ଚେନ୍ନାଇ: ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ସେପ୍ଟେମ୍ବର ୧୯ ତାରିଖରେ ଖେଳାଯିବ। ଏଥିପାଇଁ ଦୁଇ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଏହା ମଧ୍ୟରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି। ରୋହିତ ଶର୍ମାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ବାଂଲାଦେଶର ଖେଳାଳି ବୟାନବାଜି କରୁଛନ୍ତି ଯେ, ଭାରତକୁ ତାରି ଘରେ ହରାଇବାର ସେମାନଙ୍କୁ ବହୁତ ମଜା ଲାଗିବ। ଏହା ଉପରେ ରୋହିତ କହିଛନ୍ତି ସବୁ ଦଳକୁ ସେମିତି ଲାଗିଥାଏ। ଆମର ଫୋକସ୍ ଭଲ କ୍ରିକେଟ୍ ଖେଳିବା ଉପରେ ରହିଛି। ବାଂଲାଦେଶ ଗୋଟିଏ ବି ମ୍ୟାଚ୍ ଭାରତରେ ଜିତି ନାହିଁ।
ଚେନ୍ନାଇ ମ୍ୟାଚ୍ର ଅବ୍ୟବହିତ ପୂର୍ବରୁ ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରୋହିତ କହିଛନ୍ତି, ସବ ଦଳକୁ ଭାରତକୁ ହରାଇବାରେ ମଜା ଲାଗିଥାଏ। ସେମାନଙ୍କୁ ମଜା ନେବାକୁ ଦିଅନ୍ତୁ। ଯେବେ ଇଂଲଣ୍ଡ ଦଳ ଭାରତ ଗସ୍ତରେ ଆସିଥାଏ ତେବେ ସାମ୍ବାଦିକ ସମ୍ମିଳନୀରେ ଏମିତି କଥା କହିଥାନ୍ତି। କିନ୍ତୁ ଆମର ଧ୍ୟାନ ସେମାନଙ୍କ ଉପରେ ନୁହେଁ ନିଜ ଖେଳ ଉପରେ ଥାଏ। ଆମେ ସର୍ବଦା ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥାଉ। ଉଲ୍ଲେଖନୀୟ ନିକଟରେ ବାଂଲାଦେଶ ପାକିସ୍ତାନକୁ ତାରି ମାଟିରେ ୨-୦ରେ ଟେଷ୍ଟ ସିରିଜ୍ ହରାଇଛି। ଦଳର ମନୋବଳ ବେଶ ଦୃଢ ରହିଛି। ଆଉ ରୋହିତ ବାହିନୀ ମଧ୍ୟ ପୁରା ପ୍ରସ୍ତୁତ।
ରୋହିତ କହିଛନ୍ତି, ଚେନ୍ନାଇରେ ଆମର ଅଭ୍ୟାସ ଶିବିର ଭଲ ଚାଲିଛି। କିଛି ଖେଳାଳି ଦଲୀପ ଟ୍ରଫି ଖେଳିଛନ୍ତି। ତେଣୁ ପ୍ରସ୍ତୁତି ଆମର ଭଲ ରହିଛି। ଦେଶ ପାଇଁ ଖେଳିବା ସମୟରେ ପ୍ରତିଟି ମ୍ୟାଚ୍ ଆମ ପାଇଁ ଗୁରୁତ୍ଵପୂର୍ଣ୍ଣ। ଏହା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ରିହର୍ସଲ ନୁହେଁ। ମ୍ୟାଚ୍ ଜିତି ଆମକୁ ଡବ୍ଲ୍ୟଟିସି ପଏଣ୍ଟ ନେବାର ଅଛି। ଦମଦାର ଭାବେ ସିଜିନ ଆରମ୍ଭ କରିବାର ଆବଶ୍ୟକତା ରହିଛି। ଭାରତୀୟ ଦଳ ଆଗାମୀ କିଛି ମାସରେ ୧୦ଟି ଟେଷ୍ଟ ମ୍ୟାଚ୍ ଖେଳିବ। ଏଥିରୁ ୫ ଟେଷ୍ଟ ଅଷ୍ଟ୍ରେଲିଆ ମାଟିରେ ଖେଳିବ।