତ୍ର ରଖି ଆନ୍ଦୋଳନକାରୀମାନେ ଆମରଣ ଅନଶନ କରୁଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ଅନଶନକାରୀ ଓ ସମର୍ଥକମାନେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.