ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ବିକ୍ରି; ଥାନାରେ ମାମଲା ରୁଜୁ, ତଦନ୍ତ କରୁଛି ପୋଲିସ
19/08/2022 at 10:18 PM

ମୋହନା ୧୯/୦୮: ଓଡ଼ିଆ ଯୁବତୀଙ୍କୁ ନେଇ ଦିଲ୍ଲୀରେ ବିକ୍ରି କରି ବିବାହ କରାଇବା ପାଇଁ ଉଦ୍ୟମ।ଏପରି ଏକ ଅଭାବନୀୟ ଘଟଣା ଗଜପତି ଜିଲ୍ଲା ମାଣିକପୁର ଗାଁରେ ଦେଖିବାକୁ ମିଳିଛି। ଯୁବତୀଙ୍କ ପରିଚୟ ଶଶୀ ଶବର ଓ ତାଙ୍କ ଘର ମାଣିକପୁର ଗାଁରେ ବୋଲି ଜଣାପଡ଼ିଛି। ଯୁବତୀଙ୍କ ବାପା ପଞ୍ଚୁ ଶବରଙ୍କ ଅଭିଯୋଗ ଅନୁସାରେ ମୋହନା ପୋଲିସ ଥାନା କେସ୍ ୧୫୦ /୨୨ ନଂ ମୂଳେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ଖବର ଅନୁସାରେ ମାଣିକପୁର ଗାଁର ସୁଧୀର ପାଇକଙ୍କ ଘରକୁ ଗଞ୍ଜାମ ଜ଼ିଲ୍ଲା କୁରୁବା ଗାଁର ସୁଭଦ୍ରା ନାମକ ଜଣେ ମହିଳା ଅନେକ ସମୟରେ ଆସନ୍ତି l
ଗତ ୧୧ ତାରିଖ ରାକ୍ଷୀ ପୂର୍ଣ୍ଣିମା ଥିବାରୁ ସୁଭଦ୍ରା ମାଣିକପୁର ଆସିଥିଲେ l ସେହିସମୟରେ ପଞ୍ଚୁଙ୍କ ଘରେ ଝିଅ ଶଶୀ ସହିତ ତାଙ୍କ ୩ ଭାଇ ଏବଂ ବୁଢ଼ୀ ମାଁ ଥିଲେ। ତେବେ ପଞ୍ଚୁ କୌଣସି କାମରେ ନିଜ ଶଶୁର ଘର ଗ୍ରାମ ତେନ୍ତୁଳୀଖୁଣ୍ଟି ଚାଲିଯାଇଥିଲେl ଘରେ କେହି ନଥିବା ସୁଯୋଗ ନେଇ ସୁଭଦ୍ରା ଶଶୀକୁ ନିଜ ସାଙ୍ଗରେ ନେଇଯାଇଥିଲେ। ଏଥିରେ ମଧ୍ୟ ସୁଧୀର ତାଙ୍କୁ ସହଯୋଗ ମଧ୍ୟ କରିଥିଲେ l ଗତ ୧୬ ତାରିଖରେ ପଞ୍ଚୁ ଘରକୁ ଫେରି ଝିଅକୁ ଖୋଜିଥିଲେ l ସେହିଦିନ ଶଶୀ ମାଣିକପୁର ଅଙ୍ଗନୱାଡି ଦିଦି ମମତା ଭୂୟାଁଙ୍କୁ ଫୋନ୍ କରି ସୁଭଦ୍ରା ତାକୁ ଘରୁ ନେଇଥିବା ଜୋର୍ ଜବର୍ଦସ୍ତ ଦିଲ୍ଲୀର ଜଣେ ଯୁବକଙ୍କ ସହ ବିବାହ କରେଇବାକୁ କହିଥିଲା। ଏହାସହ ସୁଭଦ୍ରା ବ୍ରହ୍ମପୁର ଅଞ୍ଚଳରୁ ଅନ୍ୟ ଜଣେ ଝିଅକୁ ଆଣିବା ପାଇଁ ଯାଇଛନ୍ତି ବୋଲି କହିଥିଲେ
ପରେ ସୁଧୀରର ପୁତୁରା ରଞ୍ଜିତର ମୋବାଇଲକୁ ସୁଭଦ୍ରା ଶଶୀର କିଛି ବିବାହ ଫଟୋ ପଠାଇଥିଲେ। ସମସ୍ତ ଘଟଣା ଜାଣିବା ପରେ ପଞ୍ଚୁ ଶବର ମୋହନା ଥାନାରେ ଶୁକ୍ରବାର ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ଆଇପିସିର ଧାରା ୩୬୩ ଅପହରଣ, ୩୬୬ ବିବାହ କରାଇବା ଉଦ୍ଦେଶ୍ୟ ରେ ଅପହରଣ ୩୪ ଦଫା ଲଗାଇ ଘଟଣାର ତଦନ୍ତ ଆରମ୍ଭ କରିଛି l