ରିଲିଜ ହେଲା ମିଶନ ରାନୀଗଞ୍ଜର ଟ୍ରେଲର୍, ଲିଡ୍ରେ ଅକ୍ଷୟ–ପରିଣୀତି
27/09/2023 at 3:25 PM

ମୁମ୍ୱାଇ ୨୭/୦୯: ବି-ଟାଉନର ଖିଲାଡ଼ି କୁମାର ପୁଣି ଏକ ଇନସ୍ପିରେସନାଲ ସିନେମା ନେଇ ସ୍କ୍ରିନକୁ ଆସୁଛନ୍ତି । ସିନେମା ମିଶନ ରାନୀଗଞ୍ଜର ଦି ଗ୍ରେଟ୍ ଭାରତ ରେସ୍କ୍ୟୁରେ ନଜର ଆସିବେ ଅକ୍ଷୟ । ଜଣେ ରିୟଲ ଲାଇଫ୍ ହିରୋଙ୍କ ସାହସିକତାକୁ ନେଇ ନିର୍ମିତ ଏହି ସିନେମାରେ ଅକ୍ଷୟଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ।
ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଏକ୍ସାଇଟମେଣ୍ଟ ଭରି ରହିଥିବା ବେଳେ ଏବେ ରିଲିଜ ହୋଇଛି ଏହାର ଟ୍ରେଲର୍ । ଇମୋଶନ, ଡ୍ରାମା, ଇନ୍ସପିରେସନ, ସାହସିକତା ଭରି ରହିଥିବା ଏହି ଟ୍ରେଲରକୁ ଦର୍ଶକଙ୍କ ଭରପୁର୍ ଭଲ ପାଇବା ମିଳିଛି । ଏହା ବ୍ୟତୀତ ଦମଦାର ମ୍ୟୁଜିକ ସାଙ୍ଗକୁ ଅଭିନେତାଙ୍କ ନିଖୁଣ ଅଭିନୟର ଝଲକ ମଧ୍ୟ ଦେଖିବାକୁ ମିଳିଛି । ରିଲିଜ ହେବାର ୨୪ ଘଣ୍ଟା ମଧ୍ୟରେ ହିଁ ଟ୍ରେଲରଟି ଟ୍ରେଣ୍ଡିଂକୁ ଆସିଛି ।
ସିନେମାଟି ରିୟଲ ଲାଇଫ୍ ହିରୋ ଜଶୱନ୍ତ ସିଂହ ଗିଲଙ୍କ ଜୀବନୀକୁ ନେଇ ନିର୍ମିତ । ୧୯୮୯ରେ ରାନୀଗଞ୍ଜର ବନ୍ୟାପ୍ରବଣ କୋଇଲା ଖାଦାନରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିଥିଲେ ଜଶୱନ୍ତ । ସମୟ ବିରୁଦ୍ଧରେ ତାଙ୍କର ଏହି ଲଢ଼େଇକୁ ନେଇ ସିନେମାର କାହାଣୀ ଗତିଶୀଳ ହୋଇଛି । ସିନେମାରେ ରେସ୍କ୍ୟୁ ଅପରେସନର ଝଲକ ମଧ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖି ଦର୍ଶକଙ୍କ ଦେହ ଶୀତେଇ ଉଠୁଛି ।

ଫିଲ୍ମରେ ଅକ୍ଷୟ ଜଶୱନ୍ତ ସିନ୍ହାଙ୍କ ଭୂମିକାରେ ଅଭିନୟ କରିଥିବା ବେଳେ ତାଙ୍କ ପତ୍ନୀ ଭୂମିକାରେ ନଜର ଆସିଛନ୍ତି ନ୍ୟୁ ବ୍ରାଇଡ ପରିଣୀତି ଚୋପ୍ରା । ନିଜ ଫ୍ୟାନ୍ସଙ୍କୁ ସବୁବେଳେ ଇମ୍ପ୍ରେସ କରି ଆସୁଥିବା ଖିଲାଡ଼ି କୁମାର ଏଥର ମଧ୍ୟ ନିଜ ଦମଦାର ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି । ଟ୍ରେଲରର ଶେଷରେ ଅକ୍ଷୟ ଭଗବାନଙ୍କୁ ପ୍ରାର୍ଥନା କରୁଥିବା ଦୃଶ୍ୟ ସମସ୍ତଙ୍କୁ ଇମୋସନାଲ କରିଛି । ଫିଲ୍ମରେ ଅକ୍ଷୟଙ୍କ ଲୁକବି ଦର୍ଶକଙ୍କୁ କାଫି ପସନ୍ଦ ଆସିଛି ।
ଟ୍ରେଲରରେ ଥିବା ଅନେକ ହୃଦୟ ବିଦାରକ ଦୃଶ୍ୟ ଦର୍ଶକଙ୍କ ଏକ୍ସାଇଟମେଣ୍ଟ ଲେଭଲକୁ ବଢ଼ାଇ ଦେଇଛି । ଫିଲ୍ମରେ ଟିନୁ ସୁରେଶ ଦେଶାଇ ନିର୍ଦ୍ଦେଶନାର ଭାର ଉଠାଇଥିବା ବେଳେ ସପୋଟିଙ୍ଗ କାଷ୍ଟ ମଧ୍ୟ ଖୁବ୍ ଭଲ କାମ କରିଛନ୍ତି । ପୂର୍ବରୁ ଅକ୍ଷୟ-ଟିନୁ ଯୋଡ଼ି ଫିଲ୍ମ ରୁସ୍ତମରେ କମାଲ କରିଥିଲେ । ତେବେ ଆସନ୍ତା ୬ ଅକ୍ଟୋବରରେ ମିଶନ ରାନୀଗଞ୍ଜ ରିଲିଜ ହେବାକୁ ଥିବା ବେଳେ ଏଥର ଏହି ଅଭିନେତା-ନିର୍ଦ୍ଦେଶକ ଯୋଡ଼ି କି କମାଲ କରୁଛି ତାକୁ ଅପେକ୍ଷା ।