ନରୋଦା ଗଣହତ୍ୟା ମାମଲା; ନିର୍ଦ୍ଦୋଷରେ ଖଲାସ ହେଲେ ଗୁଜରାଟର ପୂର୍ବତନ ମନ୍ତ୍ରୀଙ୍କ ସମେତ ସବୁ ଅଭିଯୁକ୍ତ, ୨୧ ବର୍ଷ ତଳେ ମରିଥିଲେ ୧୧ ମୁସଲମାନ

Published By : Prameya-News7 Bureau | April 20, 2023 IST

ନୂଆଦିଲ୍ଲୀ, ୨୦/୦୪: ୨୧ ବର୍ଷ ତଳେ ହୋଇଥିବା ନରୋଦା ଦଙ୍ଗା ମାମଲାରେ ଗୁରୁବାର ନିଷ୍ପତ୍ତି ଶୁଣାଇଛନ୍ତି ସ୍ବତନ୍ତ୍ର ଅଦାଲତ। ମାମଲାର ଶୁଣାଣି କରି ଅହମଦାବାଦର ଏକ ସ୍ବତନ୍ତ୍ର ଅଦାଲତ ବିଚାରପତି ଏସକେ ବକ୍‌ଶୀ ସବୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ୨୦୦୨ ସାଂପ୍ରଦାୟିକ ଦଙ୍ଗା ସମୟରେ ନରୋଦା ଗାଁରେ ମୁସଲିମ୍‌ ସମୁଦାୟର ୧୧ ସଦସ୍ୟଙ୍କ ହତ୍ୟା କରିଦିଆଯାଇଥିଲା।

ନରୋଦା ଗଣହତ୍ୟା ମାମଲାରେ ବିଜେପିର ପୂର୍ବତନ ବିଧାୟକ ମାୟା କୋଡନାନୀ ଏବଂ ବଜରଙ୍ଗ ଦଳ ସହ ୮୬ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। ଅବଶ୍ୟ ୧୮ ଅଭିଯୁକ୍ତଙ୍କ ଶୁଣାଣି ଶେଷ ହେବା ପୂର୍ବରୁ ହିଁ ମୃତ୍ୟୁ ହୋଇଥିଲା। ୨୦୧୨ରେ ମାୟା କୋଡନାନୀଙ୍କୁ ସ୍ବତନ୍ତ୍ର ଏସଆଇଟି କୋର୍ଟ ୨୮ ବର୍ଷର ଜେଲ୍ ଦଣ୍ଡାଦେଶ ମଧ୍ୟ ଶୁଣାଇଥିଲେ। ଅବଶ୍ୟ ଗୁଜରାଟ ହାଇକୋର୍ଟ ଏହି ରାୟକୁ ରଦ୍ଦ କରିଥିଲେ।

୨୦୧୭ରେ ମାୟାଙ୍କ ଅନୁରୋଧ କ୍ରମେ ବରିଷ୍ଠ ବିଜେପି ନେତା (ଏବେ କେନ୍ଦ୍ର ଗୃହମନ୍ତ୍ରୀ) ଅମିତ ଶାହ ମାୟା କୋଡନାନୀଙ୍କ ପାଇଁ ସାକ୍ଷୀ ଦେଇଥିଲେ। କୋଡନାନୀ କହିଥିଲେ ଯେ ଦଙ୍ଗା ସମୟରେ ସେ ଗୁଜରାଟ ବିଧାନସଭାରେ ଥିଲେ ଏବଂ ପରେ ସୋଲା ସିଭିଲ୍‌ ହସ୍ପିଟାଲ ଯାଇଥିଲେ।

ଉଲ୍ଲେଖଯୋଗ୍ୟ, ୨୦୦୨ରେ ଗୋଧରାରେ ଟ୍ରେନ୍‌ରେ ନିଆଁ ଲଗାଇବା ଘଟଣାରେ ଅଯୋଧ୍ୟାରୁ ଫେରୁଥିବା ୫୮ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ଗୁଜରାଟରେ ଅନେକ ସ୍ଥାନରେ ସାଂପ୍ରଦାୟିକ ହିଂସା ଦେଖିବାକୁ ମିଳିଥିଲା। ୨୦୦୨ ଫେବ୍ରୁଆରୀ ୨୮ରେ ଅହମଦାବାଦ ସହରର ନରୋଦା ଗାଁରେ ମଧ୍ୟ ଦଙ୍ଗା ହୋଇଥିଲା। ଆଉ ଏଠାରେ ୧୧ ଜଣ ମୁସଲମାନଙ୍କ ମୃତ୍ୟୁ ହୋଇଥିଲା।

ହିଂସାକୁ ନେଇ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୨ (ହତ୍ୟା), ୩୦୭ (ହତ୍ୟା ଉଦ୍ୟମ), ୧୪୩ (ବେଆଇନ ଭାବରେ ଭିଡ଼ ଜମାଇବା) ୧୪୭ (ଦଙ୍ଗା), ୧୪୮ (ବିପଦ୍ଜନକ ହତିଆର ଧରି ଦଙ୍ଗା କରିବା), ୧୨୦ବି (ଅପରାଧିକ ଷଡ଼ଯନ୍ତ୍ର) ଅନୁଯାୟୀ ମାମଲା ରୁଜୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.