ଘନେଇଲା କରୋନା ଭୟ, ୫ ଦେଶରେ କାୟା ବିସ୍ତାର କରିବା ପରେ ଭାରତରେ ଆଲର୍ଟ
20/12/2022 at 8:41 PM

ନୂଆଦିଲ୍ଲୀ, ୨୦/୧୨: ଚାଇନା ସହ ୫ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପରେ ସତର୍କ ହୋଇଛନ୍ତି ଭାରତ ସରକାର। ଏହି ଦେଶମାନଙ୍କରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଗୁଆ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏନସିଡିସି ଏବଂ ଆଇସିଏମଆରକୁ ଚିଠି ଲେଖିଛନ୍ତି । ଏହି ଚିଠିରେ ସବୁ ରାଜ୍ୟଙ୍କୁ ଜିନୋମ୍ ସିକ୍ବେନ୍ସିଂ ଉପରେ ଜୋର୍ ଦେବାକୁ କୁହାଯାଇଛି।
ବର୍ତ୍ତମାନ ସମୟରେ ଦେଶରେ କରୋନା ସଂକ୍ରମଣ ଅଧିକ ନାହିଁ, ମୃତ୍ୟୁ ମଧ୍ୟ କମ୍ ରହିଛି। କିନ୍ତୁ ସମଗ୍ର ଦୁନିଆରେ ଭାଇରସ ପୁଣି ଥରେ ଏହାର କାୟା ମେଲାଇବାରେ ଲାଗିଛି। ଏଭଳି ସ୍ଥିତିରେ ସରକାର ମଧ୍ୟ କୌଣସି ଅବହେଳାକୁ ଦେବାକୁ ଚାହୁନାହାନ୍ତି। ଫଳରେ ଏହି ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି।
ଏନସିଡିସି ଏବଂ ଆଇସିଏମଆରକୁ ଲେଖାଯାଇଥିବା ଚିଠିରେ କୁହାଯାଇଛି କରୋନାର ନୂଆ ଭାରିଆଣ୍ଟକୁ ସମୟ ପୂର୍ବରୁ ଚିହ୍ନଟ କରିବାକୁ ପଡ଼ିବ, ଏଥିପାଇଁ ଜିନୋମ୍ ସିକ୍ବେନ୍ସିଂ ଜରୁରୀ। ରାଜ୍ୟଙ୍କୁ ମଧ୍ୟ ଜିନୋମ୍ ସିକ୍ବେନ୍ସୀଂ ପାଇଁ ସାମ୍ପୁଲ୍ ପଠାଇବାକୁ ନିର୍ଦେ୍ଦଶ ଦିଆଯାଇଛି । ସୂଚନାଯୋଗ୍ୟ, ଜାପାନ, ଆମେରିକା, ଚାଇନା, ରିପବ୍ଲିକ୍ କୋରିଆ ଏବଂ ବ୍ରାଜିଲ୍ରେ କରୋନା ସଂକମ୍ରଣ ବୃଦ୍ଧି ପାଇଛି।