ସାଂସଦଙ୍କୁ Covid-19 ପରୀକ୍ଷଣ ଲାଗି ଅନୁରୋଧ କରାଯିବ : ବାଚସ୍ପତି
28/08/2020 at 7:26 PM

ନୂଆଦିଲ୍ଲୀ ୨୮।୮: ସଂସଦର ମୌସୁମୀ ଅଧିବେଶନ ଲାଗି ଲୋକସଭା ବାଚସ୍ପତି ଓମ ବିରଳାଙ୍କ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି କ୍ରମରେ ବାଚସ୍ପତି ଶୁକ୍ରବାର ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ସମେତ ଏମ୍ସ, ଆଇସିଏମଆର, ଡିଆରଡିଓ ଏବଂ ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ବିଶେଷଜ୍ଞଙ୍କ ସହ ବୈଠକ କରିଛନ୍ତି। ଏଥିରେ ଯେପରି ସଂକ୍ରମଣ ନ ବ୍ୟାପେ ଓ ସଂସଦ ସୁରୁଖୁରୁରେ ଚାଲେ ସେଥିପାଇଁ ବିଶେଷଜ୍ଞଙ୍କ ରାୟ ନେଇଛନ୍ତି।

ସଂସଦ ଅଧିବେଶନ କାଳରେ ସ୍ୱାସ୍ଥ୍ୟକୁ ନେଇ ବିଶେଷ ସତର୍କତା ଅବଲମ୍ବନ ଲାଗି ବୈଠକରେ ଆଲୋଚନା ହୋଇଛି। ଏଥିରେ ପାର୍ଲାମେଣ୍ଟ ପରିସରରେ ସ୍ୱାସ୍ଥ୍ୟ ଯାଞ୍ଚ ଲାଗି ବ୍ୟବସ୍ଥା ନିମନ୍ତେ ନିଷ୍ପତ୍ତି ହୋଇଛି। ବାଚସ୍ପତି ଅଧିବେଶନ ଆରମ୍ଭର ୭୨ ଘଣ୍ଟା ପୂର୍ବରୁ ସମସ୍ତ ସାଂସଦଙ୍କୁ ସେମାନଙ୍କର କୋଭିଡ-୧୯ ଯାଞ୍ଚ କରାଇ ନେବାକୁ ପରାମର୍ଶ ଦେବେ ବୋଲି କହିଛନ୍ତି। ବାଚସ୍ପତିଙ୍କ ନିର୍ଦ୍ଦେଶାନୁସାରେ ଅଧିବେଶନକାଳରେ ସଂକ୍ରମଣରୁ ବର୍ତ୍ତିବା ଲାଗି ସବୁ ପ୍ରକାର ଉପାୟ କରାଯିବ ବୋଲି କୁହାଯାଇଛି।

ଏଥିରେ ସଂସଦର ପ୍ରତ୍ୟେକ ପ୍ରବେଶ ଓ ପ୍ରସ୍ଥାନ ମାର୍ଗରେ ଥର୍ମାଲ ଗନ୍ ଓ ଥର୍ମାଲ ସ୍କାନରରେ ଶରୀରର ଉତ୍ତାପ ମାପ କରାଯିବା ସହ ସଂସଦ ପରିସରର ଅତିରିକ୍ତ ସାନିଟାଇଜେସନ ଲାଗି ପଦକ୍ଷେପ ନିଆଯିବ । ଏଥିରେ ସଂସଦର ୪୦ଟି ସ୍ଥାନରେ ଟଚ୍ ଲେସ୍ ସାନିଟାଇଜର ଲଗାଯିବା ସହ ଜରୁରୀକାଳୀନ ଆମ୍ବୁଲାନ୍ସ ଓ ଏମାର୍ଜେନ୍ସୀ ମେଡିକାଲ ଟିମ୍ ମୁତୟନ ରହିବେ ବୋଲି କୁହାଯାଇଛି।

ସେହିପରି ସଂସଦ ଅଧିବେଶନରେ ଏଥର ଅନେକ ନିୟମ ମଧ୍ୟ ବଦଳିବ । ଏଥିରେ ସାଂସଦମାନଙ୍କୁ ଆଉ ଆଗ ଭଳି ଛିଡା ହୋଇ ସେମାନଙ୍କ ବକ୍ତବ୍ୟ ରଖିବାକୁ ପଡିବ ନାହିଁ। ଛିଡା ହୋଇ କହିଲେ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସାଂସଦଙ୍କୁ ସେମାନଙ୍କ ଆସନରେ ବସି କହିବାକୁ ସୁଯୋଗ ଦିଆଯିବ ବୋଲି ଜଣାପଡିଛି। ଏଥର ସଂସଦ ଅଧିବେଶନ କାଳରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ରହିବ। ବାହାର ଲୋକଙ୍କୁ ସଂସଦ ପରିସରକୁ ପ୍ରବେଶ ଅନୁମତି ମିଳିବ ନାହିଁ।

ସେହିପରି ସାମାଜିକ ଦୂରତା ପାଳନ ନିମନ୍ତେ ସାଂସଦଙ୍କୁ ସଦନ ଭିତରେ ଓ ଦର୍ଶକ ଦୀର୍ଘାରେ ବସାଯିବ। କେବଳ ସାଂସଦ ନୁହନ୍ତି ଏହି ସମୟରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କର ମଧ୍ୟ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷଣ କରାଯିବ। ଅଧିବେଶନ କାଳରେ ଗଣମାଧ୍ୟମ କର୍ମଚାରୀଙ୍କ ଲାଗି ମଧ୍ୟ କଡା ସତର୍କତା ଅବଲମ୍ବନ କରାଯିବ। ଏଥର ସର୍ବାଧିକ ୧୦୦ ଜଣ ସାମ୍ବାଦିକଙ୍କୁ ସଂସଦ ଅନୁମତି ମିଳିବ ବୋଲି ଜଣାପଡିଛି।