ବ୍ୟାସନଗର,୧୧|୧୦: ବିବାହିତ ହୋଇଥିଲେ ବି ବିବାହ ଆଳରେ ଜଣେ ଯୁବତୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରକ୍ଷା କରିଥିବା ଆୟକର ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କ ବିରୋଧରେ ଯାଜପୁର ରୋଡ୍ ଥାନାରେ ମାମଲା ରୁଜୁ ହୋଇଛି । ଦାନଗଦୀ ଅଞ୍ଚଳର ଏହି ଯୁବତୀ ସଂପୃକ୍ତ ଅଧିକାରୀଙ୍କ ଦ୍ୱାରା ବାରମ୍ବାର ଶାରୀରିକ ଏବଂ ମାନସିକ ନିର୍ଯାତନା ପାଇବା ପରେ ଶୁକ୍ରବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଥିଲେ ମଧ୍ୟ ଘଟଣା ଭୁବନେଶ୍ୱରରେ ଘଟିଥିବାରୁ ମାମଲାକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ହେଉଛି।
ଯାଜପୁର ରୋଡ୍ ଥାନାରେ ହୋଇଥିବା ଅଭିଯୋଗ ମୁତାବକ, ଯୁବତୀ ଜଣକ ଦିଲ୍ଲୀରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ଲାଭ ପରେ ବିଭିନ୍ନ ଅନୁଷ୍ଠାନ ସହ କାମ କରୁଥିଲେ। ବିବାହ ବୟସରେ ଉପନୀତ ହୋଇଥିବାରୁ ଜୀବନ ସାଥୀ ବାଛିବା ପାଇଁ ଅନ୍ଲାଇନ୍ର ସହାୟତା ନେଉଥିଲେ। ଗତ ୨୦୧୮ ଅପ୍ରେଲ ମାସରେ ଯୁବତୀ ଜଣକ କୌଣସି ଏକ କାର୍ଯ୍ୟ ପାଇଁ ପୁରୀ ଯାଇଥିଲେ । ସେଠାରେ ଟିଣ୍ଡର ନାମକ ଏକ ଅନ୍ଲାଇନ୍ ସାଇଡ୍ ଯୋଗେ ତାଙ୍କର ଯୋଡ଼ି ବାଛିବାକୁ ଚେଷ୍ଟା କରୁଥିବା ବେଳେ କଟକ ଆୟକର ବିଭାଗର କମିଶନର ଭାବେ କାର୍ଯ୍ୟରତ ସଦ୍ କିଦୱାଇଙ୍କ ସହ ସମ୍ପର୍କ ସ୍ଥାପନ ହୋଇଥିଲା। ସେହିଦିନଠାରୁ ଉଭୟଙ୍କ ମଧ୍ୟରେ ଅନ୍ଲାଇନ୍ ଚାଟିଂ ଆରମ୍ଭ ହୋଇଥିଲା । ଏପରିକି ସପ୍ତାହରେ ଥରେ ଉଭୟ ଉଭୟଙ୍କୁ ଭେଟୁଥିଲେ । କିଦୱାଇ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ । କେବଳ ବିବାହ କଥା ନୁହେଁ ଜୀବନ ଭରି ତାଙ୍କୁ ଖୁସିରେ ରଖିବେ ବୋଲି କହିଥିଲେ ।
ଦୀର୍ଘ ୨୦ ମାସର ସମ୍ପର୍କ ଭିତରେ ଥରେ ନୁହେଁ ଏକାଧିକ ଥର ଶାରୀରିକ ସମ୍ପର୍କ ରଖିଥିଲେ। ମନ ଭରିଯିବା ପରେ ଏବେ ପ୍ରତିଶ୍ରୁତି ପାଳନ କରିବାକୁ ମନା କରିଦେଲେ । ତାଙ୍କୁ ଭେଟିବାକୁ ଯିବାରୁ ଯୁବତୀଙ୍କୁ ଖରାପ ବ୍ୟବହାର କରିଥିଲେ। ଏପରିକି କ୍ଷମତାର ଡର ଦେଖାଇ ତାଙ୍କ ବାପାଙ୍କୁ ବାରମ୍ବାର ଡକାଇ ଚେତାବନୀ ଦେଇଥିଲେ । ଯୁବତୀଙ୍କୁ ମଧ୍ୟ ଭୟ ଦେଖାଇଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି । ଯୁବତୀଙ୍କ ଏତଲା ଆଧାରରେ ଯାଜପୁର ରୋଡ୍ ପୁଲିସ ଭାରତୀୟ ପିଙ୍ଗଳ କୋର୍ଟ ଧାରା ୪୧୭, ୪୯୩, ୫୦୬ରେ ସଦ୍ କିଦୱାଇଙ୍କ ବିରୋଧରେ ମାମଲା ରୁଜୁ କରିଛି । ମାତ୍ର ଭୁବନେଶ୍ୱର, ପୁରୀ ଏବଂ କଟକଠାରେ ଏହି ଘଟଣା ଘଟିଥିବାରୁ ଯାଜପୁର ରୋଡ୍ ପୁଲିସ ମାମଲାକୁ କମିଶନରେଟ ପୁଲିସକୁ ପଠାଇବାର ଯୋଜନା କରିଛି ।