ଭାରତକୁ ‘ଗୁଡବାୟ’ କହିଲା ଚୀନ୍ କମ୍ପାନୀ ଅଲିବାବା, ପେଟିଏମରୁ ବିକିଲା ସବୁ ଅଂଶଧନ
10/02/2023 at 7:02 PM

ମୁମ୍ବାଇ୧୦।୨: ଚୀନ୍ର ବହୁରାଷ୍ଟ୍ରୀୟ କମ୍ପାନୀ ‘ଅଲିବାବା’ ଭାରତରୁ ବିଦାୟ ନେଇଛି। ଅଲିବାବା ଶୁକ୍ରବାର ବକ୍ ଡିଲରେ ପେଟିଏମ୍ରେ ଥିବା ତାର ପୂର୍ଣ୍ଣ ଭାଗିଦୀରା ବିକ୍ରି କରିଦେଇଛି। ପେଟିଏମରେ ଚୀନ୍ କମ୍ପାନୀର ଆଉ ମାତ୍ର ୩.୪ ପ୍ରତିଶତ ଅଂଶିଦାରୀ ଥିଲା। ରିପୋର୍ଟ ଅନୁସାରେ ବକ୍ ଡିଲରେ ମୂଳ କମ୍ପାନୀ ୱାନ-୯୭ କମ୍ୟୁନିକେସନରେ ଥିବା ୨.୧ କୋଟି ସେୟାରକୁ ବିକିଛି। ବିକ୍ରି କରିଥିବା ସେୟାରରେ ଅଲିବାବାର ପୂର୍ଣ୍ଣ ଅଂଶିଦାରୀ ଥିଲା।

ଗତ ଡିସେମ୍ବର ତ୍ରୈମାସିକରେ ପେଟିଏମରେ ଅଲିବାବାର ୬.୨୬ ପ୍ରତିଶତ ଭାଗିଦାରୀ ଥିଲା। ଏଥିରୁ ଗତ ଜାନୁୟାରୀରେ ଖୋଲା ବଜାରରେ ପାଖାପାଖି ୩ ପ୍ରତିଶତ ଇକ୍ୱିଟି ବିକ୍ରି କରିଥିଲା। ଅଲିବାବା ନିବେଶ ମୂଲ୍ୟରେ ତୀବ୍ର ହ୍ରାସ ମଧ୍ୟରେ ଭାରତରେ ସୂଚୀ ବଦ୍ଧ ଆଧୁନିକ ପ୍ରଯୁକ୍ତି କମ୍ପାନୀରେ ଥିବା ଅଂଶିଦାରୀ ବିକ୍ରି କରୁଛି। ଚୀନ୍ ବହୁ ରାଷ୍ଟ୍ରୀୟ କମ୍ପାନୀ ଏହା ପୂର୍ବରୁ ଗତ ନଭେମ୍ବର ମାସରେ ଅନଲାଇନ ଫୁଡ ଡେଲିଭରୀ ଏଗ୍ରିଗେଟର ଜୋମାଟୋରେ ଥିବା ୩୦ ପ୍ରତିଶତ ଅଂଶିଦାରୀ ବିକ୍ରି କରିଥିଲା। ସେହିପରି ବିଗବାସ୍କେଟ୍ରେଥିବା ସେୟାର ମଧ୍ୟ କମ୍ପାନୀ ପୂର୍ବରୁ ବିକ୍ରି କରିସାରିଥିଲା।

ଡିସେମ୍ବର ତ୍ରୈମାସିକରେ ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁ ପେଟିଏମର କ୍ଷତି ହ୍ରାସ ହୋଇଥିଲା। ଏହା ପରଠାରୁ କମ୍ପାନୀର ସେୟାର ମୂଲ୍ୟ ବୃଦ୍ଧି ହେବାରେ ଲାଗିଥିଲା। ଗତ ଫେବୃଆରୀ ୩ ତାରିଖ ଦିନ କମ୍ପାନୀ ଅକ୍ଟୋବର-ଡିସେମ୍ବର ୨୦୨୨ର ଫଳାଫଳ ଜାରି କରିଥିଲା। ସେବେଠାରୁ ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ପେଟିଏମ ପାଖାପାଖି ୩୪ ପ୍ରତିଶତ ମଜଭୁତ ହୋଇଥିଲା। ତେବେ ଅଲିବାବା ସେୟାର ବିକିଦେବା ପରେ ଶୁକ୍ରବାର ପେଟିଏମ ସେୟାର ମୂଲ୍ୟରେ ହ୍ରାସ ଦେଖାଯାଇଛି।