Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

“ଆମ ଘର ଆମ ହାଣ୍ଡିଶାଳ ସିଜିନ୍ -୨” ଲୋକାର୍ପିତ, ବିଶ୍ୱ ଦେଖିବ ଓଡ଼ିଆ ଖାଦ୍ୟର ମହକ

6/10/2021 at 2:40 PM

ଭୁବନେଶ୍ୱର୦୬/୧୦: ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ପାରମ୍ପରିକ ଶୁଦ୍ଧ ଓଡ଼ିଆ ଖାଦ୍ୟର ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’ର ଦ୍ୱିତୀୟ ସଂସ୍କରଣକୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଲୋକାର୍ପଣ କରିଛନ୍ତି । ଗତବର୍ଷ କରୋନା ମହାମାରୀ କଟକଣା ଭିତରେ ବି ‘ଆମ ଘର ଆମ ହାଣ୍ଡିଶାଳ’ର ପ୍ରଥମ ସଂସ୍କରଣ ରାଜ୍ୟବାସୀଙ୍କ ଦ୍ୱାରା ବହୁଳ ଆଦୃତ ହେବା ପରେ ଚଳିତବର୍ଷ ଏହାର ଦ୍ୱିତୀୟ ସଂସ୍କରଣ ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଛି ।

ଏହି ଦ୍ୱିତୀୟ ସଂସ୍କରଣ ପ୍ରତିଯୋଗିତାକୁ ଲୋକାର୍ପଣ କରି ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର କହିଥିଲେ ଯେ, ଆମ ଓଡ଼ିଆଙ୍କ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାଣ୍ଡିଶାଳ ‘ଆନନ୍ଦ ବଜାର’ ହେଉଛି ବିଶ୍ୱର ସବୁଠୁ ବଡ଼ ହାଣ୍ଡିଶାଳ । ଆଉ ଆମର ମହାନ୍ ଉତ୍କଳୀୟ ସଂସ୍କୃତିରେ ୧୨ ମାସରେ ୧୩ ପରବ ଓ ପ୍ରତ୍ୟେକ ପର୍ବପର୍ବାଣୀରେ ସ୍ୱତନ୍ତ୍ର ଖାଦ୍ୟର ସମ୍ଭାର ରହିଛି ।

ଏହି ପାରମ୍ପରିକ ଖାଦ୍ୟକୁ ବିଶ୍ୱ ଦରବାରରେ ପହଂଚାଇବା ଲକ୍ଷ୍ୟରେ ଗତବର୍ଷ କରୋନା କାଳରେ ‘ଆମ ଘର ଆମ ହାଣ୍ଡିଶାଳ’ ପ୍ରତିଯୋଗିତାର ପରିକଳ୍ପନା କରାଯାଇଥିଲା । ଏହି ପ୍ରତିଯୋଗିତାକୁୂ ମାନ୍ୟବର ରାଜ୍ୟପାଳ, ମାନ୍ୟବର ମୁୂଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଅନେକ ମନ୍ତ୍ରୀ, ଅଫିସର ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ବ୍ୟକ୍ତିମାନେ ସହଯୋଗର ହାତ ବଢ଼ାଇଥିଲେ ।

ଯାହା ଏହି ପ୍ରତିଯୋଗିତାକୁ ସଫଳ ଓ ଲୋକାଦୃତ କରାଇପାରିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଓଡ଼ିଆ ଖାଦ୍ୟର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ ଦେଉଥିବାବେଳେ ସେ ନିଜେ ଓଡ଼ିଆଙ୍କ ନିଜସ୍ୱ ଖାଦ୍ୟ ‘ପଖାଳ’ ଖାଇବାକୁ ପସନ୍ଦ କରିଥାନ୍ତି । ଏପରିକି ଦେଶର ପ୍ରମୁଖ ରାଜନୀତିଜ୍ଞମାନଙ୍କୁ ନବୀନ ନିବାସରେ ଶୁଦ୍ଧ ଓଡ଼ିଆ ଖାଦ୍ୟରେ ଆପାୟ୍ୟିତ କରାଇବାକୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଭୁଲନ୍ତି ନାହିଁ ।

ଓଡ଼ିଆ ଖାଦ୍ୟର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ ଦେଉଥିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଡ଼ିଆ ଖାଦ୍ୟର ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’ର ଦ୍ୱିତୀୟ ସଂସ୍କରଣ ପ୍ରକ୍ରିୟା ଆଜିଠୁ ଆରମ୍ଭ ହୋଇଛି । ଗତବର୍ଷ ଭଳି ଏଥିରେ ଅଧିକରୁ ଅଧିକ ମହିଳାମାନେ ସାମିଲ ହୋଇ ନିଜର ଦକ୍ଷତା ପ୍ରତିପାଦନ କରିବେ ବୋଲି ଆଶା । ଓଡ଼ିଆ ଖାଦ୍ୟର ପ୍ରସାର ଓ ପ୍ରଚାର ପାଇଁ ଉଦ୍ଦିଷ୍ଟ ଏହି ପ୍ରତିଯୋଗିତାର ସିଜିନ-୨ କାର୍ଯ୍ୟକ୍ରମକୁ ଆରମ୍ଭ ନିମନ୍ତେ ନିଷ୍ପତ୍ତି ନେଇଥିବାରୁ ପର୍ଯ୍ୟଟନ ବିଭାଗ ଓ ଓଟିଡିସିର ଅଧିକାରୀମାନଙ୍କୁ ଧନ୍ୟବାଦ ଦେଉଛି ।

କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର,ଓଟିଡିସି ଜେନେରାଲ ମ୍ୟାନେଜର ଶାନ୍ତନୁ ମହାନ୍ତି, କମ୍ପାନୀ ସେକ୍ରେଟେରୀ ପ୍ରଶାନ୍ତ ପଣ୍ଡା, ଡିଭିଜିନାଲ ମ୍ୟାନେଜର ପ୍ରଣବ କୁମାର ଚାନ୍ଦ, ମାର୍କେଟିଂ ମ୍ୟାନେଜର ରଞ୍ଜନ ମିଶ୍ର ଓ ଅନ୍ୟ ପଦାଧିକାରୀମାନେ ଯୋଗ ଦେଇଥିଲେ । ପ୍ରଥମ ସିଜନର ବିଜୟିନୀ ଦେବଯାନୀ ଦାସ ମଧ୍ୟ ଏହି ଦ୍ବିତୀୟ ସଂସ୍କରଣ ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ।

   Related Posts