ଭୁଲ୍ ଚିକିତ୍ସା ପାଇଁ ପୁଅର ଜୀବନ ଯାଇଥିବା ଅଭିଯୋଗ, ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
6/03/2023 at 3:20 PM

ଭଦ୍ରକ ୬।୩: ଭୁଲ ଚିକିତ୍ସା ପାଇଁ ଏକମାତ୍ର ସନ୍ତାନର ଜୀବନ ଗଲା । ମେଧାବୀ ଛାତ୍ରଙ୍କ ଭବିଷ୍ୟତ ଉଜୁଡି ଗଲା । ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ଏମିତି କିଛି ଅଭିଯୋଗ ଆଣିଛନ୍ତି ମୃତ ଛାତ୍ରଙ୍କ ପରିବାର ଲୋକେ ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ବନ୍ତ ଥାନା ବସନ୍ତିଆ ଅଞ୍ଚଳର ଶୁଭେନ୍ଦୁ ରାଉଳ ନାମକ ଦଶମ ଶ୍ରେଣୀ ଛାତ୍ରଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ଭଦ୍ରକ କଲେଜ ଛକ ନିକଟରେ ଥିବା ଏକ ଘରୋଇ କ୍ଲିନିକକୁ ନେଇଥିଲେ । ସାମାନ୍ୟ ଜ୍ୱର ହୋଇଥିବା ସତ୍ତ୍ୱେ ଇଞ୍ଜେକ୍ସନ ନେବା ପରେ ଅବସ୍ଥା ଗୁରୁତର ହୋଇଥିଲା । ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରିବା ସତ୍ତ୍ୱେ ଶୁଭେନ୍ଦୁଙ୍କର ମୃତ୍ୟୁ ହୋଇଥିଲା । ତେବେ ପରେ ଉତ୍ତେଜନା ସହ ଡାକ୍ତରଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିନଥିବା କହିଛନ୍ତି ମୃତକଙ୍କ ବାପା । ତେବେ ଘରୋଇ କ୍ଲିନିକର ଲାଇସେନ୍ସ ଯାଞ୍ଚ କରିବା ସହ ଇଞ୍ଜେକ୍ସନ ଦେଇଥିବା କର୍ମଚାରୀଙ୍କର ମଧ୍ୟ କୌଣସି ଆବଶ୍ୟକୀୟ ଶିକ୍ଷାଗତ ଯୋଗ୍ୟତା ନଥିବା କହିଛନ୍ତି । ତେବେ ଶୁଭେନ୍ଦୁଙ୍କ ମୃତ୍ୟୁ ପାଇଁ ଦାୟୀ ଡାକ୍ତର ଓ କର୍ମଚାରୀଙ୍କ ବରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଭଦ୍ରକ ଟାଉନ ଥାନାରେ ଲିଖିତ ଅଭିଯୋଗ ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଭାବକ କହିଛନ୍ତି । ତେବେ ଆଗାମୀ ଦିନରେ ମୃତ ପୁଅକୁ ନ୍ୟାୟ ପାଇଁ ମାନବାଧିକାର କମିଶନ ଓ ଉପରିସ୍ଥ ଅଧିକାରୀଙ୍କୁ ଭେଟିବେ । ଆବଶ୍ୟକ ହେଲେ ରାଷ୍ଟ୍ରପତିଙ୍କୁ ମଧ୍ୟ ଏ ନେଇ ଅଭିଯୋଗ କରିବେ ବୋଲି ଶୁଭେନ୍ଦୁଙ୍କ ପରିବାର ଓ ଗ୍ରାମବାସୀ କହିଛନ୍ତି ।