ଜୁନ୍ ୧୭ରେ ଖୋଲିବ ସ୍କୁଲ୍, ସପ୍ତାହ ପୂର୍ବରୁ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | June 08, 2024 IST

ଭୁବନେଶ୍ୱର ୦୮/୦୬: ଆସନ୍ତା ୧୭ରେ ସ୍କୁଲ ଖୋଲିବ । ସ୍କୁଲ ଖୋଲିବା ଏକ ସପ୍ତାହ ପୂର୍ବରୁ କରାଯିବ ପ୍ରସ୍ତୁତି । ଶ୍ରେଣୀ ଗୃହ ଠାରୁ ଆରମ୍ଭ କରି ଶୌଚାଳୟ ପରିଷ୍କାର କରିବାକୁ ସମସ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ଖୋଲିବାର ଦିନକ ପୂର୍ବରୁ ପାଚିକା ଓ ସହାୟିକା ସ୍କୁଲ ଆସିବାକୁ କୁହାଯାଇଛି । ସେମାନେ ସମସ୍ତ ଜିନିଷକୁ ଯାଞ୍ଚ କରିବେ । 

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନେଇ ହୋଇଥିବା ବୈଠକରେ ଏପରି ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଆଗୁଆ ସ୍କୁଲ ଛୁଟି କରାଯାଇଥିଲା । ସ୍କୁଲର ପରିସର ଓ ସେଠାରେ ଥିବା ସମସ୍ତ ଉପକରଣର ଯତ୍ନ ନେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ସ୍କୁଲ ଖୋଲିବା ପୂର୍ବରୁ ପୂର୍ବ ପ୍ରସ୍ତୁତି କରିବାକୁ କୁହାଯାଇଛି । 

ଗଣଶିକ୍ଷା ବିଭାଗର ନିର୍ଦ୍ଦେଶରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ସମସ୍ତ ସ୍କୁଲକୁ ଏନେଇ ଚିଠି କରାଯାଇଛି । ନିର୍ଦ୍ଦେଶ ଅନୁଯାୟୀ, ଶ୍ରେଣୀ ଗୃହ, କ୍ୟାମ୍ପସକୁ ସଫା କରାଯିବ । ଅନାବନା ଘାସ କଟା ଯିବ । ପାଣି ଟାଙ୍କି ସଫା କରାଯିବ । ଶ୍ରେଣୀ ଗୃହରେ ଥିବା ସମସ୍ତ ଫର୍ଣ୍ଣିଚରକୁ ସଫା କରିବା ସହ ପିଲା ବସିବା ପାଇଁ ଉପଯୋଗୀ କରାଯିବ । 

ଶୌଚାଳୟକୁ ନିଶ୍ଚିତ ଭାବେ ସଫେଇ କରାଯିବ । ରୋଷେଇ ଶାଳ, ବାସନ, ଗ୍ୟାସ୍‌ ଷ୍ଟୋଭ୍‌ ସବୁକୁ ସଫା କରାଯିବ । ମଧ୍ୟାହ୍ନ ଭୋଜନ ପାଇଁ ଥିବା ରୋଷେଇ ସାମଗ୍ରୀକୁ ଯାଞ୍ଚ କରାଯିବ। ଏହାର ଏକ୍ସପାରୀ ତାରିଖ ଯାଞ୍ଚ କରାଯିବ । ସ୍ମାର୍ଟ କ୍ଲାସ ରୁମ୍‌, ଇ-ଲାଇବ୍ରେରୀକୁ ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଇ ରଖାଯିବ। ସ୍କୁଲ ଖୋଲିବାର ଏକ ସପ୍ତାହ ସୁଦ୍ଧା ଇଣ୍ଟରନେଟ୍‌ ସଂଯୋଗକୁ ନିଶ୍ଚିତ କରାଯିବ । ପାନୀୟ ଜଳକୁ ଗୁରୁତ୍ୱ ଦିଆଯିବ । ପିଲାଙ୍କୁ ଶୁଦ୍ଧ ପାଣି ଯୋଗାଇବା ପାଇଁ ପଦକ୍ଷେପ ନିଆଯିବ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.