ମୁଖ୍ୟମନ୍ତ୍ରୀଙ୍କ ସହ ସବୁ ମନ୍ତ୍ରୀ ଘୋଷଣା କଲେ ନିଜର ସମ୍ପତ୍ତି ତାଲିକା, ୬୫ କୋଟି ସହ ନବୀନ ସବୁଠୁ ଧନୀ

Published By : Prameya-News7 Bureau | May 20, 2023 IST

ଭୁବନେଶ୍ୱର ୨୦/୦୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ନିଜର ସମ୍ପତ୍ତି ତାଲିକା ଘୋଷଣା କରିଛନ୍ତି । ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀ ହିଁ ସବୁଠାରୁ ଧନୀ । ୨୦୨୨ ଡିସେମ୍ବର ସୁଦ୍ଧା ନବୀନଙ୍କ ସମ୍ପତ୍ତି ପରିମାଣ ୬୫ କୋଟି ୪୦ ଲକ୍ଷ ୭୯ ହଜାର ୬୯୩ ଟଙ୍କା । ଗତ ବର୍ଷଠାରୁ ନବୀନଙ୍କ ସମ୍ପତ୍ତିର ପରିମାଣ ୪୨ଲକ୍ଷ ୯୦ହଜାର ଟଙ୍କା ବଢ଼ିଛି।

ମୁଖ୍ୟମନ୍ତ୍ରୀ ଦେଇଥିବା ସତ୍ୟପାଠ ଅନୁଯାୟୀ ଦିଲ୍ଲୀର ଜନପଥରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୭୦ ଲକ୍ଷ ଟଙ୍କା, ଭୁବନେଶ୍ବରର ଏସ୍ ବିଆଇରେ ୨୦ ଲକ୍ଷ ୮୭ ହଜାର, ହିଞ୍ଜିଳିକାଟୁ କଲେଜ କ୍ୟାମ୍ପସ୍ ଏସ୍ ବିଆଇରେ ୭ ହଜାର ଓ ଅନ୍ୟ ଏକ ଆକାଉଣ୍ଟ୍ ରେ ୧୪ ହଜାର ଟଙ୍କା ରହିଛି। ଏଚ୍ ଡିଏଫ୍ ସି ବ୍ୟାଙ୍କରେ ୧ କୋଟି ଟଙ୍କାର ଫିକ୍ସ୍ ଡ୍ ଡିପୋଜିଟ୍ ରହିଛି।

ଏହା ବାଦ୍ ୯ କୋଟି ଟଙ୍କାର ଆର୍ ବିଆଇ ବଣ୍ଡ୍ ଓ ପୋଷ୍ଟ୍ ଅଫିସ୍ ରେ ଦେଢ଼ କୋଟି ଟଙ୍କାର ଟର୍ମ ଡିପୋଜିଟ୍ ରହିଛି। ନବୀନଙ୍କ ପାଖରେ ସାଢ଼େ ତିନି ଲକ୍ଷ ଟଙ୍କାର ସୁନା ଗହଣା ଥିଲା ବେଳେ ୧୯୮୦ ମସିହାର ଏକ ଆମ୍ବାସଡର୍ କାର୍ ରହିଛି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କର ଦୁଇ ତୃତୀୟାଂଶ ସେୟାର ଅଛି, ଯାହାର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ଟଙ୍କା ।

ନବୀନଙ୍କର ଉପରେ କିଛି ଋଣ ଭାର ନାହିଁ। ନବୀନଙ୍କ ମନ୍ତ୍ରିମଣ୍ଡଳରେ ବହୁ ମନ୍ତ୍ରୀ କୋଟିପତି। ତେବେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ଗତ ବର୍ଷ ସବୁଠାରୁ ଗରିବ ଥିଲେ ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଏଥର ବି ସେ ସେହି ସ୍ଥାନ ବଜାୟ ରଖିଛନ୍ତି। ତାଙ୍କର ମୋଟ୍ ସମ୍ପତ୍ତି ମୂଲ୍ୟ ୪୨ ଲକ୍ଷ ଟଙ୍କା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.