ପୋଲିସ ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି ଅଭିଯୋଗ; ବରିଷ୍ଠ ଆଇପିଏସ ଅଧିକାରୀ ଅମ୍ରିତ ପଲ୍‌ ଗିରଫ

Published By : Prameya-News7 Bureau | July 04, 2022 IST

ବେଙ୍ଗାଲୁରୁ ୦୪/୦୭ : କର୍ଣ୍ଣାଟକ ପୋଲିସ ସବ ଇନିସପେକ୍ଟର ନିଯୁକ୍ତିରେ ହୋଇଥିବା ଦୁର୍ନୀତି ମାମଲାରେ ବରିଷ୍ଠ ଆଇପିଏସ୍ ଅଧିକାରୀ ଅମ୍ରିତ ପଲ୍‌ଙ୍କୁ ସିଆଇଡି (କ୍ରାଇମ ଇନଭେଷ୍ଟିଗେସନ ଡିପାର୍ଟମେଣ୍ଟ) ଗିରଫ କରିଛି। ଆଡିସନାଲ ଡାଇରେକ୍ଟର ଜେନେରାଲ ଅଫ୍ ପୋଲିସ(ଏଡିଜିପି) ଅମ୍ରିତ ପଲ୍‌ ସବ୍‌ ଇନିସପେକ୍ଟର ନିଯୁକ୍ତି ପକ୍ରିୟାରେ ଦୁର୍ନୀତି କରିଥିଲେ  ବୋଲି ଅଭିଯୋଗ ହୋଇଥିଲା। ସିଆଇଡି ଅଧିକାରୀ ଅମ୍ରିତ ପଲ୍‌ଙ୍କୁ ସୋମବାର ଗିରଫ କରିଛନ୍ତି। ଗିରଫ କରିବା ପୂର୍ବରୁ ସିଆଇଡି ଅଧିକାରୀ ଅମ୍ରିତଙ୍କୁ ଡାକ୍ତରଖାନା ନେଇ ତାଙ୍କର ସ୍ୱାସ୍ଥ୍ୟ  ପରୀକ୍ଷା କରିଥିଲେ। ଅମ୍ରିତଙ୍କୁ ହେପାଜତରେ ନିଆଯିବା ପରେ ତାଙ୍କୁ ପଚରା ଉଚୁରା କରାଯିବ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଷ୍ଟ୍ରଙ୍ଗ ରୁମ୍‌ରେ ରିଗିଂ, ପ୍ରଶ୍ନପତ୍ର ଏବଂ ଓଏମ୍‌ଆର ସିଟ୍ ଟାମ୍ପରିଂ କରିବା ମାମଲାରେ ଅମ୍ରିତଙ୍କୁ ଗିରଫ କରାଯାଇଛି। ଷ୍ଟ୍ରଙ୍ଗ ରୁମ୍ ଦାୟିତ୍ୱରେ ଥିବା ଡିଏସପି ସାନ୍ଥା କୁମାର ମଧ୍ୟ ପୂର୍ବରୁ ଗିରଫ ହୋଇଛନ୍ତି।

୫୪୫ ପୋଲିସ ସବ ଇନପେକ୍ଟର (ପିଏସଆଇ) ପଦରେ ନିଯୁକ୍ତି ପାଇଁ ଅକ୍ଟୋବର ୨୦୨୧ରେ ପରୀକ୍ଷା ହୋଇଥିଲା। ଏଥିପାଇଁ ୫୪ ହଜାର ୨୮୭ ଜଣ ପ୍ରାର୍ଥୀ ଆବେଦନ କରିଥିଲେ। ୯୩ ଟି କେନ୍ଦ୍ରରେ ପରୀକ୍ଷା ହୋଇଥିବା ବେଳେ ଜାନୁଆରୀ ୨୦୨୨ ରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। କିଛି ଛାତ୍ର ନମ୍ବର ଦେବାରେ ତ୍ରୁଟି ହୋଇଥିବା ନେଇ ଅଭିଯୋଗ କରିଥିଲେ। କର୍ଣ୍ଣାଟକର ଭୀରେଶ ଏନ୍‌ ନାମକ ଜଣେ ପ୍ରାର୍ଥୀ କଲ୍ୟାଣ ରିଜିଅନ୍‌ରେ ଯେତେବେଳେ ସପ୍ତମ ରାଙ୍କ ପାଇଥିଲେ ସେତେବେଳେ ଏହି ଦୁର୍ନୀତି ସାମ୍ନାକୁ ଆସିଥିଲା। ସେ ୧୦୦ଟିରୁ ମାତ୍ର ୨୧ ପ୍ରଶ୍ନର ଉତ୍ତର ଦେଇ ମଧ୍ୟ ୧୨୧ ମାର୍କ ରଖିଥିଲେ। ତଦନ୍ତ ପରେ ଜଣାପଡିଥିଲା ସେ ଉପରିସ୍ଥ ଅଧିକାରୀଙ୍କୁ ଟଙ୍କା ଦେଇ ସେ ଏହି ରାଙ୍କ ପାଇଛନ୍ତି। ଏହି ନିଯୁକ୍ତି ପକ୍ରିୟାରେ ଦୁର୍ନୀତି ହେବା ନେଇ ଅନେକ ଅଧିକାରୀଙ୍କ ହାତ ଥିବା ଅଭିଯୋଗ ହେବା ପରେ ୫୦ ଜଣଙ୍କୁ ଗିରଫ କରାଯାଇଛି। ଏହି ୫୦ ଜଣଙ୍କ ମଧ୍ୟରେ ସରକାରୀ ଅଧିକାରୀ, ଏଜେଣ୍ଟଙ୍କ ନାମ ରହିଛି ବୋଲି ପ୍ରାର୍ଥୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.