ଭାରତର ସବୁ ବ୍ରାଣ୍ଡେଡ୍ ଲୁଣ ଓ ଚିନିରେ ମାଇକ୍ରୋପ୍ଲାଷ୍ଟିକ୍, ରିପୋର୍ଟରେ ଖୁଲ୍ଲାସା

Published By : Prameya-News7 Bureau | August 14, 2024 IST

ନୂଆଦିଲ୍ଲୀ ୧୪/୦୮: ସବୁ ଭାରତୀୟ ବ୍ରାଣ୍ଡ ଲୁଣ ଓ ଚିନିରେ ପ୍ଲାଷ୍ଟିକ୍‌ । ସଦ୍ୟତମ ଅଧ୍ୟୟନ ପରେ ରିପୋର୍ଟରେ ଏନେଇ ଖୁଲାସା ହୋଇଛି । ଛୋଟ କିମ୍ବା ବଡ଼, ପ୍ୟାକେଟ୍‌ ଓ ଖୋଲା, ଉଭୟ ଅନ୍‌ଲାଇନ୍‌ ଓ ସ୍ଥାନୀୟ ବଜାରରେ ବିକ୍ରି ହେଉଥିବା ସବୁ ଲୁଣ ଓ ଚିନି ବ୍ରାଣ୍ଡ୍‌ରେ ସୂକ୍ଷ୍ମ ପ୍ଲାଷ୍ଟିକ୍‌ କଣିକା ମିଳିଛି । 

ଟକ୍ସିକ୍ସ ଲିଙ୍କ୍‌ ନାମକ ଆଡ୍‌ଭୋକାସି ଗ୍ରୁପ୍‌ ଏହି ଅଧ୍ୟୟନ କରିଛି । ଅଧ୍ୟୟନ ଅନୁସାରେ, ‘ଆୟୋଡାଇଜ୍‌ଡ ସଲ୍‌ଟ’ ବା ଆୟୋଡିନ୍‌ଯୁକ୍ତ ଲୁଣରେ ଉଚ୍ଚ ମାତ୍ରାର ସୂକ୍ଷ୍ମ ପ୍ଲାଷ୍ଟିକ୍‌ ମିଳିଛି । ବିଭିନ୍ନ ରଙ୍ଗଯୁକ୍ତ ପତଳା ତନ୍ତୁ ଓ ଫିଲ୍ମ ରୂପରେ ଏହି ପ୍ଲାଷ୍ଟିକ୍‌ ଚିହ୍ନଟ ହୋଇଛି । ମାଇକ୍ରୋପ୍ଲାଷ୍ଟିକ୍‌ କିମ୍ବା ନାନୋପ୍ଲାଷ୍ଟିକ୍‌ ବିଶ୍ୱର ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । କାରଣ ପରିବେଶ ଓ ସ୍ୱାସ୍ଥ୍ୟ ଉପରେ ଏହାର ଗମ୍ଭୀର ପ୍ରଭାବ ରହିଛି । ଅନେକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି, ସୂକ୍ଷ୍ମ ପ୍ଲାଷ୍ଟିକ୍‌ରୁ କ୍ଷତିକାରକ ରସାୟନ ନିର୍ଗତ ହୁଏ । 

ଏହା ପ୍ରଜନନ ବିକାର, ବିକାଶରେ ବିଳମ୍ବ ଓ କର୍କଟ ଭଳି ଅନେକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇଥାଏ । ସାଧାରଣରେ ବ୍ୟବହୃତ ଟେବଲ୍‌ ସଲ୍‌ଟ, ସୈନ୍ଧବ ଲୁଣ, ସମୁଦ୍ର ଲୁଣ ଓ ସ୍ଥାନୀୟ ଲୁଣ ଆଦିକୁ ଅଧ୍ୟୟନରେ ସାମିଲ କରାଯାଇଥିଲା । ସେହିପରି ୫ ପ୍ରକାର ଚିନି ନମୁନାକୁ ଉଭୟ ଅନ୍‌ଲାଇନ୍‌ ଓ ସ୍ଥାନୀୟ ବଜାରରୁ ସଂଗ୍ରହ କରାଯାଇ ପ୍ରୟୋଗଶାଳାରେ ପରୀକ୍ଷା କରାଯାଇଥିଲା । ଦୁଇଟି ଲୁଣ ଓ ଗୋଟିଏ ଚିନି ନମୁନାକୁ ବାଦ୍‌ ଦେଲେ ସବୁଗୁଡ଼ିକ ବିଭିନ୍ନ ବ୍ରାଣ୍ଡ୍‌ର ଉତ୍ପାଦ ଥିଲା । 

ଟକ୍ସିକ୍ସ ଲିଙ୍କ୍‌ର ପ୍ରତିଷ୍ଠାତା ନିର୍ଦ୍ଦେଶକ ରବି ଅଗରୱାଲ କହିଛନ୍ତି, ସୂକ୍ଷ୍ମ ପ୍ଲାଷ୍ଟିକ୍‌ ଉପରେ ଥିବା ବୈଜ୍ଞାନିକ ତଥ୍ୟରେ ନୂଆ ତଥ୍ୟ ଯୋଡ଼ିବା ଆମର ଉଦ୍ଦେଶ୍ୟ । ଏହା ଫଳରେ ବୈଶ୍ୱିକ ପ୍ଲାଷ୍ଟିକ୍‌ ସନ୍ଧି ଏହି ବିଷୟ ଉପରେ ଗୁରୁତର ସହିତ ଧ୍ୟାନ କେନ୍ଦ୍ରିତ କରିବ । ଏଥିସହିତ ସୂକ୍ଷ୍ମ ପ୍ଲାଷ୍ଟିକ୍‌ର ବିପଦ ହ୍ରାସ କରିବା ଲାଗି ଆବଶ୍ୟକ ବୈଷୟିକ ହସ୍ତକ୍ଷେପ ନିମନ୍ତେ ବୈଜ୍ଞାନିକଙ୍କ ଧ୍ୟାନ ଆକର୍ଷଣ ଓ କାର୍ଯ୍ୟାନୁଷ୍ଠାନ ଉପରେ ଜୋର ଦେବା ମଧ୍ୟ ଅଧ୍ୟୟନର ଲକ୍ଷ୍ୟ । 

ଅଧ୍ୟୟନରେ ୧୦ଟି ଲୁଣ ନମୁନାର ପରୀକ୍ଷା କରାଯାଇଥିଲା । ତନ୍ମଧ୍ୟରେ ୩ଟି ପ୍ୟାକେଜ୍‌ଡ ଆୟୋଡାଇଜ୍‌ଡ ଲୁଣ, ୩ ସୈନ୍ଧବ ଲୁଣ ସମେତ ଦୁଇଟି ଜୈବ ଲୁଣ ବ୍ରାଣ୍ଡ, ଦୁଇଟି ସମୁଦ୍ର ଲୁଣ ଓ ଦୁଇଟି ସ୍ଥାନୀୟ ବ୍ରାଣ୍ଡର ଲୁଣ ନମୁନା ଥିଲା । ବିଭିନ୍ନ ଲୁଣ ନମୁନାରେ ସୂକ୍ଷ୍ମ ପ୍ଲାଷ୍ଟିକ୍‌ କଣିକାର ମାତ୍ରା ଓ ଆକାର ଭିନ୍ନ ଭିନ୍ନ ଥିଲା । ଶୁଷ୍କ ଓଜନର କିଲୋ ପିଛା ୬.୭୧ରୁ ୮୯.୧୫ ଖଣ୍ଡ ଓ ୦.୧ ଏମ୍‌ଏମ୍‌ରୁ ୫ ଏମ୍‌ଏମ୍‌ । ତନ୍ତୁ, ପେଲେଟ୍‌, ଫିଲ୍ମ ଓ ଟୁକୁଡ଼ା ରୂପେ ଏହି ସୂକ୍ଷ୍ମ ପ୍ଲାଷ୍ଟିକ୍‌ ନମୁନାରେ ମହଜୁଦ ଥିଲା । 

ସୂକ୍ଷ୍ମ ପ୍ଲାଷ୍ଟିକ୍‌ର ସର୍ବାଧିକ (ଶୁଷ୍କ ଓଜନର କିଲୋ ପିଛା ୮୯.୧୫ ଖଣ୍ଡ) ମାତ୍ରା ଗୋଟିଏ ପ୍ୟାକେଟ୍‌ ଆୟୋଡିନ୍‌ଯୁକ୍ତ ଲୁଣ ନମୁନାରେ ମିଳିଲା । ଅନ୍ୟପକ୍ଷେ, ଏକ ଜୈବ ସୈନ୍ଧବ ଲୁଣ ନମୁନାରେ ସର୍ବନିମ୍ନ ସୂକ୍ଷ୍ମ ପ୍ଲାଷ୍ଟିକ୍‌ ମାତ୍ରା ମିଳିଲା । ୮ ଭିନ୍ନ ଭିନ୍ନ ରଙ୍ଗର ଲୁଣ ଓ ଚିନିରେ ଏହି ସୂକ୍ଷ୍ମ ପ୍ଲାଷ୍ଟିକ୍‌ କଣିକା ମିଳିଲା । ସ୍ୱଚ୍ଛ, ଧଳା, ନୀଳ, ଲାଲ୍‌, କଳା, ବାଇଗଣି, ସବୁଜ ଓ ହଳଦିଆ । ଭିନ୍ନ ଭିନ୍ନ ଚିନି ନମୁନାରେ ସୂକ୍ଷ୍ମ ପ୍ଲାଷ୍ଟିକ୍‌ର ଆକାର ୦.୧ ଏମ୍‌ଏମ୍‌ରୁ ୫ ଏମ୍‌ଏମ୍‌ ଥିଲା । ସେଗୁଡ଼ିକ ସର୍ବାଧିକ ତନ୍ତୁ ରୂପରେ ମିଶିଥିଲା ।

ତା’ପଛକୁ ଫିଲ୍ମ ଓ ପେଲେଟ୍‌ ରୂପେ ମିଳିଥିଲା । ପରୀକ୍ଷା କରାଯାଇଥିବା ୫ ଚିନି ନମୁନାରେ ଏକ ଜୈବ ଚିନି ନମୁନାରେ ସର୍ବନିମ୍ନ ସୂକ୍ଷ୍ମ ପ୍ଲାଷ୍ଟିକ୍‌ (କିଲୋ ପିଛା ୧୧.୮୫ ଖଣ୍ଡ) ମିଳିଥିଲା । ସେହିପରି ଏକ ଅଣ-ଜୈବ ଚିନି ନମୁନାରେ ସର୍ବାଧିକ ମାତ୍ରା (କିଲୋ ପିଛା ୬୮.୨୫ ଖଣ୍ଡ)ର ସୂକ୍ଷ୍ମ ପ୍ଲାଷ୍ଟିକ୍‌ ମିଳିଲା । ଅଧ୍ୟୟନ ଅନୁସାରେ, ଖାଦ୍ୟ, ଜଳ ଓ ବାୟୁ ଜରିଆରେ ସୂକ୍ଷ୍ମ ପ୍ଲାଷ୍ଟିକ୍‌ କଣିକା ମଣିଷ ଶରୀରରେ ପ୍ରବେଶ କରେ । ବର୍ତ୍ତମାନ ଏଗୁଡ଼ିକ ମଣିଷର ଆଭ୍ୟନ୍ତର ଅଙ୍ଗ ଯଥା- ଫୁସ୍‌ଫୁସ୍‌, ହୃତ୍‌ପିଣ୍ଡ ଓ ମା’କ୍ଷୀର ଏବଂ ରକ୍ତ ପ୍ରବାହ ଓ ଭ୍ରୂଣର ପ୍ଲାସେଣ୍ଟାଲ

ଟିସ୍ୟୁରେ ମଧ୍ୟ ମିଳୁଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.