ଭାଙ୍ଗିଗଲା ଆଲପାଇନ୍ ଗ୍ଲାସିୟରର ବିଶାଳ ଖଣ୍ଡ : ୫ ମୃତ, ୮ ଗୁରୁତର
4/07/2022 at 9:04 AM

ନୂଆଦିଲ୍ଲୀ ୦୪/୦୭: ଇଟାଲୀର ଆଲପାଇନ୍ ଗ୍ଲାସିୟରର ଏକ ଖଣ୍ଡ ରବିବାର ଭାଙ୍ଗି ଯାଇଛି । ଫଳରେ ଅତି କମରେ ୫ ଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ଆହୁରି ମଧ୍ୟ ୮ ଜଣ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ଦେଶର ସରକାରୀ ଟେଲିଭିଜନ ରାୟ ଅନୁସାରେ, ବରଫ ଓ ଚଟାଣ ଧସିବା ଫଳରେ ୬ ଜଣ ମୃତାହତ ହୋଇଛନ୍ତି । କିନ୍ତୁ ପ୍ରକୃତରେ କେତେଜଣ ପ୍ରାଣ ହରାଇଛନ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ । ଆହୁରି ମଧ୍ୟ କେତେ ଜଣ ନିଖୋଜ ଅଛନ୍ତି ତାହା ମଧ୍ୟ ଅସ୍ପଷ୍ଟ ରହିଛି ।
ନ୍ୟାଶନାଲ ଆଲପାଇନ୍ ଆଣ୍ଡ୍ କେଭ୍ ରେସକ୍ୟୁ କୋର୍ ଟ୍ୱିଟ୍ କରି କହିଛି ଯେ, ମରମୋଲାଡା ଚିଟି ଅଞ୍ଚଳରେ ଘଟିଥିବା ଅଘଟଣ ପରେ ଉଦ୍ଧାରକାର୍ଯ୍ୟ ଚାଲିଛି । ନିଖେଜଙ୍କୁ ଖୋଜିବାରେ କୁକୁରର ସାହାଯ୍ୟ ନିଆଯାଇଛି । ତେବେ ଦେଶର ବିପର୍ଯ୍ୟୟ ପ୍ରଶମନ ବିଭାଗ ୫ ଜଣଙ୍କ ମୃତ୍ୟୁ ସହ ୮ ଜଣ ଆହତ ହୋଇଥିବା ନେଇ ଟ୍ୱିଟ୍ କରିଛି । ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି ।
ଏତତ୍ ବ୍ୟତୀତ ବେନେଟୋ ଅଞ୍ଚଳ ସ୍ଥିତ ଏସୟୁଇଏମ୍ ଡିସପାଚ୍ ସର୍ଭିସର କହିବାନୁସାରେ, ଏବେବି ୧୮ ଜଣ ବରଫରେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଉଛି । କୋର୍ ଟିମକୁ ଉଦ୍ଧାରକାର୍ଯ୍ୟରେ ସାମିଲ କରାଯାଇଛି । ତେବେ ଯେଉଁ ସ୍ଥାନରେ ଏହି ଅଘଟଣ ଘଟିଛି ତାହା ସମୁଦ୍ରପତନଠୁ ୧୧୦୦୦ ଫୁଟ୍ ଉଚ୍ଚରେ ରହିଛି ।
ଆଲପାଇନ୍ ଉଦ୍ଧାରକାରୀ ଟିମର ମୁଖପାତ୍ର ବାଲଟର୍ ମିଲାନ କହିଛନ୍ତି ଯେ, କେଉଁ କାରଣରୁ ଗ୍ଲାସିୟର ଭାଙ୍ଗିଛି ତାହା ଜଣା ପଡି ନାହିଁ । ଜୁନରୁ ଇଟାଲୀରେ ପ୍ରବଳ ଗରମ ଅନୁଭୂତ ହେଉଛି । ଏହି କାରଣରୁ ବରଫ ଧସିଥିବା ସେ ଅନୁମାନ କରିଛନ୍ତି ।