କାଶୀ ବିଶ୍ୱନାଥ ପରି ବାଙ୍କେ ବିହାରୀଙ୍କ ମନ୍ଦିରରେ ନିର୍ମାଣ ହେବ କରିଡୋର, ହାଇକୋର୍ଟଙ୍କ ମଞ୍ଜୁରୀ
20/11/2023 at 9:54 PM

ନୂଆଦିଲ୍ଲୀ: କାଶୀ ବିଶ୍ୱନାଥ ମନ୍ଦିର ପରି ବୃନ୍ଦାବନର ବାଙ୍କେ ବିହାରୀ ମନ୍ଦିରରେ କରିଡୋର ନିର୍ମାଣ ବାଟ ଫିଟିଛି । ଆଲାହାବାଦ ହାଇକୋର୍ଟ ବୃନ୍ଦାବନ ସ୍ଥିତ ବାଙ୍କେ ବିହାରୀ ମନ୍ଦିରରେ ଦର୍ଶନକୁ ସୁଲଭ କରାଇବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ କରିଡୋର ନିର୍ମାଣ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ରାଜ୍ୟ ସରକାର ପ୍ରସ୍ତାବିତ ଯୋଜନା କାର୍ଯ୍ୟକାରୀ କରନ୍ତୁ, କିନ୍ତୁ ଏହି କାର୍ଯ୍ୟ ପାଇଁ ମନ୍ଦିର ପାଣ୍ଠିର ଉପଯୋଗ କରିବେ ନାହିଁ । ଏହାସହ ମନ୍ଦିର ଖାତାରେ ଜମା ଥିବା ୨୬୨ କୋଟି ଟଙ୍କାର ଉପଯୋଗ ଉପରେ ରୋକ ଲଗାଇଛନ୍ତି । କୋର୍ଟ କହିଛନ୍ତି ଯେ ଏହି କାର୍ଯ୍ୟ ପାଇଁ ସରକାର ନିଜ ପଇସା ଖର୍ଚ୍ଚ କରିବେ ।
କରିଡୋର ନିର୍ମାଣ ପାଇଁ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ କୋର୍ଟ ଅନୁମତି ଦେଇଛନ୍ତି । ଏହାସହ ଜବର ଦଖଲ ଉଚ୍ଛେଦ ପାଇଁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି । ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ପ୍ରୀତିଙ୍କର ଦିବାକର ଓ ଜଷ୍ଟିସ୍ ଆଶୁତୋଷ ଶ୍ରୀବାସ୍ତବଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ଅନନ୍ତ ଶର୍ମାଙ୍କ ଜନହିତ ଯାଚିକା ଉପରେ ଶୁଣାଣି କରି ଏହି ରାୟ ଦେଇଛନ୍ତି ।
ପଢନ୍ତୁ: ଭକ୍ତଗଣ ଧ୍ୟାନ ଦିଅନ୍ତୁ! ବୃନ୍ଦାବନ ବାଙ୍କେବିହାରୀ ମନ୍ଦିରକୁ ଏବେଠୁ ମୋବାଇଲ ମନା
ବାଙ୍କେ ବିହାରୀ ମନ୍ଦିରରକୁ ପ୍ରତିଦିନ ୪୦ରୁ ୫୦ ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସୁଥିବା କୋର୍ଟକୁ ଅବଗତ କରାଯାଇଥିଲା । ଛୁଟି ଓ ପର୍ବ ସମୟରେ ଏହି ସଂଖ୍ୟା ଦେଢ ଲକ୍ଷ ଯାଏ ପହଞ୍ଚିଥାଏ । ମନ୍ଦିରକୁ ଯିବା ରାସ୍ତା ଅତି ସଂକୀର୍ଣ୍ଣ ଓ ଏତେ ସଂଖ୍ୟାରେ ଲୋକଙ୍କୁ ସମ୍ଭାଳିବା ପାଇଁ କ୍ଷମତା ନାହିଁ । ଏହା ଯାତ୍ରା ମାର୍ଗରେ ଅନେକ ପ୍ରସାଦ ଦୋକାନ ମଧ୍ୟ ରହିଛି, ଯେଉଁଥି ପାଇଁ ଅଧିକ ସମସ୍ୟ ମଧ୍ୟ ହେଉଛି ।
କୋର୍ଟ କହିଛନ୍ତି ଯେ ଯଦିଓ ମନ୍ଦିର ପ୍ରାଇଭେଟ୍ ପ୍ରୋପର୍ଟି କିନ୍ତୁ ଯଦି ଏତେ ସଂଖ୍ୟାରେ ଲୋକ ଆସୁଛନ୍ତି ଓ ଭିଡ ନିୟନ୍ତ୍ରଣ କରିବା ଏବଂ ଲୋକଙ୍କ ସୁବିଧା ଦୃଷ୍ଟିରୁ ସମସ୍ତ ବ୍ୟବସ୍ଥା କରିବା ସରକାରଙ୍କ ଦାୟିତ୍ୱ । ମନ୍ଦିର ଫଣ୍ଡ ଉପଯୋଗ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କୋର୍ଟ ଖାରଜ କରି କହିଛନ୍ତି ଯେ ଆକାଉଣ୍ଟରେ ଥିବା ୨୬୨.୫୦ କୋଟି ଟଙ୍କାକୁ ହାତ ମାରିବେ ନାହିଁ । ସରକାର ନିଜ ଖର୍ଚ୍ଚରୁ ସମସ୍ତ ସୁବିଧା ବ୍ୟବସ୍ଥା କରିବା ଦରକାର । ଏହାସହ ନିର୍ମାଣ ସମୟରେ ଦର୍ଶନ ପାଇଁ ବୈକଳ୍ପିକ ବ୍ୟବସ୍ଥା କରାଇବା ପାଇଁ କୋର୍ଟ କହିଛନ୍ତି । ଦର୍ଶନରେ କୌଣସି ଅସୁବିଧା ନହେବ ତାର ବ୍ୟବସ୍ଥା କରିବାକୁ କହିଛନ୍ତି ।