ବଦଳିଲା ଆହ୍ଲାବାଦର ନାଁ ... ହେଲା ପ୍ରୟାଗରାଜ

Published By : Prameya-News7 Bureau | October 16, 2018 IST

ଲକ୍ଷ୍ନୈା ୧୬/୧୦ : ଆହ୍ଲାବାଦ ସହର ନାଁ ପରିବର୍ତ୍ତନ କରି ପ୍ରୟୋଗରାଜ ରଖିବା ପାଇଁ ଏକ ପ୍ରସ୍ତାବକୁ ଉତ୍ତର ପ୍ରଦେଶ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି | କ୍ୟାବିନେଟ ବୈଠକ ପରେ ବରିଷ୍ଠ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂ କହିଛନ୍ତି ଯେ, ୨୦୧୯ ମସିହା କୁମ୍ଭମେଳା ପୂର୍ବରୁ ଆହ୍ଲାବାଦର ନା ପରିବର୍ତ୍ତନ କରି ପ୍ରୟାଗରାଜ କରିବା ପାଇଁ ପ୍ରସ୍ତାବ ଆସିଥିଲା | ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିବା ଫଳରେ ଆଜିଠାରୁ ଆହ୍ଲାବାଦ ପ୍ରୟାଗରାଜ ଭାବେ ଜଣାଯିବ | ଏହି କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧ୍ୟକ୍ଷତା କରିଥିଲେ | ଋକବେଦ, ମହାଭାରତ ଏବଂ ରାମାୟଣରେ ଆହ୍ଲାବାଦର ନାଁ ପ୍ରୟାଗରାଜ ଥିବା ସୂଚନା ଦିଆଯାଇଛି | ଆହ୍ଲାବାଦରେ ଜନସମୁଦାୟ, ମୁନୀ, ରୁଷି ଓ ସାଧୁ ସନ୍ଥମାନେ ଆହ୍ଲାବାଦକୁ ପୁନଃ ପ୍ରୟାଗରାଜ ଭାବେ ନାମିତ କରିବା ପାଇଁ ଦାବି କରିଆସୁଥିଲେ ବୋଲି କ୍ୟାବିନେଟ ମନ୍ତ୍ରୀ କହିଛନ୍ତି | ସୂଚନାଯୋଗ୍ୟ ଯେ, ଗତ ଶନିବାର ଦିନ ଯୋଗୀ ଆଦିତ୍ୟନାଥ ଆହ୍ଲାବାଦ ଗସ୍ତ ବେଳେ ଏହି ନାମ ପରିବର୍ତ୍ତନ ସମ୍ପର୍କରେ ସୂଚନା ଦେଇଥିଲେ | ହିମାଳୟରୁ ବାହାରିଥିବା ଦୁଇଟି ପ୍ରସିଦ୍ଧ ଏବଂ ପବିତ୍ର ନଦୀ ଗଙ୍ଗା ଓ ଯମୁନାର ସଙ୍ଗମସ୍ଥଳକୁ ପ୍ରୟାଗରାଜ ହିଁ କୁହାଯିବ | ୨୦୧୯ ମସିହା କୁମ୍ଭମେଳା ସଂକ୍ରାନ୍ତୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ, କୁମ୍ଭମେଳା ପୂର୍ବରୁ ନାମ ପରିବର୍ତ୍ତନ ନିଶ୍ଚୟ ହେବ | ସୂଚନାଯୋଗ୍ୟ ଯେ, ଆହ୍ଲାବାଦର ନାମ ପରିବର୍ତ୍ତନକୁ ନେଇ ବିରୋଧୀ ଦଳମାନେ ସମାଲୋଚନା କରିଛନ୍ତି | ସମାଜବାଦୀ ପାର୍ଟିର ମୁଖ୍ୟ ତଥା ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଅଖିଳେସ ଯାଦବ କହିଛନ୍ତି ଯେ, ବିଭିନ୍ନ ସ୍ଥାନରେ ନାମ ପରିବର୍ତ୍ତନରେ ହିଁ ବିଜେପିର କାର୍ଯ୍ୟ ସୀମିତ | ଏଥି ପୂର୍ବରୁ ଗତବର୍ଷ ଅକ୍ଟୋବର ମାସରେ ମୁଗଲସରାଇ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରି ଦିନଦୟାଲ ଉପାଧ୍ୟାୟ ଷ୍ଟେସନ କରାଯାଇଥିଲା | ସୂଚନାଯୋଗ୍ୟ ଯେ, ଜନସଂଘ ପ୍ରବକ୍ତା ତଥା ପ୍ରତିଷ୍ଠାତା ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ୧୯୬୮ ମସିହାରେ ଏହି ରେଳ ଷ୍ଟେସନ ଠାରେ ଇହଲୋକ ସମ୍ବରଣ କରିଥିଲେ | ଜନସଂଘ ଲିଗାସୀକୁ ଆଗକୁ ବଢାଇବା ପାଇଁ ରାଜ୍ୟରେ କ୍ଷମତାସୀନ ବିଜେପି ଦଳ ଏଭଳି ପଦକ୍ଷେପ ନେଇଥିଲେ | ଆହ୍ଲାବାଦର ନା ପରିବର୍ତ୍ତନକୁ କଂଗ୍ରେସ ଦଳ ମଧ୍ୟ ବିରୋଧ କରିଛି | ଆହ୍ଲାବାଦର ନା ପରିବର୍ତ୍ତନ କରିବା ଦ୍ୱାରା ଏହାର ଇତିହାସ ପ୍ରଭାବିତ ହେବ ବୋଲି ଦଳ ଆଶଙ୍କା ପ୍ରକାଶ କରିଛି | ସ୍ୱାଧୀନତା ସଂଗ୍ରାମରେ ଆହ୍ଲାବାଦର ବିଶେଷ ଭୂମିକା ରହିଥିଲା | ନାଁ ପରିବର୍ତ୍ତନ ଦ୍ୱାରା ସେ ଇତିହାସ ଅନ୍ଧାର ଭିତରକୁ ଠେଲି ହୋଇଯିବ | ଏମିତି ବି କୁମ୍ଭମେଳା ହେଉଥିବା ସ୍ଥାନକୁ ପ୍ରୟାଗରାଜ ବୋଲି କୁହାଯାଏ | ଯଦି 'ପ୍ରୟାଗରାଜ' ନାଁ ପାଇଁ ସରକାରଙ୍କ ଏତେ ଦୁର୍ବଳତା ତାହେଲେ କୁମ୍ଭମେଳା ହେଉଥିବା ସ୍ଥାନକୁ ଅନ୍ୟ ଏକ ସହର ଘୋଷଣା କରି ସେହି ସ୍ଥାନକୁ ପ୍ରୟାଗରାଜ ବୋଲି କୁହାଯାଇପାରନ୍ତା | ଆହ୍ଲାବାଦ ନାଁକୁ ସମ୍ପୂର୍ଣ ବଦଳାଇବା ଉଚିତ ନୁହେଁ | ୪୪୪ ବର୍ଷର ଏହି ନାଁ ସହିତ ବହୁ ଇତିହାସ ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.