କରୋନା ପ୍ରଭାବ : ସମସ୍ତ ସ୍ୱାମୀ ନାରାୟଣ ମନ୍ଦିର ହେବ ବନ୍ଦ

Published By : Prameya-News7 Bureau | March 16, 2020 IST

ନୂଆଦିଲ୍ଲୀ ୧୬/୩: କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଇଛି | କରୋନା ବର୍ତ୍ତମାନ ନିଜର କାୟା ବିସ୍ତାର କରିଚାଲିଛି | ପ୍ରତିଦିନ ନୂଆ ନୂଆ ମାମଲା ଶୁଣିବାକୁ ମିଳୁଛି | କରୋନା ଯୋଗୁଁ ସରକାର ବିଭିନ୍ନ ରାଜ୍ୟରେ ସ୍କୁଲ, କଲେଜ, ସପିଙ୍ଗ ମଲ ତଥା ଜନଗହଳିପୂର୍ଣ୍ଣ ସ୍ଥାନଗୁଡିକୁ ବନ୍ଦ ଘୋଷଣା କରିଛନ୍ତି | ନିଜକୁ ସୁରକ୍ଷିତ ରଖିବା ପାଇଁ ଅନେକ ଆଡ଼ଭାଇଜାରୀ ଜାରି କରିଛନ୍ତି | କରୋନା ଭୟ ଯୋଗୁଁ ସ୍ୱାମୀ ନାରାୟଣ ପ୍ରବନ୍ଧନ ଦୁନିଆର ସମସ୍ତ ସ୍ୱାମୀ ନାରାୟଣ ମନ୍ଦିର ବନ୍ଦ କରିବାକୁ ଘୋଷଣା କରିଛନ୍ତି | କରୋନା ଯେଉଁଭଳି ଭାବେ ନିଜର କାୟା ବିସ୍ତାର କରିଚାଲିଛି, ପର୍ଯ୍ୟଟକ, ସ୍ଥାନୀୟ ବାସିନ୍ଦା, ଅନ୍ୟମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଏହିଭଳି ନିଷ୍ପତ୍ତି ନେଇଛି | 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ କୋଭିଡି-୧୯କୁ ମହାମାରୀ ଘୋଷଣା କରାଯାଇଛି | କରୋନାରେ ସଂକ୍ରମିତ ହୋଇ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି | ପାଖାପାଖି ୧ ଲକ୍ଷ ୩୪ରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇସାରିଛନ୍ତି |

ସ୍ୱାମୀ ନାରାୟଣ ସଂସ୍ଥାର ସୂଚନା ଅନୁଯାୟୀ, ଆମେରିକା, କାନାଡ଼ା, ୟୁରୋପ, ଅଷ୍ଟ୍ରେଲିଆରେ ଥିବା ମନ୍ଦିର ପୂର୍ବରୁ ହିଁ ବନ୍ଦ କରିଦିଆଯାଇଛି | ଭାରତ ଓ ଆଫ୍ରିକାରେ ଥିବା ସମସ୍ତ ସ୍ୱାମୀ ନାରାୟଣ ମନ୍ଦିର ସପ୍ତାହେ ଭିତରେ ବନ୍ଦ କରିଦିଆଯିବା ବୋଲି ଘୋଷଣା କରିଛନ୍ତି | ଆମେରିକାରେ ସ୍ୱାମୀ ନାରାୟଣ ସଂସ୍ଥାର ପାଖାପାଖି ୧୦୦ଟି ମନ୍ଦିର ରହିଛି | 

ସ୍ୱାମୀ ନାରାୟଣ ସଂସ୍ଥା ଏକ ମିଡ଼ିଆ ରିଲିଜରେ ସୂଚନା ଦେଇଛନ୍ତି ଯେ, ଭିଡରୁ ବଞ୍ଚିବା ପାଇଁ ମନ୍ଦିରଗୁଡିକୁ ବନ୍ଦ ରଖାଯାଇଛି | କିନ୍ତୁ ଶ୍ରଦ୍ଧାଳୁଙ୍କ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି | ମନ୍ଦିର ୱେବ୍ସାଇଟ ଜରିଆରେ ଶ୍ରଦ୍ଧାଳୁ ପ୍ରତିଦିନ ଭଗବାନଙ୍କ ଦର୍ଶନ କରିପାରିବେ | ୱେବସାଇଟ ଜରିଆରେ ଶ୍ରଦ୍ଧାଳୁଙ୍କୁ ଆଧ୍ୟାତ୍ମିକ ଜ୍ଞାନ ଦେବା ଜାରି ରହିବ | 

ସଂସ୍ଥା କହିବାନୁଯାୟୀ, ଯେଉଁ ଯେଉଁ ସହରରେ ସ୍ୱାମୀ ନାରାୟଣ ମନ୍ଦିର ରହିଛି ସେଠାରେ ସ୍ଥାନୀୟ ଅଧିକାରୀଙ୍କ ସହଯୋଗରେ କାମ କରାଯାଉଛି | ଅନ୍ୟ ବିପଦ ଭଳି ଏହି ମହାମାରୀରୁ ବଞ୍ଚିବା ପାଇଁ ମଧ୍ୟ ସଂସ୍ଥା ସ୍ଥାନୀୟ ଅଧିକାରୀଙ୍କ ସହଯୋଗରେ କାମ କରୁଛି ଏବଂ ଲୋକଙ୍କୁ ସଚେତନ କରୁଛି | ଏହାଛଡା ସତସଙ୍ଗ ଆୟୋଜନ ପାଇଁ ସଂସ୍ଥା ଅଲଗା ତରିକା ଖୋଜୁଛି | ସଂସ୍ଥାର ୱେବସାଇଟ ଜରିଆରେ ଶ୍ରଦ୍ଧାଳୁ ସମସ୍ତ ସୂଚନା ପାଇପାରିବେ ବୋଲି ସଂସ୍ଥା ଘୋଷଣା କରିଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.