ନୂଆଦିଲ୍ଲୀ ୨୯।୦୫: ଆଇପିଏଲ୍ର ବିବାଦୀୟ କ୍ୟାପଟେନ୍ । ଏବେ ପର୍ସନାଲ୍ ଲାଇଫ୍କୁ ନେଇ ଖୁବ୍ ଚର୍ଚ୍ଚାରେ । ହାର୍ଦ୍ଦିକ୍ ପାଣ୍ଡ୍ୟାକୁ ପତ୍ନୀ ନତାସା ଦେବେ ଡିଭୋର୍ସ । ଯାହାକୁ ନେଇ ଖୁବ୍ ସରଗରମ ମାହୋଲ୍ । କେବଳ ହାର୍ଦ୍ଦିକ ପାଣ୍ଡ୍ୟା ହିଁ ନୁହଁନ୍ତି ତାଙ୍କ ପୂର୍ବରୁ ଅନେକ କ୍ରିକେଟରଙ୍କୁ ମହଙ୍ଗା ପଡିଛି ଡିଭୋର୍ସ । ଆସନ୍ତୁ ଜାଣିବା ସେହି ଭାରତୀୟ କ୍ରିକେଟରଙ୍କ ବିଷୟରେ...
ଭାରତୀୟ ବ୍ୟାଟର ଶିଖର ଧାୱନ । ସେ ମଧ୍ୟ ଛାଡପତ୍ରର ହୋଇଛନ୍ତି ସମ୍ମୁଖୀନ । ଧୱନ ୨୦୧୨ରେ ଆୟେଶା ମୁଖାର୍ଜୀଙ୍କୁ ବିବାହ କରିଥିଲେ । ଧାୱନ ଏବଂ ଆୟେଶାଙ୍କ ବିବାହ ଅଧିକ ଦିନ ତିଷ୍ଠି ପାରି ନଥିଲା । ଦୁହେଁ ଛାଡପତ୍ର ନେଇଥିଲେ । ରିପୋର୍ଟ ଅନୁଯାୟୀ ଧାୱନ ସେମାନଙ୍କର ୮ ବର୍ଷର ଦାମ୍ପତ୍ୟ ଜୀବନରେ ଆୟେଶାଙ୍କୁ ମୋଟ ୧୩ କୋଟି ଟଙ୍କା ପଠାଇଥିଲେ। ଏହାବ୍ୟତୀତ ଧାୱନ ଅଷ୍ଟ୍ରେଲିଆରେ ୩ଟି ସମ୍ପତ୍ତି କିଣିଥିଲେ । ସେଥିମଧ୍ୟରୁ ୨ଟି ଆୟେଶାଙ୍କ ନାଁରେ ରହିଛି । ଆୟେଶା ବୃତ୍ତିରେ ଜଣେ କିକ୍ ବକ୍ସର । କିନ୍ତୁ ଧୱନଙ୍କୁ ବିବାହ କରିବା ପରେ ସେ ନିଜ କାମ ଛାଡି ଦେଇଥିଲେ ।
ଚିୟରଲିଡରଙ୍କ ପ୍ରେମରେ ଗିରଫ ହୋଇଥିଲେ ଟିମ୍ ଇଣ୍ଡିଆର ଫାଷ୍ଟ ବୋଲର ମହମ୍ମଦ ଶାମି । ଶାମିଙ୍କ ପତ୍ନୀ ହସିନ୍ ଜାହାନ୍ କୋଲକାତା ନାଇଟ୍ ରାଇଡର୍ସର ଚିୟରଲିଡ ଥିଲେ । ଆଇପିଏଲରେ ଦେଖା ହେବା ପରେ ଉଭୟ ୨୦୧୪ରେ ବିବାହ କରିଥିଲେ । କିନ୍ତୁ ବିବାହର ୪ ବର୍ଷ ପରେ ହସିନ ଶାମିଙ୍କ ବିରୋଧରେ ଆଣିଥିଲେ ଗୁରୁତର ଅଭିଯୋଗ । ଏହାପରେ ସେମାନେ ଅଲଗା ରହିଥିଲେ ।
ତେବେ ହସିନଙ୍କ ଠାରୁ ଅଲଗା ହେବା ପରେ ଶାମିଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା । ଏପରିକି ବିସିସିଆଇ ମଧ୍ୟ ତାଙ୍କ ଚୁକ୍ତିନାମାକୁ ରଦ୍ଦ କରିଥିଲେ । ବର୍ତ୍ତମାନ ଯାଏଁ ଉଭୟଙ୍କର ଛାଡପତ୍ର ହୋଇନି । କିନ୍ତୁ କୋର୍ଟଙ୍କ ଆଦେଶ ଅନୁଯାୟୀ ଶାମି ହସିନଙ୍କୁ ମାସିକ ଭରଣପୋଷଣ ବାବଦରେ ମାସିକ ୧ ଲକ୍ଷ ୩୦ ହଜାର ଟଙ୍କା ଦେଉଛନ୍ତି ।
କ୍ରିକେଟର ମହମ୍ମଦ ଅଜହରୁଦ୍ଦିନ । ୧୯୮୭ରେ ନୌରିନ୍ଙ୍କୁ ଆରେଞ୍ଜ ମ୍ୟାରେଜ୍ କରିଥିଲେ । କିନ୍ତୁ ବିବାହିତ ହେବା ପରେ ମଧ୍ୟ ଅଜହରୁଦ୍ଦିନ ବଲିଉଡ ଅଭିନେତ୍ରୀ ସଂଗୀତା ବିଜଲାନୀଙ୍କ ପ୍ରେମରେ ପଡିଥିଲେ। ସଂଗୀତାଙ୍କୁ ବିବାହ କରିବା ପାଇଁ ଅଜହରୁଦ୍ଦିନ ୧୯୯୬ରେ ନୌରିନ୍ଙ୍କୁ ଛାଡପତ୍ର ଦେଇଥିଲେ । ଏପଟେ ସଂଗୀତାଙ୍କ ସହ ମଧ୍ୟ କ୍ରିକେଟରଙ୍କ ବିବାହ ବେଶୀ ଦିନ ତିଷ୍ଟିଲାନି । ଆଉ ୨୦୧୦ରେ ଦୁହେଁ ଅଲଗା ହୋଇଥିଲେ ।
ଟିମ୍ ଇଣ୍ଡିଆର ବ୍ୟାଟର ଦୀନେଶ କାର୍ତ୍ତିକ । ୨୦୦୭ରେ ତାଙ୍କ ପିଲାଦିନର ବନ୍ଧୁ ନିକିତା ବଂଜାରାଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର ୫ବର୍ଷ ପରେ ଦୁହେଁ ଛାଡପତ୍ର ନେଇଥିଲେ। ଏହାପରେ ୨୦୧୫ରେ ଦୀନେଶ ଦ୍ୱିତୀୟ ଥର ପାଇଁ ଭାରତୀୟ ସ୍କ୍ୱାସ୍ ପ୍ଲେୟର ଦୀପିକା ପଲ୍ଲିକଲଙ୍କୁ ବିବାହ କରିଥିଲେ। ତେବେ ଏହି ଲିଷ୍ଟରେ ରହିଛନ୍ତି ଅନେକ । କେହି ଛାଡପତ୍ର ଦେଇ ଖୁସିରେ ଅଛନ୍ତି ତ ଆଉ କେହି ଅସୁବିଧାର ହୋଇଛନ୍ତି ସମ୍ମୁଖୀନ ।