ନୂଆଦିଲ୍ଳୀ, ୧୩/୦୪: ଅଲ୍ ଇଣ୍ଡିଆ ମୁସଲିମ୍ ଲ’ ବୋର୍ଡ ଅଧ୍ୟକ୍ଷ ହଜରତ ମୌଲାନା ରାବେ ହସନୀ ନଦବୀଙ୍କର ଗୁରୁବାର ପରଲୋକ ହୋଇଛି। ୯୪ ବର୍ଷୀୟ ହସନୀ ନଦବୀ ଲକ୍ଷ୍ନୌର ଡାଲିଗଞ୍ଜ ସ୍ଥିତ ନଦବା ମଦ୍ରାସାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୌଲାନା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କୁ ରାୟବରେଲୀରୁ ଲକ୍ଷ୍ନୌ ଅଣାଯାଇଥିଲା। କାଲି ରାୟବରେଲୀର ତକୀୟାରେ ଅନ୍ତିମ ସଂସ୍କାର ହେବ।
ମୌଲାନା ରାବେ ହସନୀ ନଦବୀଙ୍କ ଜନ୍ମ ୧ ଅକ୍ଟୋବର ୧୯୨୯ରେ ଉତ୍ତର ପ୍ରଦେଶ ରାୟବରେଲୀର ତକୀୟା କଲାନନରେ ହୋଇଥିଲା। ରାୟବରେଲୀରେ ପ୍ରାରମ୍ଭିକ ଶିକ୍ଷା ହାସଲ କରିଥିଲେ ଏବଂ ଏହା ପରେ ଉଚ୍ଚଶିକ୍ଷା ପାଇଁ ଦାରୁଲ ଉଲୁମ ନଦବତୁଲ ଉଲମାରେ ସାମିଲ୍ ହୋଇଥିଲେ। ମୌଲାନା ରାବେ ଭାରତୀୟ ଇସ୍ଲାମିକ୍ ବିଦ୍ବାନ ଥିଲେ। ସେ ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡର ଅଧ୍ୟକ୍ଷ ସହ ଲକ୍ଷ୍ନୌର ଧାର୍ମିକ ଶିକ୍ଷା କେନ୍ଦ୍ର ନଦବତୁଲ ଉଲେମାର ଅଧ୍ୟକ୍ଷ ମଧ୍ୟ ଥିଲେ। ଏହା ସହ ମୁସଲିମ୍ ଓ୍ବାର୍ଲ୍ଡ ଲିଗ୍ର ସଂସ୍ଥାପକ ସଦସ୍ୟ ଆଲମୀ ରବିତା ଅଦବ-ଏ-ଇସଲାମି, ରିୟାଦ(କେଏସଏ)ର ଉପାଧ୍ୟକ୍ଷ ମଧ୍ୟ ଥିଲେ। ତାଙ୍କୁ ଦୁନିଆର ୫୦୦ ସବୁଠୁ ପ୍ରଭାବଶାଳୀ ମୁସଲମାନଙ୍କ ମଧ୍ୟରେ ରହିଥିଲେ। ନଦବୀ ସବୁବେଳେ ମୁସଲମାନଙ୍କ ଉନ୍ନତି ପାଇଁ ଚେଷ୍ଟା କରୁଥିଲେ।
ଦେଶରେ ମୁସଲମାନଙ୍କ ସବୁଠୁ ବଡ଼ ସଂଗଠନ ମୁସଲିମ୍ ପର୍ସନାଲ ଲ ବୋର୍ଡ ବୈଠକରେ ମୁସଲିମ୍ ସମାଜ ସହ ଜଡ଼ିତ ମାମଲାରେ ଚର୍ଚ୍ଚା କରିବା ଏବଂ ମହିଳାଙ୍କ ଅଧିକାର ପାଇଁ ସ୍ବର ଉଠାଉଥିଲେ। ସେ କହିଥିଲେ ବିବାହରେ ଯୌତୁକ ଦେବା ବଦଳରେ ଝିଅଙ୍କୁ ସମ୍ପତ୍ତିରେ ଅଧିକାର ଦେବା ଦରକାର। ସେ କହିଥିଲେ ମୁସଲମାନଙ୍କୁ ଏହି ରୀତି-ନୀତିରୁ ବର୍ତ୍ତିବା ଦରକାର। ସୁନ୍ନତ ଏବଂ ଶରିୟତ ଅନୁଯାୟୀ ବିବାହ କରନ୍ତୁ।