ପୋଖରୀ ବ୍ୟବହାର ପାଇଁ ଗାଁ ଲୋକଙ୍କୁ ବାରଣ, ଥାନାରେ ଅଭିଯୋଗ କଲେ ଗ୍ରାମବାସୀ

Published By : Prameya-News7 Bureau | July 08, 2022 IST

ଆନନ୍ଦପୁର, ୦୮/୦୭: ଆନନ୍ଦପୁର ଉପଖଣ୍ଡ ମନହରପୁର ଗାଁରେ ଥିବା ଏକ ପୋଖରୀକୁ ବ୍ୟବହାର କରିବାକୁ ଗାଁ ଲୋକଙ୍କୁ ବାରଣ କରିଛନ୍ତି ଜଣେ ବ୍ୟକ୍ତି । ପ୍ରାୟ ଚାରିପୁରଷ ଧରି ଗାଁ ଲୋକେ ବ୍ୟବହାର କରିଆସୁଥିବା ଏହି ପୋଖରୀର ପଟ୍ଟା ନିଜ ଜେଜେବାବାଙ୍କ ନାଁରେ ଥିବା ଦର୍ଶାଇ ସଂପୃକ୍ତ ବ୍ୟକ୍ତି ଗାଁର ତିନିଜଣଙ୍କ ନାମରେ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି ।

ପୋଲିସ ଏହି ଘଟଣାରେ ସଂପୃକ୍ତ ତିନିଜଣଙ୍କୁ ଥାନାକୁ ଡାକାଇବାରୁ ଗାଁ ଲୋକେ ମିଳିତ ହୋଇ ଥାନାରେ ପହଁଞ୍ଚି ପୋଲିସକୁ ପୁରା ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି । ପୋଖରୀଟି ଅଭିଯୋଗକାରୀ ଦାମୋଦର ମାରାଣ୍ଡିଙ୍କ ପୂର୍ବପୁରୁଷମାନେ ଗାଁ ଲୋକଙ୍କ ପାଇଁ ବହୁପୂର୍ବରୁ ଦାନ କରିଥିବାବେଳେ ଏବେ ଦାମୋଦର ପୋଖରୀକୁ ଗାଁ ଲୋକଙ୍କୁ ବାରଣ କରୁଛନ୍ତି ।

ପୋଖରୀକୁ ନେଇ ବିବାଦୀୟ ସ୍ଥିତି ଯୋଗୁଁ ଗାଁ ଲୋକେଙ୍କ ମଧ୍ୟରେ ବୈଠକ ହୋଇ ଗତ ଜୁନ୍ ମାସ ୯ ତାରିଖରେ ଏକ ଚୁକ୍ତିନାମା ହୋଇଥିଲା । ସେଥିରେ ଦାମୋଦର ଓ ତାଙ୍କ ସମ୍ପର୍କିୟମାନେ ପୋଖରୀକୁ ଗାଁ ଲୋକେ ବ୍ୟବହାର କରିବାନେଇ ଚୁକ୍ତିନାମାରେ ସ୍ବାକ୍ଷର କରିଥିଲେ । ଏହି ଘଟଣାର ଏକମାସ ପରେ ଗାଁ ଲୋକଙ୍କ ନାମରେ ଅଭିଯୋଗ କରିବା ଘଟଣା ପଛରେ ସାମ୍ପ୍ରଦାୟିକ ଦୋଷ ରହିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ।

ତେବେ ଏହି ଘଟଣାକୁ ଗୁରୁତର ସହ ନେଇ ପ୍ରଶାସନ ଓ ଉଚ୍ଚ ଅଧିକାରୀଙ୍କ ଅନୁମତି ନେଇ ଗାଁରେ ଶାନ୍ତି ଆଲୋଚନା ମାଧ୍ଯମରେ ଘଟଣାର ସମାଧାନ କରାଯିବ ବୋଲି ଆନନ୍ଦପୁର ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.