ପ୍ରଫେସରଙ୍କୁ ମାଡ଼ ମାରିବା ଅଭିଯୋଗରେ ଦୁଇ ଛାତ୍ର ଗିରଫ, ସଙ୍ଗୀନ୍‌ ଅଭିଯୋଗରେ ପ୍ରେଫେସର ମଧ୍ୟ ଗିରଫ

Published By : Prameya-News7 Bureau | June 30, 2022 IST

 ବ୍ରହ୍ମପୁର, ୩୦/୦୬: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ନାତକୋତ୍ତର ଓଡ଼ିଆ ବିଭାଗର ଜଣେ ପ୍ରଫେସରଙ୍କୁ ମାଡ଼ ମାରିବା ଘଟଣାରେ ପୁଲିସ ଦୁଇ ଛାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପଟେ ପାଲଟା ଅସଦାଚରଣ ଅଭିଯୋଗରେ ପ୍ରଫେସର ମଧ୍ୟ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାପଡ଼ିଛି ।

ଘଟଣା ପ୍ରକାରେ, ଗିରଫ ଦୁଇ ଜଣ ହେଲେ ସାମ୍ବାଦିକ ଗଣ ଯୋଗାଯୋଗ ବିଭାଗର ଛାତ୍ର । ଗତକାଲି ସନ୍ଧ୍ୟା ୭ଟା ବେଳେ ଅନଲାଇନ କ୍ଲାସ କରୁଥିବା ସମୟରେ ଏହି ଦୁଇ ଛାତ୍ର ପ୍ରଫେସରଙ୍କ କ୍ୱାର୍ଟରରେ ପଶି ପ୍ରଫେସରଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାରପିଟ୍‌ କରି ମୋବାଇଲ ଭାଙ୍ଗି ଦେଇଥିଲେ। ଏନେଇ ପ୍ରଫେସର ଗତକାଲି ମଧ୍ୟରାତ୍ରରେ ଗୋପାଳପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ପୁଲିସ କେସ ନଂ ୧୨୩/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗ ପରେ ପୁଲିସ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରହୁଥିବା କ୍ୱାର୍ଟରକୁ ଯାଇ ଦୁଇ ଛାତ୍ରଙ୍କୁ କାବୁ କରି ଥାନାରେ ଅଟକ ରଖି ତଦନ୍ତ ଚଳାଇଥିଲା । ତଦନ୍ତ ପରେ ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଶ୍ରୀକାନ୍ତ ଖମାରି ।

ଅନ୍ୟପଟେ ସ୍ନାତକୋତ୍ତର ଓଡ଼ିଆ ବିଭାଗର ଛାତ୍ରୀଙ୍କୁ ଅସଦାଚରଣ କରିଥିବା ମାମଲାରେ ଉକ୍ତ ପ୍ରଫେସରଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଅଭିଯୋଗ ଅନୁସାରେ ଚଳିତ ବର୍ଷ ମେ ମାସ ୨୧ତାରିଖ ଦିନ କିଛି ବହି ଦେବା ସହ ପାଠ ଆଲୋଚନା ପାଇଁ ସନ୍ଧ୍ୟା ୪:୩୦ସମୟରେ ପ୍ରଫେସର ରହୁଥିବା କ୍ୱାର୍ଟରକୁ ଡାକିଥିଲେ । କିଛି ସମୟ ପରେ ସମ୍ବେଦନଶୀଳ ଅଙ୍ଗଙ୍କୁ ଛୁଇଁବାକୁ ସେ ଚେଷ୍ଟା କରୁଥିଲେ। କିନ୍ତୁ କୌଶଳ କ୍ରମେ ସେଠାରୁ ପଳାଇ ଆସିଥିଲି ବୋଲି ଛାତ୍ରୀ ଅଭିଯୋଗ କରିଛନ୍ତି । କିନ୍ତୁ ପରିବାର ଲୋକଙ୍କୁ କିମ୍ବା କୌଣସି ସହ ପାଠୀଙ୍କୁ ଏହି ବିଷୟରେ ଜଣାଇ ନ ଥିଲେ । କିଛି ଦିନ ମାନସିକ ଚାପରେ ରହୁଥିଲେ । କିଛି ଦିନ ପରେ ସହପାଠୀ ମାନେ ବାରମ୍ବାର ପଚାରିବାରୁ ବାଧ୍ୟ ହୋଇ ମୋର ଜଣେ ସାଙ୍ଗଙ୍କୁ ଏହି ବିଷୟରେ ଜଣାଇଥିଲେ ବୋଲି କହିଥିଲେ ଛାତ୍ରୀ।

ପରେ ଗୋପାଳପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ପୁଲିସ କେସ ନଂ ୧୨୪/୨୨ରେ ଏକ ମାମଲା ରୁଜୁ କରି ପ୍ରଫେସର ନାୟକଙ୍କୁ ପଚରାଉଚରା କରିଥିଲେ । ପଚରାଉଚରା ବେଳେ ଡ଼ିଏସପି କଳ୍ପନା କହଁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରି ତଦନ୍ତ କରିଥିଲେ । ତଦନ୍ତ ପରେ ପୁଲିସ ଅସଦାଚରଣ ମାମଲା ରୁଜୁ କରି  ପ୍ରଫେସର ସଦାନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀକାନ୍ତ ଖମାରି ସୂଚନା ଦେଇଛନ୍ତି ।

ତେବେ ଆରୋପ ପ୍ରତ୍ୟାରୋପରେ କିଏ ସତ ତାହା କହିବା ମୁସ୍କିଲ୍‌ । ପ୍ରଫେସରଙ୍କ ଅଭିଯୋଗ ସତ ନା ଛାତ୍ରୀଙ୍କ ଅଭିଯୋଗ ସତ ସେନେଇ ଜଣାପଡ଼ିନାହିଁ । କିନ୍ତୁ ଏପରି ଏକ ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ କାହାକୁ ନ୍ୟାୟ ମିଳିବ ତାହା ଜଣାପଡ଼ିବ । ଏହି ଭଳି ଘଟଣା ପ୍ରଥମ ବୋଲି ଜଣାପଡିଛି। ଦୋଷୀଙ୍କୁ ଠିକ୍‌ ଦଣ୍ଡ ମିଳିବ ବୋଲି ବୁଦ୍ଧିଜୀବୀ ମହଲରେ ଆଶା କରାଯାଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.