ଜୁଲାଇ ୧୭ରେ ସର୍ବଦଳୀୟ ବୈଠକ, ମୌସୁମୀ ଅଧିବେଶନର ଏଜେଣ୍ଡା ଉପରେ ହେବ ଚର୍ଚ୍ଚା

Published By : Prameya-News7 Bureau | July 12, 2022 IST

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଗୋଟିଏ ଦିନ ପୂର୍ବରୁ ଆସନ୍ତା ଜୁଲାଇ ୧୭ ତାରିଖରେ ସର୍ବଦଳୀୟ ବୈଠକ ଡକାଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ । ଏହି ବୈଠକ ପାଇଁ ସଂସଦ ଦୁଇ ଗୃହ(ଲୋକସଭା ଏବଂ ରାଜ୍ୟସଭା)ର ସବୁ ରାଜନୈତିକ ଦଳ ସହ ଗୃହର ନେତାଙ୍କୁ ନିମନ୍ତ୍ରଣ ଦିଆଯାଇଛି।

ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସାମିଲ ହେବେ । ପିଏମ ମୋଦୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଜୋଶୀଙ୍କ ସହ ଅନ୍ୟ ମନ୍ତ୍ରୀ ମଧ୍ୟ ଏହି ସର୍ବଦାଳୀୟ ବୈଠକରେ ଯୋଗ ଦେବେ । ସରକାର ଏହି ସର୍ବଦଳୀୟ ବୈଠକରେ ସବୁ ରାଜନୈତିକ ଦଳ ସହ ସଂସଦର ଏଜେଣ୍ଡା ଉପରେ ସହମତି ସ୍ଥାପନ କରିବା ପାଇଁ ପ୍ରୟାସ କରିବେ । ସଂସଦର ଦୁଇ ଗୃହର କାର୍ଯ୍ୟ ସୁଚାରୁ ଭାବେ ତୁଲାଇବା ପାଇଁ ଏହି ବୈଠକରେ ଆଲୋଚନା କରାଯିବ।

ସଂସଦର ମୌସୁମୀ ଅଧିବେଶନ ଅସନ୍ତା ଜୁଲାଇ ୧୮ରୁ ଆରମ୍ଭ ହୋଇ ଅଗଷ୍ଟ ୧୨ ଯାଏଁ ଚାଲିବ । ସଂସଦର ଏହି ଅଧିବେଶନ ଅନେକ ଦୃଷ୍ଟିରୁ ବହୁ ଗୁରୁତ୍ୱ ବହନ କରୁଛି । କାରଣ ଏଥର ଅଧିବେଶନ ସମୟରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ। ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନ ଜୁଲାଇ ୧୮ରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ, ଏହାର ପରିଣାମ ଜୁଲାଇ ୨୧ରେ ଆସିବ । ସେହିପରି ଅସନ୍ତା ଅଗଷ୍ଟ ୮ ତାରିଖରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.