ଆସାମ ବନ୍ୟା ପୀଡିତଙ୍କ ପାଇଁ ୧ କୋଟି ଟଙ୍କା ଦାନ କଲେ ଅକ୍ଷୟ କୁମାର
18/08/2020 at 3:43 PM

ଦିଶପୁର ୧୮/୦୮ : ବଲିଉଡ ଅଭିନେତା ଅକ୍ଷୟ କୁମାର ଆସାମ ବନ୍ୟା ପୀଡିତଙ୍କ ପାଇଁ ୧ କୋଟି ଟଙ୍କା ଦାନ କରିଛନ୍ତି | ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ମଙ୍ଗଳବାର ଦିନ ଟ୍ୱିଟ କରି ଅକ୍ଷୟ କୁମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି | ସେ ଟ୍ୱିଟରେ ଲେଖିଛନ୍ତି, ଆସାମରେ ବନ୍ୟା ପୀଡିତଙ୍କ ପାଇଁ ୧ କୋଟି ଟଙ୍କା ଯୋଗଦାନ କରିଥିବାରୁ ଅକ୍ଷୟ କୁମାରଙ୍କୁ ଧନ୍ୟବାଦ | ସଙ୍କଟ ସମୟରେ ଅକ୍ଷୟ କୁମାର ସବୁବେଳେ ସହାନୁଭୂତି ଦେଖାଇଛନ୍ତି ବୋଲି ସେ କହିଛନ୍ତି | ଆସାମ ପ୍ରତି ଜଣେ ଭଲ ବନ୍ଧୁ ଭାବେ, ବିଶ୍ୱ କ୍ଷେତ୍ରରେ ନିଜ ମହିମା ବଢାଇବା ପାଇଁ ଭଗବାନ ସବୁବେଳେ ଅକ୍ଷୟ କୁମାରଙ୍କ ଉପରେ ଆଶୀର୍ବାଦ ବର୍ଷା କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |
୨୦୨୦ ଜୁଲାଇ ମାସରେ ଆସାମର ୩୩ ଜିଲ୍ଲା ବନ୍ୟା ପାଣିରେ ବୁଡି ଯାଇଥିଲା | ବନ୍ୟା ଯୋଗୁଁ ପାଖାପାଖି ୨୮ ଲକ୍ଷ ପ୍ରଭାବିତ ହୋଇଥିଲେ | ବନ୍ୟା ଯୋଗୁଁ ରାଜ୍ୟର ହଜାର ହଜାର ଘର କ୍ଷତିଗ୍ରସ୍ତ ହୋଇଥିଲା, ଫସଲ ନଷ୍ଟ ହୋଇଥିଲା, ଅନେକ ଜାଗାରେ ରାସ୍ତା ଓ ପୋଲ ଭାଙ୍ଗି ଯାଇଥିଲା | ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନ୍ୟାନ୍ୟ ସରକାରୀ ଏଜେନ୍ସି ଏବଂ ସ୍ବେଚ୍ଛାସେବୀ ସଂଗଠନ ସହିତ ବନ୍ୟା ସହାୟତା କାର୍ଯ୍ୟରେ ନିୟୋଜିତ ଅଛନ୍ତି |

ସୂଚନାଯୋଗ୍ୟ ଯେ, ଆସାମରେ ବନ୍ୟା ଯୋଗୁଁ ମାସେରୁ ଅଧିକ ହେଲାଣି ସ୍ଥିତି ଭୟାବହ ରହିଛି | ଗତ ମାସରେ ହୋଇଥିବା ବନ୍ୟା ଯୋଗୁଁ ୩୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି | ଏବେ ବିହାରରେ ମଧ୍ୟ ବନ୍ୟା ପରିସ୍ଥିତି ଦେଖାଦେଇଛି | ବର୍ତ୍ତମାନ ଭାରତର ଅନେକ ରାଜ୍ୟରେ ଭୀଷଣ ବର୍ଷା ଲାଗିରହିଛି | ଫଳରେ ସ୍ଥିତି ଗମ୍ଭୀର ହୋଇପଡିଛି | ମହାରାଷ୍ଟ୍ର, ରାଜସ୍ଥାନରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ଅତ୍ୟନ୍ତ ଖରାପ ରହିଛି |