ଯେଉଁ ସମାଜରେ ମହିଳାଙ୍କ ସମ୍ମାନ ନାହିଁ, ତାହା ସଭ୍ୟ ସମାଜ ନୁହେଁ, ଜାଣନ୍ତୁ ଇସ୍ଲାମ ଦ୍ୱିତୀୟ ବିବାହରେ ଆଲହାବାଦ ହାଇକୋର୍ଟ କହିଲେ କ’ଣ?

Published By : Prameya-News7 Bureau | October 11, 2022 IST

ପ୍ରୟାଗରାଜ ୧୧।୧୦: ଆଲହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଇସ୍ଲାମିକ ଆଇନ ଜଣେ ପତ୍ନୀ ଥାଇ ମୁସଲମାନକୁ ଦ୍ୱିତୀୟ ବିବାହ ଲାଗି ଅଧିକାର ଦେଇଛି, ତେବେ ପ୍ରଥମ ପତ୍ନୀଙ୍କୁ ତାଙ୍କ ଇଚ୍ଛା ବିରୋଧରେ ଏକାଠି ରହିବାକୁ ବାଧ୍ୟ କରିବା ଲାଗି କୋର୍ଟଙ୍କ ଆଦେଶ ପାଇବାକୁ ଅଧିକାର ଦେଇନଥିବା କହିଛନ୍ତି।  ହାଇକୋର୍ଟ କହିଛନ୍ତି ଯେ ପତ୍ନୀଙ୍କ ସହମତି ବିନା ତାଙ୍କୁ ନ ଜଣାଇ ଦ୍ୱିତୀୟ ବିବାହ କରିବା ତାଙ୍କପ୍ରତି ନିଷ୍ଠୁରତା। ଏଥିରେ କୋର୍ଟ ଯେଉଁ ସମାଜରେ ମହିଳାଙ୍କ ସମ୍ମାନ ନାହିଁ ସେ ସମାଜକୁ ସଭ୍ୟ ସମାଜ କୁହାଯାଇପାରିବନି ବୋଲି କହିଛନ୍ତି।

ଏଲହାବାଦ ହାଇକୋର୍ଟ କହିଛନ୍ତି ଯେ ମହିଳାଙ୍କୁ ସମ୍ମାନ କରୁଥିବା ଦେଶକୁ ସଭ୍ୟ ଦେଶ କୁହାଯାଇପାରେ। ଏଣୁ ମୁସଲମାନ ନିଜେ ଜଣେ ପତ୍ନୀ ଥାଇ ଦ୍ୱିତୀୟ ବିବାହରୁ ନିବୃତ୍ତ ରହିବା ଦରକାର ବୋଲି କହିଛନ୍ତି। ଜଣେ ପତ୍ନୀଙ୍କ ପ୍ରତି ନ୍ୟାୟ କରିପାରୁନଥିବା ମୁସ୍ଲିମକୁ ଦ୍ୱିତୀୟ ବିବାହ କରିବା ଲାଗି ସ୍ୱୟଂ କୁରାନ ମଧ୍ୟ ଅନୁମତି ଦେଉ ନଥିବା କୋର୍ଟ କହିଛନ୍ତି। ଏହା ସତ୍ତ୍ୱେ ଯଦି କୋର୍ଟ ପ୍ରଥମ ପତ୍ନୀଙ୍କୁ ତାଙ୍କ ଇଛା ବିନା ସ୍ୱାମୀଙ୍କ ସହିତ ରହିବାକୁ ବାଧ୍ୟ କରନ୍ତି ଏହା ସମ୍ପୃକ୍ତ ମହିଳାଙ୍କ ଗୌରବମୟ ଜୀବନ ଓ ବ୍ୟକ୍ତି ସ୍ୱତନ୍ତ୍ରତାର ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ହେବ ବୋଲି କହିଛନ୍ତି।

ହାଇକୋର୍ଟ କୁରାନର ସୁରା ୪ ଆୟତ ୩ର ଉଦାହରଣ ଦେଇ କହିଛନ୍ତି ଯେ ଯଦି ମୁସଲମାନ ନିଜ ପତ୍ନୀ ଓ ପିଲାଙ୍କ ଉପଯୁକ୍ତ ଦେଖାଶୁଣା କରିବାକୁ ଅକ୍ଷମ ତାଙ୍କୁ ଦ୍ୱିତୀୟ ବିବାହ ଲାଗି ଅନୁମତି ଦିଆଯାଇ ନପାରେ ବୋଲି ସ୍ପଷ୍ଟ ରୂପେ ଉଲ୍ଲେଖ ରହିଛି। ହାଇକୋର୍ଟଙ୍କ ଜଷ୍ଟିସ୍ ଏସ.ପି.କେସରୱାନୀ ଓ ଜଷ୍ଟିସ୍ ରେଜେନ୍ଦ୍ର କୁମାରଙ୍କ ଖଣ୍ଡପୀଠ ମାମଲାରେ କବିର ନଗର ଫ୍ୟାମିଲି କୋର୍ଟଙ୍କ ଆଦେଶକୁ କାୟମ ରଖିଥିବା ବେଳେ ଏହାକୁ ଚାଲେଞ୍ଜ କରିଥିବା ଅଜିଜୁର୍ରହମାନଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି।

ସନ୍ଥ କବୀର ନଗର ଫ୍ୟାମିଲିକୋର୍ଟ ପ୍ରଥମ ପତ୍ନୀ ହମିଦୁନ୍ନିଶା ଓରଫ ସଫିକୁଂନିଶାଙ୍କୁ ତାଙ୍କ ଇଛା ବିରୋଧରେ ପତିଙ୍କ ସହିତ ରହିବା ଲାଗି ଆଦେଶ ଦେବାକୁ ମନା କରିଦେଇଥିଲେ। ଏହି ରାୟକୁ ଆବେଦନକାରୀ ଅଜିଜୁର୍ରହମାନ ଏଲହାବାଦ ହାଇକୋର୍ଟରେ ଚାଲେଞ୍ଜ କରିଥିବା ବେଳେ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.