ଦେଶର ଉଚ୍ଚ ଶିକ୍ଷାରେ ST ଶିକ୍ଷାର୍ଥୀଙ୍କ ସଂଖ୍ୟା ପାଖାପାଖି ୫୦%କୁ ବୃଦ୍ଧି, SC ଓ OBC ଶିକ୍ଷାର୍ଥୀଙ୍କ ସଂଖ୍ୟା ବି ବଢ଼ିଛି: ଶିକ୍ଷା ମନ୍ତ୍ରାଳୟ
30/01/2023 at 12:54 PM

ନୂଆଦିଲ୍ଲୀ: ଉଚ୍ଚଶିକ୍ଷା ଗ୍ରହଣ କରିବା କ୍ଷେତ୍ରରେ ଦେଶରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। ଏନେଇ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଦେଶରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏଭଳି ତଥ୍ୟ ପ୍ରକାଶ ପାଇଛି।
ଅଲ୍ ଇଣ୍ଡିଆ ସର୍ଭେ ଅନ୍ ହାୟର ଏଜୁକେଶନ(ଏଆଇଏସ୍ଏଚ୍ଇ)ର ରିପୋର୍ଟ ଅନୁସାରେ, ୨୦୧୪ -୧୫, ୨୦୨୦-୨୧ ପର୍ଯ୍ୟନ୍ତ ଉଚ୍ଚ ଶିକ୍ଷା ସଂସ୍ଥାନରେ ଅନୁସୂଚିତ ଜାତି(ଏସ୍ସି), ଜନଜାତି(ଏସ୍ଟି) ଓ ଓବିସି ଛାତ୍ରଛାତ୍ରୀଙ୍କ ଆଡ୍ମିଶନ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। ଏଥିରେ ଏସ୍ଟି ଛାତ୍ରଙ୍କ ସଂଖ୍ୟାରେ ପାଖାପାଖି ୫୦ ପ୍ରତିଶତ ବୃଦ୍ଧି ହୋଇଛି ବୋଲି AISHE ସୂଚନା ଦେଇଛି।
ଶିକ୍ଷାମନ୍ତ୍ରାଳୟ ପକ୍ଷରୁ କରାଯାଉଥିବା ଏହି ବାର୍ଷିକ ସର୍ଭେ ଦେଶରେ ଉଚ୍ଚଶିକ୍ଷା ସଂସ୍ଥାନର ସଂଖ୍ୟା ଓ ଛାତ୍ରଛାତ୍ରୀଙ୍କ ଆଡ୍ମିଶନ ବିଷୟରେ ତଥ୍ୟ ସଂଗ୍ରହ କରିଥାଏ। ସର୍ଭେକ୍ଷଣ ରିପୋର୍ଟ ଅନୁସାରେ,୨୦୨୦-୨୧ରେ ପ୍ରଥମ ଥର ପାଇଁ ଭାରତରେ ଉଚ୍ଚଶିକ୍ଷା ସଂସ୍ଥାନରେ ଛାତ୍ରଛାତ୍ରୀଙ୍କ ନାମଲେଖା ସଂଖ୍ୟା ୪ କୋଟି ପାର୍ କରିଥିଲା।
ଏହି ବର୍ଷ ମୋଟ ନାମଲଖା ୪.୧୪ କୋଟି ହୋଇଥିବା ବେଳେ ସେଥିରୁ ୧୪.୨ ପ୍ରତିଶତ ଏସ୍ସି, ୫.୮ ପ୍ରତିଶତ ଏସ୍ଟି ଓ ୩୫.୮ ପ୍ରତିଶତ ଓବିସି ଓ ୪୪.୨ ପ୍ରତିଶତ ଅନ୍ୟ ବର୍ଗର ଛାତ୍ରଛାତ୍ରୀ ନାମ ଲେଖାଇଥିଲେ ବୋଲି ଶିକ୍ଷାମନ୍ତ୍ରାୟ କହିଛି। ସେହିପରି ୨୦୧୪-୧୫ ଓ ୨୦୨୦-୨୧ ପର୍ଯ୍ୟନ୍ତ ଏସ୍ସି ଛାତ୍ରଛାତ୍ରୀଙ୍କ ଏନ୍ରୋଲ୍ମେଣ୍ଟ ସଂଖ୍ୟା ୨୭.୯୮ ପ୍ରତିଶତ ବଢ଼ିଛି।
୨୦୧୪-୧୫ରେ ୪୬.୦୬ ଲକ୍ଷ ଏସ୍ଟି ଶିକ୍ଷାର୍ଥୀଙ୍କ ଉଚ୍ଛଶିକ୍ଷା ସଂସ୍ଥାନରେ ନାମ ଲେଖାଇଥିଲେ। ପୁଣି ୨୦୨୦-୨୧ରେ ଏହି ଅବଧି ଭିତରେ ନାମଲେଖା ସଂଖ୍ୟ ୫୮.୯୫ ଲକ୍ଷ ହୋଇଥିଲା।
ସେହିପରି ଏସ୍ଟି ଶିକ୍ଷାର୍ଥୀଙ୍କ ଏନ୍ରୋଲ୍ମେଣ୍ଟ ୨୦୧୪-୧୫ରେ ୧୬.୪୧ ଲକ୍ଷ ହୋଇଥିଲା। ହେଲେ ୨୦୨୦-୨୧କୁ ଏହା ୨୪.୧ ଲକ୍ଷ ବଢ଼ିଛି। ଏଥିରେ ୪୭ ପ୍ରତିଶତର ବୃଦ୍ଧି ଦେଖିବାକୁ ମିଳିଛି। ସେହିପରି ଓବିସି ଛାତ୍ରଛାତ୍ରୀଙ୍କ କଥା ଦେଖିଲେ ୨୦୨୦-୨୧ରେ ଓବିସି ଛାତ୍ରଙ୍କ ନାମଲେଖା ପାଖାପାଖି ୧.୪୮ କୋଟି ହୋଇଛି। ଯାହା ୨୦୧୪-୧୫ ତୁଳନାରେ ୩୧.୬୭ ପ୍ରତିଶତରୁ ଅଧିକ।
ଅନ୍ୟପଟେ ମୋଟ ଛାତ୍ର ନାମଲେଖାର ରିପୋର୍ଟ ଦେଖିଲେ ୨୦୨୦-୨୧ରେ ଏହା ୪.୪୧ କୋଟି ରହିଛି। ଯାହା ୨୦୧୯-୨୦ ତୁଳନାରେ ୭ ପ୍ରତିଶତ ଓ ୨୦୧୪-୧୫ରେ ୨୧ ପ୍ରତିଶତ ଅଧିକ। ଶିକ୍ଷାର୍ଥୀଙ୍କ ମୋଟ ସଂଖ୍ୟାରେ ୫୧.୩ ପ୍ରତିଶତ ପୁରୁଷ ଓ ୪୮.୭ ପ୍ରତିଶତ ମହିଳା ରହିଛନ୍ତି।
ଉଚ୍ଛଶିକ୍ଷାରେ ଗ୍ରସ୍ ଏନ୍ରୋଲମେଣ୍ଟ ରେସିଓ(ଜିଇଆର୍) ୨୭.୩ ପ୍ରତିଶତ ପହଞ୍ଚିଛି। ଜିଇଆର୍ର ମୋଟ ଜନସଂଖ୍ୟାରେ କଲେଜ ଯାଉଥିବା ୧୮-୨୩ ବର୍ଷୀୟ ଆଡଲ୍ଟଙ୍କ ଅନୁପାତ ରହିଛି। ୨୦୧୧ ଜନଗଣନା ଅନୁସାରେ ଏହାର ଗଣନା କରାଯାଇଛି।
ସର୍ଭେକ୍ଷଣ ରିପୋର୍ଟରେ ଘରୋଇ ଓ ସରକାରୀ ଉତ୍ତଶିକ୍ଷା ସଂସ୍ଥାନରେ ଏନ୍ରୋଲ୍ମେଣ୍ଟ ସଂଖ୍ୟା ବିଷୟରେ ଉଲ୍ଲେଖ ରହିଛି। ଏଥିରେ କୁହାଯାଇଛି ” ଦେଶରେ ମୋଟ ୫୯.୧ ପ୍ରତିଶତ ସରକାରୀ ବିଶ୍ୱବିଦ୍ୟାଳୟ ରହିଛି। ଏହି ବିଶ୍ୱବିଦ୍ୟାଳୟଗୁଡିକରେ ଶିକ୍ଷାର୍ଥୀଙ୍କ ମୋଟ ନାମଲେଖାରେ ୭୩.୧ ପ୍ରତିଶତ ଯୋଗଦାନ ରହିଛି। ସେହିପରି ଦେଶରେ ୪୦ ପ୍ରତିଶତ ଘରୋଇ ଉଚ୍ଚଶିକ୍ଷା ସଂସ୍ଥାନ ଥିବା ବେଳେ ଏଗୁଡ଼ିକରେ ମୋଟ ଏନ୍ରୋଲ୍ମେଣ୍ଟ ୨୬.୩ ପ୍ରତିଶତ ରହିଛି।”
ସୂଚନା ଥାଉକି ୨୦୧୧ ପରଠାରୁ ଶିକ୍ଷାମନ୍ତ୍ରାଳୟ AISHEର ସଂଚାଳନ କରୁଛି। ଯେଉଁଥିରେ ଦେଶର ସମସ୍ତ ଉଚ୍ଚଶିକ୍ଷା ସଂସ୍ଥାନ ସାମିଲ୍ ରହିଛି। ସର୍ଭେକ୍ଷଣରେ ସମସ୍ତ ମାପଦଣ୍ଡ ଉପରେ ବିସ୍ତୃତ ତଥ୍ୟ ଏକତ୍ର କରିଥାଏ। ଏଥିରେ ଶିକ୍ଷାର୍ଥୀଙ୍କ ଏନ୍ରୋଲ୍ମେଣ୍ଟ, ଶିକ୍ଷକଙ୍କ ଡାଟା. ଇନ୍ଫ୍ରାଷ୍ଟ୍ରକ୍ଚର ସମ୍ପର୍କିତ ଓ ଆର୍ଥିକ ସୂଚନା ମଧ୍ୟ ରହିଛି।