ସବୁ ପରିଶ୍ରମ ପୋଡି ଜଳି ହୋଇଗଲା ପାଉଁଶ: ଖଳାରେ ଲାଗିଲା ନିଆଁ, ଟ୍ରାକ୍ଟର ସହ ଜଳିଗଲା ସବୁ ଧାନ ଗଦା
7/11/2020 at 4:51 PM

ନବରଙ୍ଗପୁର୭/୧୧: ଟ୍ରାକ୍ଟର ଓ ଧାନ ଝଡ଼ାଇବା ବା ମଳା ମେସିନ ସହ ଜଳିଗଲା ଧାନ ଗଦା । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ତୁମ୍ଵର୍ଲା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସେହି ଗାଁର ଶେଷାନନ୍ଦ ସାହୁ ପ୍ରାୟ ୬ ଏକର ଜମିରେ ଧାନ ଚାଷ କରି ନିଜ ଖଳାରେ ଧାନ ଗଦା କରି ରଖିଥିଲେ। ଶୁଖିଲା ପାଗ ଦେଖି ଶେଷାନନ୍ଦ ଘର ଖଳାରେ ଥିବା ଧାନ ଗଦାରୁ ଧାନ ଅମଳ କରିବାକୁ ଏକ ଟ୍ରାକ୍ଟର ସହ ଥିବା ଧାନ ମଳା ମେସିନ ଆଣିଥିଲେ।

ଧାନ ଅମଳ କରୁଥିବା ସମୟରେ କୌଣସି କାରଣରୁ ହଠାତ୍ ଟ୍ରାକ୍ଟରରୁ ଧୂଆଁ ବାହାରିବା ପରେ ପାଖରେ ଥିବା ଧାନ ଗଦାରେ ନିଆଁ ଲାଗିଯାଇଥିଲା। ଏହାପରେ ଖଳାରେ ଥିବା ସମସ୍ତ ଧାନ ଗଦାରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳି ଯାଇଥିଲା।

ନିଆଁର ପ୍ରକୋପ ଏତେ ଥିଲା ଯେ ନିଆଁକୁ ଆୟତ୍ତ କରିବାକୁ ଗାଁ ଲୋକେ ସାହସ ଜୁଟାଇ ପାରିନଥିଲେ। ପରେ ଗାଁ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ସମୟ ମଧ୍ୟରେ ଧାନ ଅମଳ ମେସିନ ସହ ଧାନ ଗଦାର ଧାନ ଜଳି ପୋଡି ନଷ୍ଟ ହୋଇଯାଇଛି। ଟ୍ରାକ୍ଟରଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଡ୍ରାଇଭର ସହ ସେଠାରେ କାମ କରୁଥିବା କିଛି ଲୋକମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ।