ଟି-୨୦ ବିଶ୍ୱ କପରେ ରୋହିତ ଶର୍ମାଙ୍କ ସହ ସବୁ ଅଧିନାୟକଙ୍କ ନୈରାଶ୍ୟଜନକ ପ୍ରଦର୍ଶନ, କଲେ ଲଜ୍ଜାଜନକ ରେକର୍ଡ

Published By : Prameya-News7 Bureau | November 04, 2022 IST

ନୂଆଦିଲ୍ଲୀ: ଟି-୨୦ ବିଶ୍ୱ କପରେ ଅଷ୍ଟମ ସଂସ୍କରଣ ସବୁ ଦଳର ଅଧିନାୟକଙ୍କ ପାଇଁ ନୈରାଶ୍ୟଜନକ ରହିଛି । ରୋହିତ ଶର୍ମାଙ୍କ ଠାରୁ ଆରମ୍ଭ କରି ଏରୋନ ଫିଞ୍ଚ, ସାକିବ ଅଲ ହସନଙ୍କ ଠାରୁ ମହମ୍ମଦ ନବୀ ସବୁ ଅଧିନାୟକଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଏହାର ପରିଣାମ ଏହା ଯେ, ଚଳିତ ବିଶ୍ୱ କପରେ ସବୁ କ୍ୟାପ୍ଟେନଙ୍କ ହାରାହାରି ରନ ଏବଂ ଷ୍ଟ୍ରାଇକ ରେଟ୍ ଆଜି ଯାଏଁ ଖେଳାଯାଇଥିବା ୭ଟି ଟି-୨୦ ବିଶ୍ୱ କପର ସବୁଠୁ କମ ରହିଛି । ଟି-୨୦ ବିଶ୍ୱ କପ ୨୦୨୨ରେ ସବୁ ଅଧିନାୟକଙ୍କ ମୋଟ ବ୍ୟାଟିଂ ଆଭରେଜ ୧୭.୮୪ ରହିଛି, ଅନ୍ୟପଟେ ଷ୍ଟ୍ରାଇକ ରେଟ୍ ୧୦୭.୦୨ ରହିଛି ।

ଭାରତୀୟ ବ୍ୟାଟର ରୋହିତ ଶର୍ମା ୪ ମ୍ୟାଚରେ ଗୋଟିଏ ଅର୍ଦ୍ଧଶତକ ସହ ମାତ୍ର ୭୪ ରନ କରିଛନ୍ତି । ଅନ୍ୟପଟେ ପଡୋଶୀ ଦେଶ ପାକିସ୍ତାନର ଅଧିନାୟକ ବାବାର ଆଜମଙ୍କ ଖରାପ ପ୍ରଦର୍ଶନ ଜାରି ରହିଛି । ବାବର ୩.୫୦ ହାରରେ ଟୁର୍ଣ୍ଣାମେଣ୍ଟରେ ମାତ୍ର ୧୪ ରନ କରିଛନ୍ତି ।

ସୁପର ୧୨ରେ ମାତ୍ର ଦୁଇ ଜଣ ଅଧିନାୟକ ଏବେ ସୁଦ୍ଧା ୧୦୦ ରନ ପାର କରିବାରେ ସଫଳ ହୋଇଛନ୍ତି । ଏହି ସୂଚୀରେ କେନ ୱିଲିୟମସନ ୧୩୨ ରନ ସହ ଶୀର୍ଷରେ ଅଛନ୍ତି । ଅନ୍ୟପଟେ ଏରୋନ ଫିଞ୍ଚ ୧୦୭ ରନ ସହ ଦ୍ୱତୀୟ ସ୍ଥାନରେ ଅଛନ୍ତି । କେନ ୱିଲିୟମସନ ଶୁକ୍ରବାର ଆୟର୍ଲାଣ୍ଡ ବିପକ୍ଷରେ ୬୧ ରନ କରିଥିଲେ । ଅନ୍ୟ ଅଧିନାୟକଙ୍କ ମଧ୍ୟରେ ଜସ ବଟଲର ୩ ମ୍ୟାଚରୁ ୯୧ରନ, ତେମ୍ୱା ଭାବୁମା ୩ ମ୍ୟାଚରେ ୫୫ ରନ, ସକିବ ଅଲ ହସନ ୪ ମ୍ୟାଚରେ ୪୪, ମହମ୍ମଦ ନବୀ ୩ ମ୍ୟାଚରେ ୧୭ ରନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.