ଏହି ରାଜ୍ୟର ୬ ଜିଲ୍ଲାରେ 'ଶୂନ ପ୍ରତିଶତ' ଭୋଟିଂ, ଖାଁ ଖାଁ ମତଦାନ କେନ୍ଦ୍ର

Published By : Prameya-News7 Bureau | April 19, 2024 IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ୨୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ତେବେ ନାଗାଲାଣ୍ଡର ଅତି କମରେ ୬ ଜିଲ୍ଲାରେ ଶୂନ ପ୍ରତିଶତ ଭୋଟିଂ ରେକର୍ଡ ହୋଇଛି । ଅଲଗା ରାଜ୍ୟ ଦାବିକୁ ନେଇ ପୂର୍ବ ନାଗାଲାଣ୍ଡର ସାତ ଜନଜତି ସଂଗଠନର ଶୀର୍ଷ ସଂସ୍ଥା ଇଷ୍ଟର୍ଣ୍ଣ ନାଗାଲାଣ୍ଡ ପିପୁଲ୍ସ ଅର୍ଗାନାଇଜେସନର ଅନିଶ୍ଚିତକାଳ ଯାଏ ବନ୍ଦ ଆହ୍ୱାନ ଯୋଗୁଁ ଶୁକ୍ରବାର ଲୋକମାନେ ଘର ଭିତରେ ହିଁ ରହିଥିଲେ ଏବଂ ରାଜ୍ୟର ଛଅ ଜିଲ୍ଲାର ମତଦାନ କେନ୍ଦ୍ର ଖାଲି ପଡ଼ିଥିବା ନଜର ଆସିଛି । 

ପଢନ୍ତୁ: ଲୋକତନ୍ତ୍ରଠାରୁ ଦୂରରେ ବସ୍ତର ଗାଁ, ଲୋକଙ୍କୁ ଜଣାନାହିଁ ନିର୍ବାଚନ କଣ?

ସୂତ୍ର ଅନୁସାରେ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି, କିନ୍ତୁ ଜିଲ୍ଲା ପ୍ରଶାସନ ଏବଂ ଅନ୍ୟ ଜରୁରୀକାଳୀନ ସେବା ସହ ଜଡ଼ିତ ଲୋକ ଏବଂ ଗାଡ଼ିକୁ ଛାଡ଼ି କୌଣସି ବି ବ୍ୟକ୍ତି ଏବଂ ଗାଡ଼ି ଯାତୟତ କରୁ ନାହିଁ । ନାଗାଲାଣ୍ଡର ଅତିରିକ୍ତ ନିର୍ବାଚନ ଅଧିକାରୀ ଆବା ଲୋରିଙ୍ଗ କହିଛନ୍ତି ଯେ ଏହି ଛଅ ଜିଲ୍ଲାର ୭୩୮ ମତଦାନ କେନ୍ଦ୍ରରେ ନିର୍ବାଚନ ଅଧିକାରୀ ନିୟୋଜିତ ଅଛନ୍ତି । ସୂତ୍ର ଅନୁସାରେ ପୂର୍ବାହ୍ଣ ୧୧ଟା ଯୁଦ୍ଧା କୌଣସି ମତଦାନ ହୋଇ ନାହିଁ । ଅପରାହ୍ଣ ୪ଟାରେ ମତଦାନ ଶେଷ ହେବ । 

ଇଷ୍ଟର୍ଣ୍ଣ ନାଗାଲାଣ୍ଡ ପିପୁଲ୍ସ ଅର୍ଗାନାଇଜେସନ ସଂଗଠନ ୨୦୧୦ରୁ ଅଲଗା ରାଜ୍ୟ ପାଇଁ ଦାବି କରି ଆସୁଛି । ସେମାନଙ୍କ ଦାବି ଏହି ଛଅ ଜିଲ୍ଲାକୁ ବର୍ଷ ବର୍ଷ ଧରି ଉପେକ୍ଷା କରାଯାଉଛି । ନାଗାଲାଣ୍ଡର ମୋଟ ୧୩.୨୫ ଲକ୍ଷ ମତଦାତାଙ୍କ ମଧ୍ୟରୁ ପୂର୍ବ ନାଗାଲାଣ୍ଡର ଛଅ ଜିଲ୍ଲାରେ ୪ ଲକ୍ଷରୁ ଅଧିକ ମତଦାତା ଅଛନ୍ତି । 

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.