‘ବଡେ ମିଆଁ ଛୋଟେ ମିଆଁ’ ସେଟ୍ରେ ଦୁର୍ଘଟଣା, ଆକ୍ସନ୍ ସିନ୍ ବେଳେ ଆହତ ହେଲେ ଅକ୍ଷୟ
26/03/2023 at 8:13 AM

ମୁମ୍ଵାଇ ୨୬।୦୩: ବଲିଉଡରେ ଏବେ ଅନେକ ବଡ ବଡ ଫିଲ୍ମକୁ ନେଇ ଜବରଦସ୍ତ ଚର୍ଚ୍ଚା ହେଉଛି। କେତେକ ଫିଲ୍ମ ରିଲିଜ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଆଉ କିଛି ଫିଲ୍ମର ସୁଟିଂ ଚାଲୁଛି। ବଲିଉଡ୍ର ଖିଲାଡି କୁମାର ଅକ୍ଷୟଙ୍କ ପାଖରେ ଫିଲ୍ମର ଲମ୍ବା ତାଲିକା ରହିଥିବାବେଳେ, ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବଡ଼େ ମିଆଁ ଛୋଟେ ମିଆଁ’ର ସୁଟିଂ ଚାଲିଛି। ଶୁଣିବାକୁ ମିଳିଥିଲା ଏହି ଫିଲ୍ମର ବଜେଟ୍ ୩୦୦ କୋଟି ଟଙ୍କା ରହିଛି।
ଅଲ୍ଲୀ ଅବାସ୍ ଜାଫରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅକ୍ଷୟ କୁମାର ଓ ଟାଇଗର୍ ଶ୍ରଫ୍ ନଜର ଆସିବେ। କିଛି ଦିନ ତଳେ ନିର୍ଦ୍ଦେଶକ ସ୍କଟଲ୍ୟାଣ୍ଡରୁ ଏକ ଆକ୍ସନ ଭିଡିଓ ସେୟାର କରିଥିଲେ। ଏହି ଫିଲ୍ମକୁ ନେଇ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି। ଅକ୍ଷୟ କୁମାର ଏହି ଚଳଚ୍ଚିତ୍ର ସୁଟିଂ ସେଟରେ ଆହତ ହୋଇଛନ୍ତି। ବର୍ତ୍ତମାନ ସେ ସୁଟିଂରୁ ବିରତି ନେଇଛନ୍ତି। ଏକ ଷ୍ଟଣ୍ଟ ସୁଟିଂ ସମୟରେ ଅକ୍ଷୟଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା।
ଏହି ଅଘଟଣ ପରେ ଡାକ୍ତର ତାଙ୍କୁ କିଛି ସମୟ ପାଇଁ ଷ୍ଟଣ୍ଟ ସିନ୍ ଠାରୁ ଦୂରରେ ରହିବାକୁ କହିଛନ୍ତି ଏବଂ ଫିଲ୍ମର ସ୍କଟଲ୍ୟାଣ୍ଡ୍ ସେଡ୍ୟୁଲକୁ ବନ୍ଦ କରାଯାଇଛି। ‘ବଡ଼େ ମିଆଁ ଛୋଟେ ମିଆଁ’ର ଫିଲ୍ମଟି ୧୯୯୮ ମସିହାର ଅମିତାଭ ବଚ୍ଚନ ଓ ଗୋବିନ୍ଦାଙ୍କ ଅଭିନୀତ ଫିଲ୍ମର ରିମେକ ନୁହେଁ। ଅନ୍ୟପଟେ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ସୋନାକ୍ଷୀ ସିହ୍ନା ଏବଂ ପୃଥ୍ବୀରାଜ୍ ସୁକୁମାରନ ମଧ୍ୟ ଅଭିନୟ କରିଛନ୍ତି।