ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି ଯେ ସବୁ ପ୍ରକାର ଧର୍ମାନ୍ତରୀକରଣକୁ ବେଆଇନ କୁହାଯାଇ ପାରିବ ନାହିଁ । ମଧ୍ୟ ପ୍ରଦେଶ ସରକାରଙ୍କ ପକ୍ଷରୁ ଦାଖଲ ଏକ ଯାଚିକା ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସହମତି ପ୍ରକାଶ କରିଛନ୍ତି । ଏଥିରେ ଜିଲ୍ଲାଧିକାରୀଙ୍କୁ ସୂଚନା ନଦେଇ ବିବାହ କରିଥିବା ଅଲଗା ଧର୍ମର ଦମ୍ପତ୍ତି ବିରୋଧରେ ମାମଲା ଚଲାଇବା ଉପରେ ରୋକ ଲଗାଇବା ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରାଯାଇଛି । ନ୍ୟାୟଳୟ କହିଛନ୍ତି ଯେ ସବୁ ପ୍ରକାର ଧର୍ମାନ୍ତରୀକରଣକୁ ବେଆଇନ କୁହାଯାଇ ପାରିବ ନାହିଁ । ଜଷ୍ଟିସ୍ ଏମ.ଆର.ଶାହ ଏବଂ ଜଷ୍ଟିସ୍ ସି.ଟି. ରବିକୁମାରଙ୍କ ଖଣ୍ଡପୀଠ ମାମଲାରେ ନୋଟିସ ଜାରି କରିଛନ୍ତି । ଫେବ୍ରୁଆରୀ ୭ରେ ମାମଲାରେ ପରବର୍ତ୍ତୀ ଶୁଣାଣି ହେବ ।
ସିଲିସିଟର ଜେନେରାଲ ତୁଷାର ମେହେଟ୍ଟା ହାଇକୋର୍ଟଙ୍କ ଆଦେଶ ଉପରେ ରୋକ ଲଗାଇବାକୁ ଦାବି କରିଥିଲେ, କିନ୍ତୁ ସୁପ୍ରିମକୋର୍ଟ କୌଣସି ନିର୍ଦ୍ଦେଶ ଦେବାକୁ ମନା କରିଥିଲେ । ମେହେଟ୍ଟା କୋର୍ଟରେ କହିଥିଲେ ଯେ ବେଆଇନ ଧର୍ମାନ୍ତରୀକରଣ ପାଇଁ ବିବାହକୁ ବ୍ୟବହାର କରାଯାଉଛି ଏବଂ ଏହା ଉପରେ ଆମେ ଆଖି ବନ୍ଦ କରି ରହିପାରିବୁ ନାହିଁ । ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରି କରି ରାଜ୍ୟ ସରକାରଙ୍କୁ ଏମପିଏଫଆରଏ ଧାରା ୧୦ ଅଧିନରେ ବୟସ୍କ ଦମ୍ପତ୍ତିଙ୍କ ଉପରେ ମୋକଦ୍ଦମା ନ ବଢାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଦୁହେଁ ପରସ୍ପରର ଇଚ୍ଛାରେ ବିବାହ କରିଥିଲେ ।
ହାଇକୋର୍ଟ ନଭେମ୍ୱର ୧୪ରେ କହିଥିଲେ ଯେ ଧାରା ୧୦ ଧର୍ମାନ୍ତରୀକରଣ ପାଇଁ ଇଚ୍ଛୁକ ନାଗରିକ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଏହି ମାମଲାରେ ଘୋଷଣା ପତ୍ର ଦେବାକୁ ବାଧ୍ୟ ଅଟନ୍ତି, ଆମ ମତରେ ଏହା ଅସାମ୍ୱିଧାନିକ ଅଟେ । MPFRA ଅନୁସାରେ, ପ୍ରଲୋଭନ, ବଳ ପ୍ରୟୋଗ, ଧମକ ଦେଇ, ବିବାହ କିମ୍ୱା ଅନ୍ୟ କୌଣସି ମାଧ୍ୟମରେ ଧର୍ମାନ୍ତରୀକରଣକୁ ବ୍ୟାନ କରାଯିବ ।